କର୍ତ୍ତାରପୁର ରାଜିନାମା ପାଇଁ ଭାରତ ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତ କହିଛି, କର୍ତ୍ତାରପୁର ସାହିବ୍‍ କରିଡ଼ର ରାଜିନାମାରେ ଆସନ୍ତା ୨୩ ତାରିଖରେ ସ୍ୱାକ୍ଷର କରିବାକୁ ନୂଆଦିଲ୍ଲୀ ପ୍ରସ୍ତୁତ ଅଛି କିନ୍ତୁ ଗୁରୁଦ୍ୱାରା କର୍ତ୍ତାରପୁର ସାହିବ୍‍ ଦର୍ଶନ ପାଇଁ ତୀର୍ଥଯାତ୍ରୀମାନଙ୍କ ପିଛା ୨୦ ଆମେରିକୀୟ ଡଲାର୍‍ ସେବା ଫି’ ଲାଗୁ କରିବାକୁ ପାକିସ୍ତାନର ଦାବି ଯଥାଯଥ ନୁହେଁ ବୋଲି ଭାରତ ଦର୍ଶାଇଛି। ଭାରତ କହିଛି, ଏତେ ପରିମାଣର ସେବା ଫି’ ଦେବାକୁ ତୀର୍ଥଯାତ୍ରୀମାନେ ରାଜି ହେଉ ନଥିବାରୁ ପାକିସ୍ତାନ ଫି’ କୋହଳ କରିବାର ଆବଶ୍ୟକତା ରହିଛି।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଗୁରୁଦ୍ୱାରା କର୍ତ୍ତାରପୁର ସାହିବକୁ ଭିସାମୁକ୍ତ ଦର୍ଶନ ପାଇଁ ତୀର୍ଥଯାତ୍ରୀମାନେ ବହୁ ଦିନ ହେଲା ଦାବି କରୁଛନ୍ତି ଏବଂ ଆସନ୍ତା ମାସ ୧୨ ତାରିଖରେ ଗୁରୁ ନାନକଦେବଙ୍କର ୫୫୦ତମ ଜନ୍ମ ବାର୍ଷିକୀ ପୂର୍ବରୁ ଏହି କରିଡ଼ରକୁ ଚାଲୁ କରାଗଲେ ତୀର୍ଥଯାତ୍ରୀମାନଙ୍କ ସ୍ୱାର୍ଥ ସାଧନ ହୋଇପାରିବ। ଭାରତ ରାଜିନାମାରେ ସ୍ୱାକ୍ଷର କରିବାକୁ ରାଜି ହୋଇଥିବା ବେଳେ ତୀର୍ଥଯାତ୍ରୀମାନଙ୍କ ଉପରେ ସେବାକର ଲାଗୁ କରିବାକୁ ପାକିସ୍ତାନର ଦାବିର ସମୀକ୍ଷା ପାଇଁ ଭାରତ ଇସଲାମାବାଦକୁ ପରାମର୍ଶ ଦେଇଛି।

Comments are closed.