ଭାରତ-ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆ ଆଜି

ପୋର୍ଟ ଅଫ୍ ସ୍ପେନ୍ : ପ୍ରଥମ ଦିନିକିଆ ବର୍ଷାରେ ଧୋଇଯିବା ପରେ ୨ୟ ଦିନିକିଆରେ ବର୍ଷା ସାମାନ୍ୟ ବାଧକ ସାଜିଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତା’ର ପ୍ରାଧାନ୍ୟ ଜାହିର କରି ପାରିଥିଲା। ବିରାଟ କୋହଲି ଶତକ ହାସଲ କରିଥିବା ବେଳେ ଭୁବନେଶ୍ବର କୁମାର ୪ଟି ୱିକେଟ ନେଇ ଭାରତକୁ ଜିତାଇଥିଲେ। ଏହି ବିଜୟ ଫଳରେ ଭାରତ ନିଶ୍ଚିତ କରିଛି ଯେ ସିରିଜ୍‌ରେ ଏହାର ପରାଜୟ ଅସମ୍ଭବ। ୱେଷ୍ଟଇଣ୍ଡିଜ୍ ୩ୟ ତଥା ଅନ୍ତିମ ମ୍ୟାଚ୍ ଜିତିଲେ ବି ଏହା ସିରିଜ୍ ଡ୍ର ରଖିପାରିବ; ଜିତିବା ସମ୍ଭବନୁହେଁ। ବୁଧବାର ଏଠାରେ ଉଭୟ ଦଳଙ୍କ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ୍ ଖେଳାଯିବ। ଫର୍ମରେ ଥିବା ଭାରତ ଏହି ମ୍ୟାଚ୍ ଜିତି ଆଉ ଏକ ସିରିଜ୍ ଜିତିବାକୁ ଚାହିଁବ। ଅନ୍ୟପକ୍ଷରେ ଭାରତକୁ ସିରିଜ୍ ବିଜୟରୁ ବଞ୍ଚିତ କରିବା ପାଇଁ ଘରୋଇ ୱେଷ୍ଟଇଣ୍ଡିଜ୍ ଜିତିବାକୁ ସମସ୍ତ ପ୍ରୟାସ କରିବ।
ଭାରତୀୟ ଦଳ ଏହି ସିରିଜ୍ ବିଜୟୀ ହୋଇନଥିବାରୁ ବୁଧବାର ୩ୟ ଦିନିକିଆରେ ଚୂଡ଼ାନ୍ତ ଏକାଦଶରେ ବିଶେଷ ପରିବର୍ତ୍ତନ କରିବାର ସମ୍ଭାବନା କମ୍। ତଥାପି ବାମହାତି ପେସ୍ ବୋଲର ଖଲିଲ ଅହମ୍ମଦଙ୍କ ସ୍ଥାନରେ ଯୁବ ପେସ୍ ବୋଲର ନବଦୀପ ସୈନିଙ୍କୁ ଖେଳାଇବା କଥା ଭାରତ ଚିନ୍ତା କରିପାରେ। ଟ୍ବେଣ୍ଟି୨୦ ସିରିଜ୍‌ରେ ନବଦୀପ ଚମତ୍କାର ବୋଲିଂ କରିଥିଲେ। ଭାରତୀୟ ଖେଳାଳିଙ୍କ ମଧ୍ୟରୁ ସବୁଠାରୁ ଅଧିକ ଚାପରେ ରହିବେ ଓପ୍‌ନର ଶିଖର ଧାୱନ। କ୍ରମାଗତ ୪ଟି ମ୍ୟାଚ୍‌ରେ ବିଫଳ ହୋଇଥିବା ଧାୱନ ଏକ ବଡ଼ ସ୍କୋର୍ ସହ ଫର୍ମକୁ ଫେରିବାକୁ ଚାହିଁବେ। ଟ୍ବେଣ୍ଟି୨୦ ସିରିଜ୍‌ରେ ୧, ୨୩, ୩ ରନ୍ କରିଥିବା ଧାୱନ୍ ୨ୟ ଦିନିକିଆରେ ୨ ରନ୍ କରି ପାରିଥିଲେ। ଟେଷ୍ଟ ଦଳରେ ନଥିବା ଧାୱନ ଏକ ବଡ଼ ସ୍କୋର୍ ସହ ୱେଷ୍ଟଇଣ୍ଡିଜ୍‌ରୁ ବିଦାୟ ନେବାକୁ ଚାହିଁବେ। ୨ୟ ଦିନିକିଆ ମ୍ୟାଚ୍‌ରେ ଅଧିନାୟକ କୋହଲି ଶତକ ମାରିଥିଲେ। ଭାରତ ଦିନିକିଆ ଦଳ ପାଇଁ ସ୍ଥାୟୀ ୪ନଂ ବ୍ୟାଟ୍‌ସମ୍ୟାନ୍ ଖୋଜୁଥିବା ବେଳେ ୨ୟ ମ୍ୟାଚ୍‌ରେ ଶ୍ରେୟସ ଆୟରଙ୍କ ପ୍ରଦର୍ଶନ ଦଳକୁ ଉତ୍ସାହିତ କରିଛି। ଆୟର ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ରନ୍‌ଗତି ମଧ୍ୟ ବଜାୟ ରଖିଥିଲେ। ତେବେ ସୁଯୋଗ ପାଇବା ସତ୍ତ୍ବେ ଋଷଭ ପନ୍ତ୍ ୱିକେଟ ଫିଙ୍ଗିବା ଦଳକୁ ନିରାଶ କରିଛି। ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିରେ ପନ୍ତ୍ ଏହି ସୁଯୋଗର ସଦ୍‌ବ୍ୟବହାର କରିବେ ବୋଲି ଆଶା କରା ଯାଉଥିଲେ ହେଁ ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍‌କୁ ଛାଡ଼ି ପନ୍ତ୍ ବଡ଼ ସ୍କୋର୍ କରି ପାରିନାହାନ୍ତି। ତେବେ ଦଳର ସମର୍ଥନ ପନ୍ତ୍‌ଙ୍କ ପଛରେ ରହିଛି। ତଥାପି ଆୟରଙ୍କୁ ୪ନଂ ସ୍ଥାନରେ ଖେଳାଇ ପନ୍ତ୍‌ଙ୍କୁ ୫ନଂ ସ୍ଥାନକୁ ଭାରତ ଆଣିପାରେ। ତେବେ ଭାରତୀୟ ବୋଲର ଏହି ଗସ୍ତରେ ସମସ୍ତ ମ୍ୟାଚ୍‌​‌େ​‌ର ଚମତ୍କାର ବୋଲିଂ କରିଛନ୍ତି। ବିଶେଷକରି ନୂଆବଲ୍‌ରେ ଭୁବନେଶ୍ବର କୁମାର ଓ ମହମ୍ମଦ ସାମି ପ୍ରତିପକ୍ଷ ବ୍ୟାଟ୍‌ସମ୍ୟାନଙ୍କୁ କୌଣସି ସୁଯୋଗ ଦେଇନାହାନ୍ତି।
ୱେଷ୍ଟଇଣ୍ଡିଜ୍ ପାଇଁ ସର୍ବାଧିକ ଦିନିକିଆ ରନ୍ ସ୍କୋର୍ କରିଥିବା କ୍ରିସ୍ ଗେଲ୍‌ ଜୀବନର ଅନ୍ତିମ ଦିନିକିଆ ସିରିଜ୍ ଖେଳୁଥିବା ବେଳେ ଅନ୍ତିମ ମ୍ୟାଚ୍‌ରେ ସେ ନିଜର ଛାପ ଛାଡ଼ିବାର ପ୍ରୟାସ କରିବେ। ଏଭିନ୍ ଲୁଇସ୍, ସିମ୍ରନ୍ ହେତ୍‌ମେୟର ଓ ନିକୋଲାସ୍ ପୁରନ୍ ୨ୟ ଦିନିକିଆରେ ଭଲ ବ୍ୟାଟିଂ କରିଥିଲେ ହେଁ ବଡ଼ ସ୍କୋର୍ କରି ପାରିନଥିଲେ। ଭାରତକୁ ପରାସ୍ତ କରିବାକୁ ହେଲେ ଏହି ୩ ବ୍ୟାଟ୍‌ସମ୍ୟାନଙ୍କ ସହ ସାଇ ହୋପ୍‌ ଓ କ୍ରିସ୍ ଗେଲ୍‌ଙ୍କୁ ବଡ଼ ସ୍କୋର୍ କରିବାକୁ ପଡ଼ିବ। ଦୁଇ ଅଲ୍‌ରାଉଣ୍ଡର ରୋଷ୍ଟନ୍ ଚେଜ୍ ଓ ଅଧିନାୟକ କାର୍ଲୋସ ବ୍ରାଥ୍‌ୱେଟ୍‌ ତଳଅର୍ଡରରେ ଯୋଗଦାନ କରିପାରିବେ। ୱେଷ୍ଟଇଣ୍ଡିଜ୍ ତା’ର ବୋଲିଂ ବିଭାଗରେ ଗୋଟିଏ ପରିବର୍ତ୍ତନ କରିପାରେ। ପେସ୍ ବୋଲର ଓସାନେ ଥମାସ୍‌ଙ୍କ ସ୍ଥାନରେ କିମୋ ପଲ୍‌ ଖେଳିପାରନ୍ତି। ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କୁ ରୋକିବାକୁ ହେଲେ ୱେଷ୍ଟଇଣ୍ଡିଜ୍ ବୋଲରଙ୍କୁ ଶୃଙ୍ଖଳିତ ପ୍ରଦର୍ଶନ କରିବାକୁ ପଡ଼ିବ।
ଆଜି (ବୁଧବାର)ର ମ୍ୟାଚ୍
ଭାରତ-ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆ
ଚ୍ୟାନେଲ: ସୋନି ଟେନ୍-୧ ଓ ଟେନ୍-୩; ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ

Comments are closed.