୨୦୧୯ ଘରୋଇ ସିଜିନ୍‌ରେ ଭାରତ ୫ ଟେଷ୍ଟ, ୯ ଦିନିକିଆ ଓ ୧୨ ଟି୨୦ ଖେଳିବ

ନୂଆଦିଲ୍ଲୀ : ୪ ମାସ ହେଲା କ୍ରମାଗତ କ୍ରିକେଟ ଖେଳିଆସୁଛି ଭାରତୀୟ ଦଳ। ଆଇପିଏଲ୍‌ ପରେ ବିଶ୍ବକପ୍‌ ଖେଳି ଭାରତୀୟ ଦଳ ସ୍ବଦେଶ ଫେରିଆସିଛି। ତେବେ ଦଳକୁ ବିଶ୍ରାମ ନେବା ପାଇଁ ସମୟ ନାହିଁ। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବା ପାଇଁ ଭାରତୀୟ ଦଳ ପ୍ରସ୍ତୁତ ହେଉଛି। ସେଠାରୁ ଫେରିବା ପରେ ଭାରତୀୟ ଦଳର ଏକ ବ୍ୟସ୍ତ ଘରୋଇ କାର୍ଯ୍ୟକ୍ରମ ରହିଛି। ଆସନ୍ତା ଘରୋଇ ସିଜିନ୍‌ରେ ୫ଟି ଦଳ ଭାରତ ଗସ୍ତରେ ଆସିବ। ସେମାନଙ୍କ ବିପକ୍ଷରେ ଭାରତ ଏହି ସିଜିନ୍‌ରେ ମୋଟ ୫ଟି ଟେଷ୍ଟ, ୯ଟି ଦିନିକିଆ ଓ ୧୨ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିବ।
ଘରୋଇମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ଭାରତୀୟ ଦଳ ଚଳିତ ସିଜିନ୍‌ରେ ତା’ର ଅଭିଯାନ ଆରମ୍ଭ କରିବ। ସେପ୍ଟେମ୍ବର ୧୫ରୁ ୨୨ ମଧ୍ୟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ଏହାପରେ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍‌ର ଗାନ୍ଧୀ-ମାଣ୍ଡେଲା ଟେଷ୍ଟ ସିରିଜ୍ ଅକ୍ଟୋବର ୨ରୁ ୨୯ ମଧ୍ୟରେ ଖେଳାଯିବ। ବାଂଲାଦେଶ ଦଳ ଏହାପରେ ଭାରତ ଗସ୍ତରେ ଆସିବ। ନଭେମ୍ବର ୩ରୁ ୧୦ ମଧ୍ୟରେ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍ ଖେଳାଯିବ। ପରେ ନଭେମ୍ବର ୧୪ରୁ ୨୬ ମଧ୍ୟରେ ଉଭୟ ଦଳଙ୍କ ମଧ୍ୟରେ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳାଯିବ। ୱେଷ୍ଟଇଣ୍ଡିଜ୍ ଦଳ ଏହାପରେ ଭାରତ ଗସ୍ତରେ ଆସିବ। ଡିସେମ୍ବର ୬ରୁ ୧୧ ମଧ୍ୟରେ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍ ଖେଳାଯିବ। ଏହାପରେ ଘରୋଇ ଭାରତ ବିପକ୍ଷରେ ଇଣ୍ଡିଜ୍ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍ ଖେଳିବ। ଡିସେମ୍ବର ୧୫ରେ ଆରମ୍ଭହେବାକୁ ଥିବା ଏହି ସିରିଜ୍‌ର ୩ୟ ତଥା ଅନ୍ତିମ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଡିସେମ୍ବର ୨୨ରେ ଖେଳାଯିବ। ପରେ ଦୁର୍ବଳ ଜିମ୍ବାୱେ ଦଳ ଭାରତ ଗସ୍ତରେ ଆସି ଜାନୁୟାରୀ ୫ରୁ ୧୦ ମଧ୍ୟରେ ମାତ୍ର ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିବ। ପରେ ଅଷ୍ଟ୍ରେଲିଆ ଦଳ ଭାରତ ଆସି ଜାନୁୟାରୀ ୧୪ରୁ ୧୯ ମଧ୍ୟରେ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍ ଖେଳିବ। ଆସନ୍ତା ସିଜିନ୍‌ରେ ଭାରତର ପ୍ରଥମ ବିଦେଶ ଗସ୍ତ ହେବ ନ୍ୟୁଜିଲାଣ୍ଡକୁ। ବିଶ୍ବକପ୍ ରନର୍ସଅପ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଜାନୁୟାରୀ ୨୪ରୁ ଫେବୃୟାରୀ ୨ ମଧ୍ୟରେ ଭାରତ ୫ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ର ସିରିଜ୍ ଖେଳିବ। ଫେବୃୟାରୀ ୫ରୁ ୧୧ ମଧ୍ୟରେ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍ ଖେଳାଯିବ। ଫେବୃୟାରୀ ୨୧ରୁ ମାର୍ଚ୍ଚ ୪ ମଧ୍ୟରେ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବ। ଆସନ୍ତା ସିଜିନ୍‌ରେ ଦକ୍ଷିଣ ଆଫ୍ରିକା ଦଳ ୨ୟ ଥର ପାଇଁ ଭାରତ ଗସ୍ତରେ ଆସିବ। ମାର୍ଚ୍ଚ ୧୨ରୁ ୧୮ ମଧ୍ୟରେ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍ ଖେଳାଯିବ।

Comments are closed.