ଚହରଙ୍କ ହାଟ୍ରିକ୍ ; ଟି-୨୦ ସିରିଜ୍ ଜିତିଲା ଭାରତ

ନାଗପୁର : କ୍ରମାଗତ ୨ୟ ବିଜୟ ସହ ବାଂଲାଦେଶ ବିପକ୍ଷରେ ଘରୋଇ ଟ୍ବେଣ୍ଟି୨୦ ସିରିଜ୍ ଜିତିନେଇଛି ଭାରତ। ରବିବାର ଏହି ମ୍ୟାଚ୍‌ରେ ଯୁବ ପେସ୍ ବୋଲର ଦୀପକ ଚହର ହାଟ୍ରିକ୍ ସହ ବିଶ୍ବରେକର୍ଡ ୭ ରନ୍‌ଦେଇ ୬ଟି ୱିକେଟ ନେବାରୁ ଭାରତ ୩୦ ରନ୍‌ରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂକରି ଭାରତ ୫ ୱିକେଟ ହରାଇ ୧୭୪ ରନ୍ କରିଥିଲା। କେ.ଏଲ୍‌. ରାହୁଲ ଓ ଶ୍ରେୟାସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏହି ସ୍କୋର୍ କରି ପାରିଥିଲା। ପରେ ଓପ୍‌ନର ମହମ୍ମଦ ନଇମ୍‌ଙ୍କ ବିସ୍ଫୋରକ ୮୧ ରନ୍‌ର ଇନିଂସ ସତ୍ତ୍ବେ ବାଂଲାଦେଶ ୪ଟି ବଲ୍‌ ବାକିଥାଇ ୧୪୪ ରନ୍‌ରେ ସମସ୍ତ ୱିକେଟ ହରାଇଥିଲା। ଦୀପକ ଚହର ଓ ଶିବମ୍ ଦୁବେ ଚମତ୍କାର ବୋଲିଂ କରିବାରୁ ଏକଦା ଭଲ ସ୍ଥିତିରେ ଥିବା ବାଂଲାଦେଶ ଦିଗହରା ହୋଇ ଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ଭାରତ କ୍ରମାଗତ ୨ୟ ବିଜୟ ସହ ୩ ମ୍ୟାଚ୍‌ର ସିରିଜ୍‌କୁ ୨-୧ରେ ଜିତିନେଇଛି। ଆସନ୍ତା ୧୪ରୁ ଉଭୟ ଦଳଙ୍କ ମଧ୍ୟରେ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳାଯିବ।
ବାଂଲାଦେଶ ୧୭୫ ରନ୍‌ର ପିଛା କରିଥିବା ବେଳେ ଦୀପକ ଚହର କ୍ରମାଗତ ୨ଟି ବଲ୍‌ରେ ୨ଟି ୱିକେଟ ନେଇଥିଲେ। ଓପ୍‌ନର ଲିଟନ୍ ଦାସ ୯ ରନ୍‌କରି ଆଉଟ ହେବା ପରେ ସୌମ୍ୟ ସରକାର ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ପରେ ଓପ୍‌ନର ମହମ୍ମଦ ନଇମ୍ ଓ ମହମ୍ମଦ ମିଠୁନ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ ଏବଂ ୩ୟ ୱିକେଟ ପାଇଁ ୧୦ ଓଭରରେ ୯୮ ରନ୍ ଯୋଗ କରିଥିଲେ। ଏହି ଭାଗିଦାରୀ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେବା ଭଳି ମନେ ହେଉଥିବା ବେଳେ ବାଂଲାଦେଶ ପୁଣିଥରେ କ୍ରମାଗତ ୨ଟି ବଲ୍‌ରେ ୨ଟି ୱିକେଟ ନେଇଥିଲେ। ମିଠୁନ୍ ୨୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୭ ରନ୍‌କରି ଆଉଟ ହୋଇଥିଲେ। ମୁସ୍‌ଫିକୁର ରହିମ୍ ପ୍ରଥମ ବଲ୍‌ରେ ବୋଲ୍‌ଡ ହୋଇଥିଲେ। ତେବେ ଭାରତ ରାସ୍ତାରେ କଣ୍ଟା ସାଜିଥିବା ମହମ୍ମଦ ନଇମ୍‌ଙ୍କୁ ଆଉଟ୍‌କରି ଭାରତକୁ ବଡ଼ ସଫଳତା ଦେଇଥିଲେ ଶିବମ୍ ଦୁବେ। ବିସ୍ଫୋରକ ଇନିଂସ ଖେଳି ନଇମ୍ ୪୮ ବଲ୍‌ରୁ ୨ଟି ଛକା ଓ ୧୦ଟି ଚୌକା ସହ ୮୧ ରନ୍ କରିଥିଲେ। ପରବର୍ତ୍ତୀ ବଲ୍‌ରେ ଆଫିଫ୍ ହୋସେନ୍‌ଙ୍କୁ ଦୁବେ ଆଉଟ କରିଥିଲେ। ୧୭ଶ ଓଭରରେ ଅଧିନାୟକ ମହମ୍ମଦୁଲ୍ଲା ୮ ରନ୍ କରି ଆଉଟ ହୋଇଯିବା ବାଂଲାଦେଶ ପାଇଁ କାଳ ହୋଇଥିଲା। ୧୮ଶ ଓଭରର ଅନ୍ତିମ ବଲ୍‌ରେ ୱିକେଟ ନେଇଥିବା ଦୀପକ ଚହର ଶେଷ ଓଭରର ପ୍ରଥମ ୨ଟି ବଲ୍‌ରେ ୱିକେଟ ନେଇ ହାଟ୍ରିକ୍ ପୂରଣ କରିଥିଲେ। ଚହର ମାତ୍ର ୭ ରନ୍‌ଦେଇ ୬ଟି ୱିକେଟ ପାଇଥିଲେ। ୭ ରନ୍‌ରେ ୬ଟି ୱିକେଟ ହେଉଛି ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ସର୍ବଶ୍ରେଷ୍ଠ ବୋଲିଂ ଫିଗର। ପୁଣି ପ୍ରଥମ ଭାରତୀୟ ଭାବେ ଟ୍ବେଣ୍ଟି୨୦ କ୍ରିକେଟରେ ଚହର ହାଟ୍ରିକ୍ ନେଇଛନ୍ତି। ଶିବମ୍ ଦୁବେ ୩ଟି ୱିକେଟ ନେଇଥିଲେ। ଦୀପକ ଚହର ଉଭୟ ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ।
ବାଂଲାଦେଶ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ଭାରତୀୟ ଅଧିନାୟକ ତଥା ପୂର୍ବ ମ୍ୟାଚ୍‌ର ହିରୋ ରୋହିତ ଶର୍ମା ୨ ରନ୍‌କରି ବିଦାୟ ନେଇଥିଲେ। ଶିଖର ଧାୱନ୍ ଓ କେ.ଏଲ୍‌. ରାହୁଲ ପରବର୍ତ୍ତୀ ୩ ଓଭରରୁ ୩୧ ରନ୍ ନେଇଥିଲେ। ବାମହାତି ଧାୱନ୍ ୧୬ ବଲ୍‌ରୁ ୪ଟି ଚୌକା ସହ ୧୯ ରନ୍‌କରି ଆଉଟ ହୋଇଥିଲେ। ୩ୟ ୱିକେଟ ଭାଗିଦାରୀ ଭାରତ ପାଇଁ ବେଶ୍ ଫଳପ୍ରସୂ ହୋଇଥିଲା। ରାହୁଲ ଓ ଶ୍ରେୟାସ ଆୟର ୭ ଓଭରରେ ୫୯ ରନ୍ ଯୋଗ କରିଥିଲେ। ଦର୍ଶନୀୟ ବ୍ୟାଟିଂ କରିଥିବା ରାହୁଲ ୩୫ ବଲ୍‌ରୁ ୭ଟି ଚୌକା ସହ ୫୨ ରନ୍‌କରି ବିଦାୟ ନେଇଥିଲେ। ଋଷଭ ପନ୍ତ୍ ପୁଣି ଏକ ସୁଯୋଗ ହାତଛଡ଼ା କରି ୬ ରନ୍‌କରି ବିଦାୟ ନେଇଥିଲେ। ଇନିଂସ ଆରମ୍ଭରୁ ଜୀବନଦାନ ପାଇଥିବା ଶ୍ରେୟାସ ଆୟର ବିସ୍ଫୋରକ ବ୍ୟାଟିଂକରି ମାତ୍ର ୩୩ ବଲ୍‌ରୁ ୫ଟି ଛକା ଓ ୩ଟି ଚୌକା ସହ ୬୨ ରନ୍‌କରି ଆଉଟ ହୋଇଥିଲେ। ଶେଷ ୩ ଓଭରରୁ ୩୦ ରନ୍ ହୋଇଥିଲା। ପାଣ୍ଡେ ୧୩ ବଲ୍‌ରୁ ୩ଟି ଚୌକା ସହ ୨୨ ରନ୍‌କରି ଅପରାଜିତ ଥିଲେ। ସଫିଉଲ୍‌ ଇସ୍‌ଲାମ୍ ଓ ସୌମ୍ୟ ସରକାର ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.