ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟ : ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

ପୁଣେ : ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍ ଆରମ୍ଭ ହେବା ପରଠାରୁ ଭାରତ କ୍ରମାଗତ ୩ୟ ​ଟେଷ୍ଟମ୍ୟାଚ୍‌ରେ ବିଜୟୀ ହୋଇଛି। କେବଳ ବିଜୟୀ ହୋଇନାହିଁ; ୩ଟିଯାକ ଟେଷ୍ଟକୁ ୨ ଶହରୁ ଅଧିକ ରନ୍‌ରେ ଜିତିବା ସହ ସର୍ବାଧିକ ୧୬୦ ପଏଣ୍ଟ ସହ ଟେବୁଲ୍‌ର ଶୀର୍ଷରେ ପହଞ୍ଚିଛି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟେଷ୍ଟରେ ୨୦୩ ରନ୍‌ରେ ପରାସ୍ତକରି ୪୦ ପଏଣ୍ଟ ହାସଲ କରିବା ସହ ବିରାଟ କୋହଲିଙ୍କ ଦଳ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ହୋଇପାରିଛି। ଭାରତମାଟିରେ ଭାରତକୁ ପରାସ୍ତ କରିବା ସହଜ ନୁହେଁ। ଏହା ଦକ୍ଷିଣ ଆଫ୍ରିକା ଭଲଭାବେ ଜାଣିଥିଲେ ହେଁ ତା’ର ପ୍ରଦର୍ଶନରେ ଉନ୍ନତି ଆଣିବାର ପ୍ରୟାସ କରିବ।

ଗୁରୁବାରଠାରୁ ଏଠାରେ ଉଭୟ ଦଳଙ୍କ ମଧ୍ୟରେ ୨ୟ ଟେଷ୍ଟମ୍ୟାଚ୍ ଆରମ୍ଭ ହେଉଛି। ୨ୟ ଟେଷ୍ଟ ଜିତି ସିରିଜ୍ ହାତେଇବା ସହ ଭାରତ ପ୍ରାଧାନ୍ୟ ବଜାୟ ରଖିବାକୁ ଚାହିଁବ। ତେବେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାର ୨ ଜଣ ବ୍ୟାଟ୍‌ସମ୍ୟାନ୍ ଶତକ ମାରିବା ଏବଂ ଏହା ୪୦୦ରୁ ଅଧିକ ରନ୍‌ କରିବା ଫାଫ୍ ଡୁ ପ୍ଲେସିଙ୍କ ଦଳକୁ ଉତ୍ସାହିତ କରିଥିବ ନିଶ୍ଚୟ। ହେଲେ ଏହାସତ୍ତ୍ବେ ୨୦୩ ରନ୍ ବ୍ୟବଧାନରେ ପରାସ୍ତହେବା ଦକ୍ଷିଣ ଆଫ୍ରିକା ଦଳ ମନୋବଳ ପ୍ରତି ଶକ୍ତ ଧକ୍କା ହୋଇଛି।
ଏହା ସତ ଯେ ଦକ୍ଷିଣ ଆଫ୍ରିକା ଦଳ ଭାରତରେ ସ୍ପିନ୍ ପରୀକ୍ଷାର ସମ୍ମୁଖୀନ ହେବା ପାଇଁ ମାନସିକ ଭାବେ ପ୍ରସ୍ତୁତ ହେବା ଲାଗି ଆସିଥିଲା। ଏଥିପାଇଁ ଦକ୍ଷିଣ ଆଫ୍ରିକା ତା’ର ‘ଏ’ ଦଳରେ ଟେଷ୍ଟ ଦଳର କିଛି ନିୟମିତ ଖେଳାଳିଙ୍କୁ ସାମିଲକରି ଭାରତ ପଠାଇଥିଲା। ଏମାନଙ୍କୁ ଭାରତୀୟ ପିଚ୍ ଓ ବାତାବରଣ ସହ ଖାପ୍ ଖୁଆଇବା ଥିଲା ଦକ୍ଷିଣ ଆଫ୍ରିକାର ଲକ୍ଷ୍ୟ। ସେମାନଙ୍କ ମଧ୍ୟରୁ ଐଡେନ୍ ମାର୍କରାମ୍ ଭଲ ଫର୍ମ ମଧ୍ୟ ଦେଖାଇଥିଲେ। ତେବେ ପ୍ରଥମ ଟେଷ୍ଟରେ ମାର୍କରାମ ବିଫଳ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଦଳକୁ ସବୁଠାରୁ ଅଧିକ ନିରାଶ କରିଛନ୍ତି ଏହାର ବୋଲର। କାଗିସୋ ରାବାଡ଼ା ଓ ଭର୍ନନ ଫିଲାଣ୍ଡରଙ୍କ ପରି ବୋଲର ଭାରତୀୟ ପିଚ୍‌ରେ ନିଷ୍ପ୍ରଭ ହୋଇ ଯାଇଥିଲେ। ଭାରତୀୟ ଦଳ ପ୍ରଥମ ଟେଷ୍ଟରେ ମୋଟ ୮୨୫ ରନ୍‌କରି ୧୧ଟି ୱିକେଟ ହରାଇଥିଲା। ପେସ୍ ବୋଲର କିମ୍ବା ସ୍ପିନର; କେହି ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ଉପରେ ପ୍ରଭାବ ପକାଇ ପାରିନଥିଲେ। ପ୍ରଥମ ଇନିଂସରେ ପ୍ରଥମ ୱିକେଟ ପାଇଁ ଭାରତ ୩ ଶହରୁ ଅଧିକ ରନ୍ କରିଥିବା ବେଳେ ୨ୟ ଇନିଂସରେ ୨ୟ ୱିକେଟ ପାଇଁ ୧୬୯ ରନ୍ ଯୋଡ଼ିଥିଲା। ବିଶାଖାପାଟଣାର ନିର୍ଜୀବ ପିଚ୍‌ରେ କାଗିସୋ ରାବାଡ଼ାଙ୍କ ପରି ବୋଲର ସାଧାରଣ ମନେ ହୋଇଥିଲେ। ଦକ୍ଷିଣ ଆଫ୍ରିକା ବହୁତ ଦିନ ପରେ ଏକ ଟେଷ୍ଟମ୍ୟାଚ୍‌ରେ ୩ ଜଣ ସ୍ପିନରଙ୍କୁ ଖେଳାଇଥିଲେ ହେଁ ତିନିହେଁ ମିଳିତ ଭାବେ ଉଭୟ ଇନିଂସରେ ମାତ୍ର ୭ଟି ୱିକେଟ ପାଇଥିଲେ। ତେଣୁ ଉଭୟ ବିଭାଗରେ ଦକ୍ଷିଣ ଆଫ୍ରିକାର ସମସ୍ୟା ରହିଛି। ତଥାପି ସ୍ପିନର କେଶବ ମହାରାଜଙ୍କଠାରୁ ଦଳ ବହୁତ ଆଶାରଖିଛି।
ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ଡିନ୍ ଏଲ୍‌ଗାର କଳାତ୍ମକ ବ୍ୟାଟିଂ କରିଥିବା ବେଳେ କ୍ବିଣ୍ଟନ୍ ଡି କକ୍ ଷ୍ଟ୍ରୋକ୍‌ ଖେଳି ଶତକ ମାରିିଥିଲେ। ଫାଫ୍ ଡୁ ପ୍ଲେସି ମଧ୍ୟ ଅର୍ଦ୍ଧଶତକ ମାରିଥିଲେ। ରବିଚନ୍ଦ୍ରନ ଅଶ୍ବିନ ପ୍ରଥମ ଇନିଂସରେ ୭ଟି ୱିକେଟ ନେଇଥିଲେ। ତେବେ ୨ୟ ଇନିଂସରେ ଦକ୍ଷିଣ ଆଫ୍ରିକାର ମଧ୍ୟକ୍ରମକୁ ଧ୍ବସ୍ତ କରିଥିଲେ ପେସ୍ ବୋଲର ମହମ୍ମଦ ସାମି। ଏହା ହିଁ ଦକ୍ଷିଣ ଆଫ୍ରିକା ପାଇଁ ଚିନ୍ତାର ବିଷୟ। ହାସିମ୍ ଆମ୍‌ଲା ଓ ଏବି ଡି’ଭିଲିଅର୍ସଙ୍କ ପରି ବ୍ୟାଟ୍‌ସମ୍ୟାନ୍‌ଙ୍କ ଅବସର ପରେ ଯୁବ ବ୍ୟାଟ୍‌ସମ୍ୟାନ୍ ଅନୁରୂପ ପ୍ରଦର୍ଶନ କରି ପାରୁନାହାନ୍ତି। ତଥାପି ବ୍ୟାଟିଂରେ ଉନ୍ନତି କରିବାକୁ ଦଳ ନିଶ୍ଚିତ ଚାହିଁବ। ଭାରତୀୟ ଏକାଦଶରେ ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ ଦକ୍ଷିଣ ଆଫ୍ରିକା ଏକାଦଶରେ ଗୋଟିଏ/୨ଟି ପରିବର୍ତ୍ତନ ହୋଇପାରେ। ଡେନ୍ ପିଟ୍‌ଙ୍କ ସ୍ଥାନରେ ଫାଷ୍ଟବୋଲର ଲୁଙ୍ଗି ଏନ୍‌ଗିଡ଼ି ଖେଳିପାରନ୍ତି। ବିଶାଖାପାଟଣା ପିଚ୍ ଅପେକ୍ଷା ପୁଣେ ପିଚ୍‌ରେ ଅଧିକ ଗତି ଓ ବାଉନ୍‌ସ ରହିପାରେ। ତେବେ ପାରମ୍ପରିକ ଭାରତୀୟ ପିଚ୍‌ଠାରୁ ଏହା ଭିନ୍ନହେବା ସମ୍ଭାବନା କ୍ଷୀଣ। ପାଗ ମଧ୍ୟ ଶୁଖିଲା ରହିବାର ସମ୍ଭାବନା ରହିଛି।

Comments are closed.