ରାଜ୍ୟଗୋଷ୍ଠୀ ଟିଟି: ଭାରତୀୟ ପୁରୁଷ ଓ ମହିଳା ଦଳ ସେମିରେ

କଟକ : ଓଡ଼ିଶାମାଟିରେ ଚମକିଛନ୍ତି ଭାରତୀୟ ଟେବୁଲ ଟେନିସ୍ ଖେଳାଳି। ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଦୃଢ଼ତାର ସହ ପଦକ ଜିତିବା ଆଡ଼କୁ ଅଗ୍ରସର ହେଉଛନ୍ତି। କଟକର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡ଼ିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚମ୍ପିଆନସିପ୍‌ରେ ଭାରତର ପୁରୁଷ ଓ ମହିଳା ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ସୁପର ଏଇଟ୍‌ସ ଲିଗ୍ ପର୍ଯ୍ୟାୟରେ ୩ଟିଯାକ ମ୍ୟାଚ୍‌ ଜିତି ଭାରତର ଉଭୟ ଦଳ ଶେଷ ୪ଟି ଦଳ ମଧ୍ୟରେ ସ୍ଥାନ ସୁରକ୍ଷିତ କରି ପାରିଛନ୍ତି। କେବଳ ଏତିକି ନୁହେଁ; ପ୍ରଥମ ରାଉଣ୍ଡ ପରି ଭାରତୀୟ ପୁରୁଷ ଓ ମହିଳା ଦଳ ମଧ୍ୟ ସୁପର ଏଇଟ୍‌ସ ଲିଗ୍ ପର୍ଯ୍ୟାୟରେ ସମସ୍ତ ଲିଗ୍ ମ୍ୟାଚ୍ ସ୍ବର୍ଣ୍ଣପଦକ ଜିତିବା ପାଇଁ ଦାବିଦାର ଭାବେ ଉଭା ହୋଇଛନ୍ତି। ଉଭୟ ଦଳ ସେମାନଙ୍କ ଗ୍ରୁପ୍‌ର ପ୍ରଥମ ସ୍ଥାନରେ ରହିଛନ୍ତି। ଶୁକ୍ରବାର ଭାରତୀୟ ମହିଳା ସିଙ୍ଗାପୁର ବିପକ୍ଷରେ ସେମିଫାଇନାଲ ଖେଳିବେ। ଅନ୍ୟ ସେମିରେ ଇଂଲଣ୍ଡ-ନାଇଜେରିଆ ମୁକାବିଲା ହେବ। ଶୁକ୍ରବାର ପୁରୁଷ ସେମିଫାଇନାଲରେ ସିଙ୍ଗାପୁର ବିପକ୍ଷରେ ଭାରତ ଏବଂ ମାଲେସିଆ ବିପକ୍ଷରେ ଇଂଲଣ୍ଡ ସେମିଫାଇନାଲ ​‌‌ଖେଳିବ।
ମହିଳା ଦଳଗତ ବିଭାଗରେ ୨ୟ ସିଡ୍‌ ଭାରତୀୟ ଦଳ ସୁପର ଏଇଟ୍‌ସ ପର୍ଯ୍ୟାୟରେ ଗ୍ରୁପ୍‌ ‘ଏଫ୍‌’ରେ ସ୍ଥାନ ପାଇଥିଲା। ଗୁରୁବାର ଭାରତ ତା’ର ୩ଟି ମ୍ୟାଚ୍‌ରେ ୱେଲ୍‌ସକୁ ୩-୦ରେ, ମାଲେସିଆକୁ ୩-୦ରେ ଏବଂ ନାଇଜେରିଆକୁ ୩-୦ରେ ପରାସ୍ତ କରିଛି। ୱେଲ୍‌ସ ବିପକ୍ଷ ମ୍ୟାଚ୍‌ରେ ଭାରତ ପାଇଁ ମାଧୁରିକା ପାଟକର ୩-୧ (୫-୧୧, ୧୧-୮, ୧୧-୫, ୧୧-୮) ଗେମ୍‌ରେ ୱେଲ୍‌ସର ସାର୍ଲୋଟ୍ କ୍ୟାରିଙ୍କୁ, ଜାତୀୟ ଚମ୍ପିଆନ୍ ଅର୍ଚ୍ଚନା କାମତ୍ ୩-୦ (୧୧-୮, ୧୧-୬, ୧୧-୭) ଗେମ୍‌ରେ ୱେଲ୍‌ସର ବେଥ୍ ରିଚାର୍ଡସଙ୍କୁ ଏବଂ ଆୟହିକା ମୁଖାର୍ଜୀ ୩-୦ (୧୧-୩, ୧୧-୮, ୧୧-୭) ଗେମ୍‌ରେ ୱେଲ୍‌ସର ଲାରା ହ୍ବେଟନ୍‌ଙ୍କୁ ପରାସ୍ତ କରିଥିଲେ। ପରେ ଅପେକ୍ଷାକୃତ ମାଲେସିଆ ବିପକ୍ଷରେ ଭାରତ ଖେଳିଥିଲା। ଏଥିରେ ଭାରତ ୩-୦ ମ୍ୟାଚ୍‌ରେ ମାଲେସିଆକୁ ପରାସ୍ତ କରିଥିଲା। ଭାରତ ପାଇଁ ପ୍ରଥମ ମ୍ୟାଚ୍‌ରେ ଅର୍ଚ୍ଚନା କାମତ ୩-୦ (୧୧-୬, ୧୨-୧୦, ୧୧-୬) ଗେମ୍‌ରେ ମାଲେସିଆର ତି ଆଇ ଜିନ୍‌ଙ୍କୁ ପରାସ୍ତ କରିଥିଲେ। ପରେ ମାନିକା ବାତ୍ରା କଡ଼ା ମୁକାବିଲା ପରେ ୩-୨ (୧୩-୧୧, ୮-୧୧, ୭-୧୧, ୧୨-୧୦, ୧୧-୯) ଗେମ୍‌ରେ ମାଲେସିଆର ହୋ ୟିଙ୍ଗ୍‌ଙ୍କୁ ପରାସ୍ତ କରିଥିଲେ। ୩ୟ ମୁକାବିଲାରେ ଭାରତର ମାଧୁରିକା ପାଟ୍‌କରଙ୍କୁ ମଧ୍ୟ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିିଥିଲା। ମାଧୁରିକା ୩-୨ (୧୧-୮, ୮-୧୧, ୧୧-୨, ୬-୧୧, ୧୧-୫) ଗେମ୍‌ରେ ମାଲେସିଆର ଚାଙ୍ଗ୍ ଆଲିସ୍ ଲି ସିଆନ୍‌ଙ୍କୁ ପରାସ୍ତକରି ଭାରତକୁ ୩-୦ରେ ଜିତାଇଥିଲେ।
ପୁରୁଷ ବିଭାଗରେ ମଧ୍ୟ ଭାରତକୁ ସେମିଫାଇନାଲରେ ପହଞ୍ଚିବା ଲାଗି ବିଶେଷ ଝାଳ ବୁହାଇବାକୁ ପଡ଼ିନାହିଁ। ଭାରତ ସୁପର ଏଇଟ୍‌ସ ପର୍ଯ୍ୟାୟରେ ଗ୍ରୁପ୍ ‘ଏଫ୍‌’ର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ସହଜରେ ୩-୦ ମ୍ୟାଚ୍‌ରେ ପରାସ୍ତ କରିଥିଲା। ଭାରତ ପାଇଁ ଆଣ୍ଟୋନି ଅମଲରାଜ ୩-୦ (୧୧-୫, ୧୧-୬, ୧୧-୩) ଗେମ୍‌ରେ ଶ୍ରୀଲଙ୍କାର ବିକ୍ରମରତ୍ନଙ୍କୁ ପରାସ୍ତ କରିଥିଲେ। ପରେ ଭାରତର ଜି. ସତ୍ୟନ୍ ୩-୦ (୧୧-୫, ୧୧-୩, ୧୧-୪) ଗେମ୍‌ରେ ଶ୍ରୀଲଙ୍କାର ନିର୍ମଳ ଜୟସିଂହେଙ୍କୁ ପରାସ୍ତ କରିଥିଲେ। ୩ୟ ମ୍ୟାଚ୍‌ରେ ଯୁବ ଭାରତୀୟ ଖେଳାଳି ମାନବ ଠକ୍କର ସଂଘର୍ଷକରି ୩-୨ (୮-୧୧, ୧୧-୪, ୧୧-୮, ୧୨-୧୦, ୧୧-୧) ଗେମ୍‌ରେ ଶ୍ରୀଲଙ୍କାର ମିଲିନ୍ଦା ଲକ୍ଷିତାଙ୍କୁ ପରାସ୍ତ କରିଥିଲେ। ୨ୟ ମ୍ୟାଚ୍‌ରେ ଭାରତ ବିପକ୍ଷରେ ମାଲେସିଆର ଯୁବ ଦଳ ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ଭାରତ ଏହାକୁ ମଧ୍ୟ ୩-୦ ମ୍ୟାଚ୍‌ରେ ଜିତି ନେଇଥିଲା। ଆଣ୍ଟୋନି ଅମଲରାଜ ୩-୧ (୭-୧୧, ୧୨-୧୦, ୧୧-୭, ୧୧-୮) ଗେମ୍‌ରେ ମାଲେସିଆର ଫେଙ୍ଗ୍ ଚି ଲିଓଙ୍ଗ୍‌ଙ୍କୁ ପରାସ୍ତ କରିଥିଲେ। ୨ୟ ମ୍ୟାଚ୍‌ରେ ଭାରତର ଅଚନ୍ତ ଶରତ କମଲ ୩-୦ (୧୧-୯, ୧୧-୮, ୧୧-୬) ଗେମ୍‌ରେ ମାଲେସିଆର ମହମ୍ମଦ ରିଜାଲଙ୍କୁ ପରାସ୍ତ କରିଥିଲେ। ୩ୟ ମ୍ୟାଚ୍‌ରେ ହରମିତ ଦେଶାଇ ୩-୦ (୧୧-୨, ୧୧-୪, ୧୧-୪) ଗେମ୍‌ରେ ମାଲେସିଆର କ୍ବି ସେନ୍ ୱଙ୍ଗ୍‌ଙ୍କୁ ପରାସ୍ତ କରିଥିଲେ। ସନ୍ଧ୍ୟାରେ ୩ୟ ତଥା ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ୩-୦ରେ ୱେଲ୍‌ସକୁ ପରାସ୍ତ କରିଥିଲା। ମାନବ ଠକ୍କର ୩-୦ (୧୧-୯, ୧୧-୬, ୧୧-୩) ଗେମ୍‌ରେ ୱେଲ୍‌ସର ଡିନ୍ କ୍ୟୁଣ୍ଡିଙ୍କୁ, ଭାରତର ହରମିତ ଦେଶାଇ ୩-୦ (୧୧-୯, ୧୧-୭, ୧୧-୫) ଗେମ୍‌ରେ ୱେଲ୍‌ସର କ୍ୟାଲମ୍ ଇଭାନ୍‌ସଙ୍କୁ ଏବଂ ଏ. ଅମଲରାଜ ୩-୦ (୧୧-୫, ୧୧-୬, ୧୧-୫)ରେ ୱେଲ୍‌ସର ବେନେଡିକ୍‌ଟ ୱାଟ୍‌ସନଙ୍କୁ ପରାସ୍ତ କରିଥିଲେ।

Comments are closed.