ଭାରତୀୟ ପୁରୁଷ ଓ ମହିଳା ଦଳ ୨ୟ ରାଉଣ୍ଡରେ

କଟକ : ବୁଧବାରଠାରୁ କଟକର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚମ୍ପିଆନସିପ୍‌। ପ୍ରଥମଦିନ ଆୟୋଜକ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଉଭୟ ପୁରୁଷ ଓ ମହିଳା ଦଳ ସେମାନଙ୍କ ପ୍ରଥମ ରାଉଣ୍ଡର ଉଭୟ ଲିଗ୍ ମ୍ୟାଚ୍ ଜିତି ଗ୍ରୁପ୍ ଶୀର୍ଷରେ ରହିବା ସହ ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌ ‘ବି’ରେ ଥିବା ଭାରତୀୟ ପୁରୁଷ ଦଳ ୩-୦ ମ୍ୟାଚ୍‌ରେ ପ୍ରଥମେ ସ୍କଟ୍‌ଲାଣ୍ଡକୁ ପରାସ୍ତ କରିଥିବା ବେଳେ ୨ୟ ମ୍ୟାଚ୍‌ରେ ସିଙ୍ଗାପୁରକୁ ପରାସ୍ତକରି ଏହି କୃତିତ୍ବ ହାସଲ କରିଛି। ଭାରତୀୟ ମହିଳା ଦଳ ଗ୍ରୁପ୍ ‘ବି’ରେ ପ୍ରଥମ ଦୁର୍ବଳ ଶ୍ରୀଲଙ୍କାକୁ ୩-୦ ମ୍ୟାଚ୍‌ରେ ଏବଂ ପରେ ଦକ୍ଷିଣ ଅାଫ୍ରିକାକୁ ସମାନ ବ୍ୟବଧାନ​‌େ​‌ର ପରାସ୍ତ କରିଥିଲା।
ବୁଧବାର ପ୍ରଥମେ କୋର୍ଟକୁ ଓହ୍ଲାଇଥିଲା ଭାରତୀୟ ମହିଳା ଦଳ। ୨ୟ ସିଡ୍ ଭାରତ ସହଜରେ ୩-୦ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଭାରତର ପ୍ରମୁଖ ଖେଳାଳି ମାନିକା ବାତ୍ରା ୩-୦ (୧୧-୫, ୧୧-୪, ୧୧-୫) ଗେମ୍‌ରେ ଶ୍ରୀଲଙ୍କାର ବିମାନ୍ଦି ବନ୍ଦାରାଙ୍କୁ ହରାଇଥିଲେ। ପରେ ଭାରତୀୟ ଜାତୀୟ ଚମ୍ପିଆନ୍ ଅର୍ଚ୍ଚନା କାମତ୍ ୩-୦ (୧୧-୫, ୧୧-୫, ୧୨-୧୦) ଗେମ୍‌ରେ ଶ୍ରୀଲଙ୍କାର ଇସାରା ମଦୁରାଙ୍ଗିଙ୍କୁ ପରାସ୍ତ କରିଥିଲେ। ୩ୟ ମ୍ୟାଚ୍‌ରେ ଭାରତର ଆୟହିକା ମୁଖାର୍ଜୀ ୩-୧ (୧୧-୩, ୧୧-୩, ୮-୧୧, ୧୧-୪) ଗେମ୍‌ରେ ଶ୍ରୀଲଙ୍କାର ଚାମାତ୍‌ସାରା ଫର୍ଣ୍ଣାଣ୍ଡୋଙ୍କୁ ପରାସ୍ତ କରିଥିଲେ। ଅପରାହ୍‌ଣରେ ଦକ୍ଷିଣ ଆଫ୍ରିକାକୁ ଭାରତ ୩-୦ ମ୍ୟାଚ୍‌ରେ ପରାସ୍ତ କରିଥିଲା। ଭାରତର ଅର୍ଚ୍ଚନା କାମତ୍ ୩-୦ (୧୧-୬, ୧୧-୨, ୧୧-୨) ଗେମ୍‌ରେ ଦକ୍ଷିଣ ଆଫ୍ରିକାର ଦାନିସା ପଟେଲଙ୍କୁ, ଭାରତର ମାଧୁରିକା ପାଟ୍‌କର ୩-୦ (୧୧-୨, ୧୧-୫, ୧୧-୩)ରେ ଦକ୍ଷିଣ ଆଫ୍ରିକାର ପାଲେସା ମସୋଏଲିବୋଙ୍କୁ ଏବଂ ଭାରତର ସୁତୀର୍ଥା ମୁଖାର୍ଜୀ ୩-୦ (୧୧-୧, ୧୧-୪, ୧୧-୪) ଗେମ୍‌ରେ ଦକ୍ଷିଣ ଆଫ୍ରିକାର ସିମିନ୍ ମୁକ୍ରିଙ୍କୁ ପରାସ୍ତ କରିଥିଲେ। ମହିଳା ବିଭାଗରେ ଗତ ଚମ୍ପିଆନ୍‌ସିପର ସ୍ବର୍ଣ୍ଣପଦକ ବିଜେତା ସିଙ୍ଗାପୁର ମଧ୍ୟ ୨ୟ ରାଉଣ୍ଡରେ ପ୍ରବେଶ କରିଛି। ଉଭୟ ସ୍କଟ୍‌ଲାଣ୍ଡ ଓ ୱେଲ୍‌ସ ବିପକ୍ଷରେ ସିଙ୍ଗାପୁର ଉଭୟ ମ୍ୟାଚ୍ ୩-୦ରେ ଜିତିନେଇଛି। ଗ୍ରୁପ୍‌ ‘ସି’ରେ ଅଷ୍ଟ୍ରେଲିଆକୁ ୩-୧ ମ୍ୟାଚ୍‌ରେ ପରାସ୍ତକରି ମାଲେସିଆ ବିପର୍ଯ୍ୟୟ ଘଟାଇଛି। ଗ୍ରୁପ୍ ‘ଡି’ରେ ନାଇଜେରିଆ ଓ ଇଂଲଣ୍ଡ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି।
ପୁରୁଷ ବିଭାଗରେ ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡକୁ ୩-୦ ମ୍ୟାଚ୍‌ରେ ପରାସ୍ତ କରିଛି। ଭାରତ ପାଇଁ ଜି. ସତ୍ୟନ୍ ୩-୦ (୧୧-୪, ୧୧-୭, ୧୧-୮) ଗେମ୍‌ରେ ସ୍କଟ୍‌ଲାଣ୍ଡର ନିଆଲ୍‌ କାମେରନ୍‌ଙ୍କୁ ପରାସ୍ତ କରିଥିଲେ। ୨ୟ ମ୍ୟାଚ୍‌ରେ ଏ. ଶରତ କମଲ ୩-୦ (୧୧-୨, ୧୧-୬, ୧୧-୯) ଗେମ୍‌ରେ କଲିନ୍ ଡାଲ୍‌ଗ୍ଲେଇସ୍‌ଙ୍କୁ ଏବଂ ହରମିତ ଦେଶାଇ ୩-୦ (୧୧-୨, ୧୧-୬, ୧୧-୧) ଗେମ୍‌ରେ ଡାଇଲାନ୍ କରିଙ୍କୁ ପରାସ୍ତ କରିଛି। ପରେ ଶକ୍ତିଶାଳୀ ସିଙ୍ଗାପୁର ବିପକ୍ଷରେ ଭାରତ ୩-୦ ମ୍ୟାଚ୍‌ରେ ବିଜୟୀ ହୋଇଥଲା। ଭାରତର ଜି. ସତ୍ୟନ୍ ୩-୦ (୧୧-୭, ୧୧-୯, ୧୧-୮) ଗେମ୍‌ରେ ସିଙ୍ଗାପୁରର ଏନ୍ କୋଏଙ୍ଗ୍ ପାଙ୍ଗ୍‌ଙ୍କୁ, ଏ. ଶରତ କମଲ ୩-୧ (୮-୧୧, ୧୧-୫, ୧୧-୪, ୧୧-୯) ଗେମ୍‌ରେ ସିଙ୍ଗାପୁରର ଝ୍ୟୁ କ୍ଲାରେନ୍‌ସ ଚ୍ୟୁଙ୍କୁ ଏବଂ ହରମିତ ଦେଶାଇ ୩-୦ (୧୧-୪, ୧୧-୭, ୧୧-୬) ଗେମ୍‌ରେ ସିଙ୍ଗାପୁରର ସାଓ ହାନ୍ ଜୋସ୍‌ଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ବିଭାଗରେ ଇଂଲଣ୍ଡ ଗ୍ରୁପ୍ ‘ଏ’ରେ ତା’ର ୨ଟିଯାକ ମ୍ୟାଚ୍‌ ସାଇପ୍ରସ୍ ଓ ଶ୍ରୀଲଙ୍କା ବିପକ୍ଷରେ ୩-୦ରେ ଜିତି ୨ୟ ରାଉଣ୍ଡରେ ପ୍ରବେଶ କରିଛି। ଗ୍ରୁପ୍ ‘ଡି’ରେ ଅଷ୍ଟ୍ରେଲିଆ ୩-୦ ବ୍ୟବଧାନରେ ଉଭୟ ୱେଲ୍‌ସ ଓ ଦକ୍ଷିଣ ଆଫ୍ରିକାକୁ ପରାସ୍ତକରି ୨ୟ ରାଉଣ୍ଡରେ ପ୍ରବେଶ କରିଛି। ନାଇଜେରିଆ ୩-୦ ମ୍ୟାଚ୍‌ରେ ବାଂଲାଦେଶକୁ ପରାସ୍ତ କରିଛି। ଗୁରୁବାର ୨ୟ ଦିନରେ ୨ୟ ରାଉଣ୍ଡ ଲିଗ୍ ପର୍ଯ୍ୟାୟ ଖେଳାଯିବ।

Comments are closed.