ଶ୍ରୀଲଙ୍କାକୁ ହରାଇଲା ଭାରତ

0

କଲମ୍ବୋ : ନିଦାହାସ୍‌ ଟ୍ରଫି ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ୪ର୍ଥ ଲିଗ୍‌ ମ୍ୟାଚରେ ଶ୍ରୀଲଙ୍କାକୁ ୬ ୱିକେଟରେ ହରାଇ ଭାରତ ୨ୟ ବିଜୟ ହାସଲ କରିଛି । ବର୍ଷା ଯୋଗୁ ମ୍ୟାଚକୁ ୧୯ ଓଭର ବିଶିଷ୍ଟ କରାଯାଇଥିଲା । ପ୍ରଥମେ ବ୍ୟାଟିଂ କରି କୁଶଳ ମେଣ୍ଡିସ୍‌ଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୧୯ ଓଭରରେ ଶ୍ରୀଲଙ୍କା ୯ ୱିକେଟ ହରାଇ ୧୫୨ ରନ୍‌ କରିଥିଲା । ଭାରତ ୧୭.୩ ଓଭରରେ ୪ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା ।

ଭାରତର ଓପନର ତଥା ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚରେ ପୁଣି ଥରେ ରନ୍‌ ସଂଗ୍ରହ କରିବାରେ ବିଫଳ ହୋଇଛନ୍ତି । ସେ ମାତ୍ର ୧୧ ରନ କରି ଧନଞ୍ଜୟଙ୍କ ଓଭରରେ ଆଉଟ ହୋଇଥିଲେ । ଭାରତ ପକ୍ଷରୁ ଶିଖର ଧାୱନ ୮, କେଲ ରାହୁଲ ୧୮, ସୁରେଶ ରାଇନା ୨୭, ଏମ୍‌କେ ପାଣ୍ଡେ ଅପରାଜିତ ୪୨, ଦିନେଶ କାର୍ତ୍ତିକ ଅପରାଜିତ ୩୯ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଧନଞ୍ଜୟ ୨ଟି ୱିକେଟ ନେଇଥିଲେ ।

ଝିପିିଝିପି ବର୍ଷା ଓ ଓଦା ପଡ଼ିଆ ଯୋଗୁଁ ୧ ଘଣ୍ଟା ୨୦ ମିନିଟ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ତେଣୁ ଏହି ମ୍ୟାଚ୍‌ ୧୯ ଓଭରର ହୋଇଥିଲା। ଟସ୍‌ ଜିତି ଆଶା ଅନୁସାରେ ଶ୍ରୀଲଙ୍କା ବ୍ୟାଟିଂ ନେଇଥିଲା। ପ୍ରଥମ ୨ଟି ବଲ୍‌ରୁ ୧୧ ରନ୍‌ନେଇ ଶ୍ରୀଲଙ୍କା ଇନିଂସ ଆରମ୍ଭ କରିଥିଲା। ୨ ଓଭରରେ ୨୪ ରନ୍‌ ହେବା ପରେ ଦନୁଷ୍କା ଗୁଣତିଳକ ଆଉଟ ହୋଇ ଯାଇଥିଲେ। ଏହି ଓପ୍‌ନର ୮ ବଲ୍‌ରୁ ୧୭ ରନ୍‌ କରିଥିଲେ। ଗତ ୨ଟି ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ବାମହାତି କୁଶଳ ପରେରା (୩)ଙ୍କୁ ଆଉଟ୍‌କରି ଭାରତକୁ ବଡ଼ ସଫଳତା ଦେଇଥିଲେ ଯୁବ ଅଫ୍‌ସ୍ପିନର ୱାଶିଂଟନ ସୁନ୍ଦର। ପରେ ଓପ୍‌ନର କୁଶଳ ମେଣ୍ଡିସ୍‌ ଓ ଅଭିଜ୍ଞ ଉପୁଲ ତରଙ୍ଗା ଚମତ୍କାର ବ୍ୟାଟିଂକରି ସାଢ଼େ ୭ ଓଭରରୁ ୬୨ ରନ୍‌ ଯୋଗ କରିଥିଲେ। ତରଙ୍ଗା ଜଗିରଖି ଖେଳିଥିବା ବେଳେ ଫର୍ମରେ ଥିବା କୁଶଳ ମେଣ୍ଡିସ୍‌ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ତରଙ୍ଗା ୨୪ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୨ ରନ୍‌କରି ଆଉଟ ହୋଇଥିଲେ। ଏହାସହ ୨୪ ରନ୍‌ରେ ଶ୍ରୀଲଙ୍କା ୪ଟି ୱିକେଟ ହରାଇଥିଲା। ଏହି ମ୍ୟାଚ୍‌ରେ ନେତୃତ୍ୱ ନେଇଥିବା ତିସାରା ପରେରା ସମ୍ମୁଖୀନ ହୋଇଥିବା ପ୍ରଥମ ୨ଟି ବଲ୍‌କୁ ଛକାମାରିବା ପରେ ୧୫ ରନ୍‌କରି ବିଦାୟ ନେଇଥିଲେ। ପରେ ଜୀବନ ମେଣ୍ଡିସ୍‌ ୧ ରନ୍‌କରି ବିଦାୟ ନେଇଥିଲେ। ଗତ ୫ଟି ଟ୍ୱେଣ୍ଟି୨୦ ଇନିଂସରେ ୪ର୍ଥ ଅର୍ଦ୍ଧଶତକ ମାରିଥିବା କୁଶଳ ମେଣ୍ଡିସ୍‌ ୩୮ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୫୫ ରନ୍‌କରି ଆଉଟ ହୋଇଥିଲେ। ପରେ ଆକିଲା ଧନଞ୍ଜୟ ୫ ରନ୍‌କରି ବିଦାୟ ନେଇଥିଲେ। ତେବେ ଶେଷଆଡ଼କୁ ଦାସୁନ୍‌ ଶନକଙ୍କ ପ୍ରୟାସ ଯୋଗୁଁ ଶ୍ରୀଲଙ୍କାର ସ୍କୋର୍‌ ଦେଢ଼ଶହ ରନ୍‌ ଅତିକ୍ରମ କରି ପାରିଥିଲା। ଶନକ ୧୬ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୯ ରନ୍‌ କରିଥିଲେ। ସାର୍ଦ୍ଦୁଳ ଠାକୁର ୪ଟି ଓ ୱାଶିଂଟନ ସୁନ୍ଦର ୨ଟି ୱିକେଟ ପାଇଥିଲେ।

Leave A Reply