ବିଶାଖାପାଟଣା ଟେଷ୍ଟ : ମୟଙ୍କଙ୍କ ଦ୍ବିଶତକ,ଦକ୍ଷିଣ ଆଫ୍ରିକା ୩୯/୩

ବିଶାଖାପାଟଣା : ଚଳିତ ପ୍ରଥମ ଟେଷ୍ଟମ୍ୟାଚ୍‌ର ୨ୟ ଦିନରେ ମ୍ୟାଚ୍ ଉପରେ କବ୍‌ଜା ମଜ୍‌ଭୁତ କରିପାରିଛି ଘରୋଇ ଭାରତ। ପ୍ରଥମଦିନରୁ ଭାରତୀୟ ଓପ୍‌ନିଂ ଯୋଡ଼ି ସେମାନଙ୍କ ପ୍ରାଧାନ୍ୟ ୨ୟ ଦିନରେ ମଧ୍ୟ ଜାରି ରଖିଥିବା ବେଳେ ଗୁରୁବାର ୨ୟ ଦିନ ଶେଷଆଡ଼କୁ ଭାରତୀୟ ସ୍ପିନର ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ସମ୍ୟାନଙ୍କ ଜୀବନ ଦୁର୍ବିସହ କରି ପାରିଛନ୍ତି। ଫଳରେ ୨ୟ ଦିନ ଶେଷରେ ମ୍ୟାଚ୍‌ରେ ମାତ୍ର ଗୋଟିଏ ବିଜେତା ନଜର ଆସୁଛି। ଦକ୍ଷିଣ ଆଫ୍ରିକା ଦଳ ଲଢ଼ୁଆ ବ୍ୟାଟିଂ ଏବଂ ବର୍ଷାର ସହାୟତାରେ ଅତିବେଶିରେ ମ୍ୟାଚ୍‌କୁ ଡ୍ର ରଖିପାରେ। ୧୩୬ ଓଭର ଧରି ଦକ୍ଷିଣ ଆଫ୍ରିକାର ବୋଲର ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ଦୟାର ପାତ୍ର ନଜର ଆସୁଥିଲେ। ଭାରତୀୟ ବ୍ୟାଟ୍‌ସମ୍ୟାନ୍ ଖେଳୁଥିବା​ ବେଳେ ଯେଉଁ ବିଶାଖାପାଟଣାର ପିଚ୍ ନିର୍ଜୀବ ମନେ ହେଉଥିଲା; ଭାରତୀୟ ସ୍ପିନ୍ ଯୋଡ଼ି ରବିଚନ୍ଦ୍ରନ୍ ଅଶ୍ବିନ ଓ ରବୀନ୍ଦ୍ର ଜାଡ଼େଜା ବୋଲିଂ କଲା ବେଳେ ସେହି ପିଚ୍ ମାରାତ୍ମକ ନଜର ଆସିଥିଲା। ଏହିଥିରୁ ହିଁ ଉଭୟ ଦଳଙ୍କ ମଧ୍ୟରେ ଫରକ ନଜର ଆସୁଛି। ଦୁଇ ଭାରତୀୟ ଓପ୍‌ନରଙ୍କ ଲଢ଼ୁଆ ଇନିଂସ ଯୋଗୁଁ ଗୁରୁବାର ଚା’ପାନ ବିରତି ପରେ ଭାରତ ୭ ୱିକେଟ୍‌ ହରାଇ ୫୦୨ ରନ୍‌କରି ପ୍ରଥମ ଇନିଂସ ଘୋଷଣା କରିଛି। ରୋହିତ ଶର୍ମା ୧୭୬ ରନ୍ କରିଥିବା ବେଳେ ସାଥୀ ଓପ୍‌ନର ମୟଙ୍କ ଅଗ୍ରୱାଲ ଦ୍ବିଶତକ ହାସଲ କରିଥିଲେ। ପରେ ଭାରତୀୟ ସ୍ପିନ୍ ଯୋଡ଼ି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୩୯ ରନ୍‌ରେ ୩ଟି ୱିକେଟ ନେଇଛନ୍ତି। ୭ ୱିକେଟ ହାତରେ ଥାଇ ଦକ୍ଷିଣ ଆଫ୍ରିକା ଏବେ ୪୬୩ ରନ୍ ପଛରେ ରହିଛି।
ଦକ୍ଷିଣ ଆଫ୍ରିକା ଇନିଂସ ଆରମ୍ଭରେ ୪ ଓଭର ପେସ୍ ବୋଲର ପକାଇଥିବା ବେଳେ ୫ମ ଓଭରରୁ ସ୍ପିନ୍ ଆକ୍ରମଣ ଆରମ୍ଭ ହୋଇ ଯାଇଥିଲା। ଐଡେନ୍ ମାର୍କରାମ୍‌ ୫ ରନ୍‌ କରିଥିବା ବେଳେ ଅଶ୍ବିନଙ୍କ ବଲ୍‌ରେ ବୋଲ୍‌ଡ ହୋଇଥିଲେ। ପରେ ଥ୍ୟୁନିସ୍ ଡି ବ୍ରୁଇନ୍ ୪ ରନ୍‌କରି ଅଶ୍ବିନଙ୍କ ୨ୟ ଶିକାର ହୋଇଥିଲେ। ଡେନ୍ ପିଟ୍‌ଙ୍କୁ ନାଇଟ୍‌ ୱାଚ୍‌ମ୍ୟାନ୍ ପଠା ଯାଇଥିବା ବେଳେ ସେ ଖାତା ଖୋଲିବା ପୂର୍ବରୁ ଜାଡ଼େଜାଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଡିନ୍ ଏଲଗାର୍‌ ୨ଟି ଚୌକା ଓ ୧ଟି ଛକା ସହ ୨୭ ଓ ତେମ୍ବା ବାଭୁମା ୨ ରନ୍‌ କରି ଅପରାଜିତ ରହିଛନ୍ତି।
ପ୍ରଥମ ଦିନ ଖେଳରେ ଭାରତ ତରଫରୁ ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ ୨ୟ ଦିନ ଯୁବ ଓପନର୍‌ ମୟଙ୍କ ଅଗ୍ରୱାଲ୍ ଦ୍ବିଶତକ ହାସଲ କରିଛନ୍ତି। ପ୍ରଥମ ଦିନ ଭାରତ ୱିକେଟ୍‌ ନ ହରାଇ ୨୦୨ ରନ୍‌ ସଂଗ୍ରହ କରିଥିଲା। ୨ୟ ଦିନ ଦୁଇ ଓପନର୍‌ ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲ୍‌ ଓପ୍‌ନିଂ ଭାଗିଦାରୀରେ ସ୍କୋର୍‌କୁ ୩୧୭ ରନ୍‌ରେ ପହଞ୍ଚାଇଥିଲେ। ରୋହିତ ଶର୍ମା ୨୩ଟି ଚୌକା ଓ ୬ଟି ଛକା ସହ ୧୭୬ ରନ୍‌ କରି ଆଉଟ୍‌ ହୋଇଥିଲେ। ଚେତେଶ୍ବର ପୂଜାରା ୬ ରନ୍‌ କରି ବୋଲଡ୍‌ ହୋଇଥିଲେ। ଅଧିନାୟକ ବିରାଟ କୋହଲି ୪ଟି ଚୌକା ସହ ୨୦ ରନ୍‌ କରି ସେନୁରାମ୍ ମୁଥୁସ୍ବାମୀଙ୍କୁ ରିଟର୍ଣ୍ଣ କ୍ୟାଚ୍ ଦେଇଥିଲେ। ୩୭୭ ରନ୍‌ରେ ଭାରତର ୩ଟି ୱିକେଟ୍‌ ପଡ଼ିବା ପରେ ଅଜିଙ୍କ୍ୟ ରାହାଣେ ଓ ମୟଙ୍କ ଅଗ୍ରୱାଲ୍‌ ସ୍କୋରକୁ ୪୩୧ ରନ୍‌ରେ ପହଞ୍ଚାଇଥିଲେ। ରାହାଣେ ୨ଟି ଚୌକା ସହ ୧୫ ରନ୍‌ କରି ମହାରାଜଙ୍କ ବଲରେ ଆଉଟ୍‌ ହୋଇଥିଲେ। ମୟଙ୍କ ଅଗ୍ରୱାଲ୍ ୨୩ଟି ଚୌକା ଓ ୬ଟି ଛକା ସହ ୨୧୫ ରନ୍‌ କରି ବିଦାୟ ନେଇଥିଲେ। ହନୁମା ବିହାରୀ ୧୦ ଓ ଋଦ୍ଧିମାନ ଶାହା ୪ଟି ଚୌକା ସହ ୨୧ ରନ୍‌ କରି ଆଉଟ୍‌ ହୋଇଥିଲେ। ରବୀନ୍ଦ୍ର ଜାଡେଜା ୩୦ ଓ ଅଶ୍ବିନ୍‌ ୧ ରନ୍‌ କରି ବ୍ୟାଟିଂ କରୁଥିବା ବେଳେ ଭାରତୀୟ ଦଳ ଇନିଂସ ସମାପ୍ତି ​‌େ​‌ଘାଷଣା କରିଥିଲା। କେଶବ ମହାରାଜ ୩ଟି ୱିକେଟ ପାଇଥିଲେ।

Comments are closed.