ଭାରତ ୨ୟକୁ ଉନ୍ନୀତ; କୋହଲି, ବୁମ୍‌ରା ଶୀର୍ଷରେ ସ୍ଥିର

0

ଦୁବାଇ : ଆଇସିସି ପକ୍ଷରୁ ସୋମବାର ଦିନିକିଆ ଫର୍ମାଟ୍‌ରେ ମାନତା ତାଲିକା ପ୍ରକାଶ ପାଇଛି। ବିରାଟ କୋହଲି ଓ ଯଶପ୍ରୀତ ବୁମ୍‌ରା ଯଥାକ୍ରମେ ବ୍ୟାଟସମ୍ୟାନ ଓ ବୋଲରଙ୍କ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅପରପକ୍ଷରେ ସଦ୍ୟସମାପ୍ତ ଦିନିକିଆ ସିରିଜରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାପରେ ଭାରତ ଦଳଗତ ତାଲିକାରେ ଗୋଟିଏ ପାହ୍ୟା ଉପରକୁ ଉଠି ୨ୟ ସ୍ଥାନରେ ପହଞ୍ଚଛି।
ବ୍ୟାଟସମ୍ୟାନଙ୍କ ତାଲିକାରେ କୋହଲି ୮୮୭ ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ତାଙ୍କ ପଛକୁ ରୋହିତ ଶର୍ମା (୮୫୪) ୨ୟ ଓ ନ୍ୟୁଜିଲାଣ୍ଡର ରସ୍‌ ଟେଲର (୮୨୧) ୩ୟ ସ୍ଥାନରେ ରହିଛନ୍ତି। ଶ୍ରେଷ୍ଠ ଦଶ ତାଲିକାରେ ଅନ୍ୟତମ ଭାରତୀୟଭାବେ ଶିଖର ଧାୱନ (୭୪୪) ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଉନ୍ନତ ପ୍ରଦର୍ଶନ ଯୋଗୁଁ ମହେନ୍ଦ୍ର ସିଂହ ଧୋନି ତିନିଟି ପାହ୍ୟା ଉପରକୁ ଉଠି ତାଲିକାର ୧୭ଶ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ କେଦାର ଯାଦବ ଆଠଟି ପାହ୍ୟା ଉପରକୁ ଉଠି ୩୫ଶ ସ୍ଥାନରେ ଉପନୀତ ହୋଇଛନ୍ତି। ବୋଲରଙ୍କ ତାଲିକାରେ ଯଶପ୍ରୀତ ବୁମ୍‌ରା ୮୦୮ ପଏଣ୍ଟ ସହ ଶୀର୍ଷରେ ସ୍ଥିର ଥିବାବେଳେ ତାଙ୍କ ପଛକୁ ଆଫଗାନିସ୍ତାନର ସ୍ପିନର ରସିଦ ଖାନ୍‌ (୭୮୮) ୨ୟ ସ୍ଥାନରେ ରହିଛନ୍ତି। ଭାରତ ବିପକ୍ଷ ଦିନିକିଆ ସିରିଜରେ ୧୨ଟି ୱିକେଟ ଅକ୍ତିଆର କରିଥିବା ନ୍ୟୁଜିଲାଣ୍ଡର ବାମହାତି ଫାଷ୍ଟ ବୋଲର ଟ୍ରେଣ୍ଟ ବୋଲ୍‌ଟ (୭୩୨) ତାଲିକାର ୩ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଭାରତୀୟ ଲେଗ୍‌ ସ୍ପିନର ୟୁଜ୍‌ବେନ୍ଦ୍ର ଚହଲ ଓ ଫାଷ୍ଟ ବୋଲର ଭୁବନେଶ୍ବର କୁମାରଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ଘଟିଛି। ଚହଲ (୭୦୯) ଗୋଟିଏ ପାହ୍ୟା ଉପରକୁ ଉଠି ୫ମ ସ୍ଥାନରେ ଓ ଭୁବନେଶ୍ବର ଛଅଟି ପାହ୍ୟା ଉପରକୁ ଉଠି ୧୭ଶ ସ୍ଥାନରେ ପହଞ୍ଚିଛନ୍ତି। ବାମହାତି ଚାଇନାମ୍ୟାନ ବୋଲର କୁଲଦୀପ ଯାଦବ (୭୧୯) ତାଲିକାରେ ୪ର୍ଥ ସ୍ଥାନ ବଜାୟ ରଖିଛନ୍ତି। ଶ୍ରେଷ୍ଠ ଦଶ ତାଲିକାରେ ଭାରତର ତିନିଜଣ ବୋଲର ସ୍ଥାନ ପାଇଛନ୍ତି।
ଦିନିକିଆ ଅଲରାଉଣ୍ଡର ତାଲିକାରେ ଆଫଗାନିସ୍ତାନର ରସିଦ ଖାନ୍‌ (୩୫୩) ଶୀର୍ଷରେ ଥିବାବେଳେ ବାଂଲାଦେଶର ସାକିବ ଅଲ୍‌ ହାସାନ (୩୫୩) ୨ୟ ଓ ଆଫଗାନିସ୍ତାନର ମହମ୍ମଦ ନବି (୩୩୭) ୩ୟ ସ୍ଥାନରେ ରହିଛନ୍ତି। ଏହି ତାଲିକାର ଶ୍ରେଷ୍ଠ ଦଶ ମଧ୍ୟରେ କୌଣସି ଭାରତୀୟ ଖେଳାଳି ସ୍ଥାନ ପାଇନାହାନ୍ତି। ତେବେ ଶ୍ରେଷ୍ଠ ଭାରତୀୟଭାବେ କେଦାର ଯାଦବ ୧୬ଶ, ହାର୍ଦ୍ଦିକ ପାଣ୍ଡ୍ୟା ୧୭ଶ ଓ କୁଲଦୀପ ଯାଦବ ୧୯ଶ ସ୍ଥାନରେ ରହିଛନ୍ତି।
ଦିନିକିଆ ଦଳଗତ ତାଲିକାରେ ଇଂଲଣ୍ଡ ୧୨୬ ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ଭାରତ (୧୨୨) ୨ୟ ଓ ଦକ୍ଷିଣ ଆଫ୍ରିକା (୧୧୧) ୩ୟ ସ୍ଥାନରେ ରହିଛି। ଭାରତ ନିକଟରୁ ସିରିଜ ହାରିବାପରେ ନ୍ୟୁଜିଲାଣ୍ଡ (୧୧୧) ଗୋଟିଏ ପାହ୍ୟା ତଳକୁ ଖସି ୪ର୍ଥ ସ୍ଥାନରେ ଉପନୀତ ହୋଇଛି। ନ୍ୟୁଜିଲାଣ୍ଡ ପଛକୁ ପାକିସ୍ତାନ (୧୦୨) ୫ମ, ଅଷ୍ଟ୍ରେଲିଆ (୧୦୦) ୬ଷ୍ଠ, ବାଂଲାଦେଶ (୯୩) ୭ମ, ଶ୍ରୀଲଙ୍କା (୭୮) ୮ମ, ୱେଷ୍ଟଇଣ୍ଡିଜ (୭୨) ୯ମ ଓ ଆଫଗାନିସ୍ତାନ (୬୭) ୧୦ମ ସ୍ଥାନ ଅଧିକାର କରିଛନ୍ତି। ନେପାଳ ପ୍ରଥମ ଥର ଆଇସିସି ତାଲିକାରେ ସାମିଲ ହୋଇପାରିଛି। ସଂଯୁକ୍ତ ଆରବ ଏମିରେଟ୍‌ସ ଓ ନେପାଳ ପ୍ରତ୍ୟେକ ୧୫ ପଏଣ୍ଟ ପାଇଥିଲେ ସୁଦ୍ଧା ତାଲିକାରେ ଯଥାକ୍ରମେ ୧୪ ଓ ୧୫ଶ ସ୍ଥାନରେ ରହିଛନ୍ତି।

Leave A Reply