ନୂତନ ଜାତୀୟ କ୍ରୀଡ଼ା ନୀତିକୁ ପ୍ରତ୍ୟାଖ୍ୟାନ କଲା ଆଇଓଏ

ନୂଆଦିଲ୍ଲୀ  : ଭାରତରେ ଲାଗୁ ହେବାକୁ ଥିବା ନୂତନ ଜାତୀୟ କ୍ରୀଡ଼ା ନୀତିକୁ ପ୍ରତ୍ୟାଖ୍ୟାନ କରିଛି ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌ (ଆଇଓଏ)। ନୂତନ କ୍ରୀଡ଼ା ନୀତି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ ଲାଗୁ କରାଗଲେ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌କୁ ବାସନ୍ଦ କରାଯିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ତରଫରୁ ଧମକ ଦିଆଯିବା ପରେ ଆଇଓଏ ଏହି ପଦକ୍ଷେପ ଗ୍ରହଣ କରିଛି।
ସୂଚନାଥାଉକି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ନିର୍ଦେଶରେ ଜାତୀୟ କ୍ରୀଡ଼ା ନୀତି ପ୍ରସ୍ତୁତ କରାଯାଇଥିଲା। ତେବେ ଏହି କ୍ରୀଡ଼ା ନୀତିରେ ବିଭିନ୍ନ ଜାତୀୟ କ୍ରୀଡ଼ା ଫେଡେରେସନ୍‌ର ସଦସ୍ୟଙ୍କ କାର୍ଯ୍ୟକାଳ ଓ ବୟସକୁ ନେଇ ଯେଉଁ ନିୟମ ରହିଛି ତାହାକୁ ବିରୋଧ ହୋଇଆସୁଛି। ସେହିପରି ଜାତୀୟ କ୍ରୀଡ଼ା ନୀତି ସଂପର୍କରେ ମତାମତ ଦେବାକୁ କେନ୍ଦ୍ର କ୍ରୀଡ଼ା ନିର୍ଦେଶକଙ୍କ ତରଫରୁ ଆଇଓଏକୁ ଏକ ପତ୍ର ଲେଖାଯାଇଥିଲା। ଏ ସଂପର୍କରେ ଜବାବ ଦେଇ ଆଇଓଏର ମହାସଚିବ ରାଜୀବ ମେହଟ୍ଟା ଜାତୀୟ କ୍ରୀଡ଼ା ନୀତି ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ନୂତନ କ୍ରୀଡ଼ା ନୀତି ଯୋଗୁଁ ବିଭିନ୍ନ କ୍ରୀଡ଼ା ସଂଘ ନିଜର ସତ୍ତା ହରାଇବା ଆଶଙ୍କା ରହିଥିବା ରାଜୀବ ଦର୍ଶାଇଛନ୍ତି।
ସୂଚନାଥାଉକି ୨୦୧୨ ଡିସେମ୍ବରରେ ଆଇଓଏକୁ ବାସନ୍ଦ କରିଥିଲା ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି। ଆଇଓଏ ପରିଚାଳନାରେ ସରକାରୀ ହସ୍ତକ୍ଷେପକୁ ବିରୋଧ କରି ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ଏହି ନିଷ୍ପତ୍ତି ନେଇଥିଲା। ପରବର୍ତ୍ତୀ ସମୟରେ ଆଇଓଏକୁ ସ୍ବତନ୍ତ୍ରତା ମିଳିବା ପରେ ଏହି ବାସନ୍ଦାଦେଶ ଉଠାଇ ଦିଆଯାଇଥିଲା। ୨୦୧୧ରେ ପ୍ରସ୍ତୁତ ଜାତୀୟ କ୍ରୀଡ଼ା ନୀତି ବର୍ତ୍ତମାନ ଲାଗୁ ରହିଥିବା ବେଳେ ନୂତନ କ୍ରୀଡ଼ା ନୀତି ପାଇଁ ୨୦୧୭ରୁ କାର୍ଯ୍ୟ ଆରମ୍ଭ ହୋଇଛି। ନୂତନ ନୀତିରେ ମନ୍ତ୍ରୀ, ସାଂସଦ, ବିଧାୟକ କିମ୍ବା ସରକାରୀ କର୍ମଚାରୀ ଜାତୀୟ କ୍ରୀଡ଼ା ସଂଘ କିମ୍ବା ଆଇଓଏର ସଦସ୍ୟ ରହିପାରିବେ ନାହିଁ, ପଦାଧିକାରୀଙ୍କ ବୟସ ୭୦ ବର୍ଷରୁ ଅଧିକ ହୋଇନଥିବା, ପ୍ରତ୍ୟେକ ଜାତୀୟ କ୍ରୀଡ଼ା ସଂଘ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ନିର୍ଦେଶକଙ୍କୁ ନିଯୁକ୍ତ କରିବା, ଆଥଲେଟ୍‌ କମିଶନ ପ୍ରତିଷ୍ଠା କରିବା ଆଦି ନିୟମ ରହିଛି।

Comments are closed.