ଭାରତର ବ୍ୟାଟିଂ ବିଫଳ; ଅଷ୍ଟ୍ରେଲିଆ ସିରିଜ୍ ଜିତିଲା

0

ନୂଆଦିଲ୍ଲୀ : ୨୦୦୯ ପରେ ଅଷ୍ଟ୍ରେଲିଆଠାରୁ ଘରୋଇ ଦିନିକିଆ ସିରିଜ୍ ହାରିଛି ଭାରତ। ପୁଣି ୦-୨ରେ ପଛୁଆ ରହିବା ପରେ ଏକ ୫ ମ୍ୟାଚ୍‌ର ଦିନିକିଆ ସିରିଜ୍ ଜିତିଛି ଅଷ୍ଟ୍ରେଲିଆ। ବୁଧବାର ୫ମ ତଥା ଅନ୍ତିମ ଦିନିକିଅା ମ୍ୟାଚ୍‌ରେ ସମସ୍ତ ବିଭାଗରେ ପ୍ରାଧାନ୍ୟ ବିସ୍ତାରକରି ଭାରତକୁ ୩୫ ରନ୍‌ରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ଏହାସହ ଦିନିକିଆ ସିରିଜ୍‌କୁ ୩-୨ରେ ଅଷ୍ଟ୍ରେଲିଆ ଜିତିନେଇଛି। ଘରୋଇମାଟିରେ ସିରିଜ୍ ପରାଜୟର ପ୍ରତିଶୋଧ ଅଷ୍ଟ୍ରେଲିଆ ନେଇପାରିଛି। ଭାରତ ପ୍ରଥମ ୨ଟି ମ୍ୟାଚ୍ ଜିତିଥିବା ବେଳେ କ୍ରମାଗତ ୩ଟି ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ସିରିଜ୍ ହାତେଇ ନେଇଛି। ସିରିଜ୍‌ରେ ଉସ୍‌ମାନ ଖାୱଜା ୨ୟ ଶତକ ଏହି ମ୍ୟାଚ୍‌ରେ ମାରିଥିଲେ। ତେବେ ୧/୧୭୫ ରନ୍ ସ୍ଥିତିରେ ଥିବା ଅଷ୍ଟ୍ରେଲିଆକୁ ୨୭୨ ରନ୍‌ରେ ରୋକି ପାରିଥିଲେ ଭାରତୀୟ ବୋଲର। ପ​‌େ​‌ର ଭାରତୀୟ ବ୍ୟାଟିଂ ବିଫଳ ହେବାରୁ ଶେଷ ବଲ୍‌ରେ ୨୩୭ ରନ୍‌କରି ଭାରତ ଅଲ୍‌ଆଉଟ ହୋଇଥିଲା। ୨୦୧୫ ପରେ ଏହା ଭାରତର ପଥମ ଘରୋଇ ଦନିକିଆ ସିରିଜ୍ ପରାଜୟ।
୨୭୩ ରନ୍‌ର ପିଛା କରିଥିବା ଭାରତ ଶହେ ରନ୍ କରିବା ପୂର୍ବରୁ ୩ଟି ୱିକେଟ ହରାଇଥିଲା। ୧୨ ରନ୍‌କରି ଶିଖର ଧାୱନ ଆଉଟ ହୋଇଥିଲେ। ପରେ ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲି ୨ୟ ୱିକେଟ ପାଇଁ ୫୩ ରନ୍ ଯୋଗ କରିଥିଲେ। ତେବେ ଷ୍ଟୋଇନିସ୍‌ଙ୍କ ଏକ ଚମତ୍କାର ବଲ୍‌ରେ କୋହଲି ୱିକେଟ ପଛରେ କ୍ୟାଚ୍ ଦେଇଥିଲେ। କୋହଲି ୨୨ ବଲ୍‌ରୁ ୨ଟି ଚୌକା ସହ ୨୦ ରନ୍ କରିଥିଲେ। ଋଷଭ ପନ୍ତ୍ ୧୬ ରନ୍‌କରି ବିଦାୟ ନେଇଥିଲେ। ବିଜୟ ଶଙ୍କର ଏକ ଛକା ମାରିବାର ପରବର୍ତ୍ତୀ ବଲ୍‌ରେ ସମାନ ସଟ୍ ଖେଳି ୱିକେଟ ଫିଙ୍ଗିଥିଲେ। ଶଙ୍କର ୧୬ ରନ୍ କରିଥିଲେ। ରୋହିତ ଶର୍ମା ଅର୍ଦ୍ଧଶତକ ପୂରଣ କରିବା ପରେ କ୍ରମାଗତ ୨ ଓଭରରେ ତାଙ୍କର ୨ଟି କ୍ୟାଚ୍ ହାତଛଡ଼ା ହୋଇଥିଲା। ଏହାସତ୍ତ୍ବେ ସେ ଦାୟିତ୍ବହୀନ ସଟ୍ ମାରି ବିଦାୟ ନେଇଥିଲେ। ରୋହିତ ୮୯ ବଲ୍‌ରୁ ୪ଟି ଚୌକା ସହ ୫୬ ରନ୍ କରିଥିଲେ। ୩ଟି ବଲ୍ ପରେ ରବୀନ୍ଦ୍ର ଜାଡ଼େଜା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ୧୩୨ ରନ୍‌ରେ ୬ଟି ୱିକେଟ ପଡ଼ିଯିବା ପରେ ଭୁବନେଶ୍ବର କୁମାର ଓ କେଦାର ଯାଦବ ୭ମ ୱିକେଟ ପାଇଁ ଲଢ଼ୁଆ ବ୍ୟାଟିଂକରି ୯୧ ରନ୍ ଯୋଡ଼ିଥିଲେ। କ୍ରମାଗତ ୨ଟି ବଲ୍‌ରେ ଦୁହେଁ ଆଉଟ ହେବା ସହ ଭାରତର ପରାଜୟ ନିଶ୍ଚିତ ହୋଇଥିଲା। ଭୁବନେଶ୍ବର ୫୪ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୪୬ ଏବଂ କେଦାର ୫୭ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୪ ରନ୍ କରିଥିଲେ। ଆଡାମ୍ ଜାମ୍ପା ୩ଟି ଏବଂ ପ୍ୟାଟ୍ କମିନ୍‌ସ, ଝାଏ ରିଚାର୍ଡସନ୍ ଓ ମାର୍କସ ଷ୍ଟୋଇନିସ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଖାୱାଜା ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ସିରିଜ୍ ହୋଇଥିଲେ।
ଅଷ୍ଟ୍ରେଲିଅା ଇନିଂସରେ ୨ଟି ପର୍ଯ୍ୟାୟ ଦେଖିବାକୁ ମିଳିଥିଲା। ପ୍ରଥମ ପର୍ଯ୍ୟାୟ ଥିଲା ପ୍ରଥମ ୩୩ ଓଭର; ଯେଉଁଥିରେ ୧ ୱିକେଟରେ ୧୭୫ ରନ୍ ହୋଇଥିଲା। ତେବେ ୨ୟ ପର୍ଯ୍ୟାୟର ୧୭ ଓଭରରେ ୯୭ ରନ୍‌ରେ ୮ଟି ୱିକେଟ ପଡ଼ିଥିଲା। ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେବା ପରେ ଅଷ୍ଟ୍ରେଲିଆର ଓପ୍‌ନର ଚମତ୍କାର ଢଙ୍ଗରେ ଇନିଂସ ଆରମ୍ଭକରି ୧୫ ଓଭର ପୂରିବା ପୂର୍ବରୁ ୭୬ ରନ୍ ସ୍କୋର୍ କରିଥିଲେ। ଅଧିନାୟକ ଆରୋନ୍ ଫିଞ୍ଚ୍ ୪୩ ବଲ୍‌ରୁ ୪ଟି ଚୌକା ସହ ୨୭ ରନ୍ କରିଥିଲେ। ଗତ ମ୍ୟାଚ୍ ପରି ଏହି ମ୍ୟାଚ୍‌ରେ ପିଟର ହ୍ୟାଣ୍ଡସକମ୍ବ୍ ଓ ଉସ୍‌ମାନ ଖାୱାଜା ଚମତ୍କାର ଭାଗିଦାରୀ କରିଥିଲେ। ୩୨ତମ ଓଭରରେ ଶତକ ପୂରଣ କରିବା ପରେ ଖାୱାଜା ଆଉଟ ହେବା ସହ ଭାରତ ମ୍ୟାଚ୍‌କୁ ଫେରିଥିଲା। ସିରିଜ୍‌ର ସଫଳତମ ବ୍ୟାଟ୍‌ସମ୍ୟାନ୍ ଖାୱାଜା ୧୦୬ ବଲ୍‌ ଖେଳି ୨ଟି ଛକା ଓ ୧୦ଟି ଚୌକା ସହ ୧୦୦ ରନ୍ କରିଥିଲେ। ପର ଓଭରରେ ଗ୍ଲେନ୍ ମ୍ୟାକ୍ସୱେଲ ୧ ରନ୍‌କରି ବିଦାୟ ନେଇଥିଲେ। ୩ ଓଭର ପରେ ହ୍ୟାଣ୍ଡସକମ୍ବ୍ ୬୦ ବଲ୍‌ରୁ ୪ଟି ଚୌକା ସହ ୫୨ ରନ୍‌କରି ଆଉଟ ହୋଇ ଯାଇଥିଲେ। ୭ ରନ୍ ମଧ୍ୟରେ ୪ଟି ୱିକେଟ ନେଇ ଭାରତୀୟ ବୋଲର ଉତ୍ସାହିତ ଥିଲେ। ତେବେ ମାର୍କସ ଷ୍ଟୋଇନିସ୍ ଓ ଗତ ମ୍ୟାଚ୍‌ର ହିରୋ ଆଷ୍ଟନ ଟର୍ନର ୨୮ ରନ୍ ଯୋଡ଼ିଥିଲେ। କ୍ରମାଗତ ୨ୟ ଛକାମାରିବା ପ୍ରୟାସରେ ଟର୍ନର ବାଉଣ୍ଡରୀରେ କ୍ୟାଚ୍ ଦେଇଥିଲେ। ଟର୍ନର ୨୦ ବଲ୍‌ରୁ ୨୦ ରନ୍ କରିଥିଲେ। ପରେ ଷ୍ଟୋଇନିସ୍ ୨୭ ବଲ୍‌ରୁ ୨୦ ରନ୍‌କରି ବିଦାୟ ନେଇଥିଲେ। ତେବେ କ୍ରମାଗତ ୨ ଓଭରରେ ୩୦ ରନ୍‌ ନେଇଥିଲେ ଝାଏ ରିଚାର୍ଡସନ୍ ଓ ପ୍ୟାଟ୍‌ କମିନ୍‌ସ। ୮ ବଲ୍‌ରୁ ୨ଟି ଚୌକା ସହ କମିନ୍‌ସ ୧୫ ଓ ରିଚାର୍ଡସନ୍ ୨୧ ବଲ୍‌ରୁ ଦ୍ରୁତ ୨୯ ରନ୍ କରିଥିଲେ। ଭୁବନେଶ୍ବର ୩ଟି ଏବଂ ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡ଼େଜା ୨ଟି ଲେଖାଏଁ ୱିକେଟ ପାଇଥିଲେ।

Leave A Reply