ଆତଙ୍କବାଦ ଏବଂ ବିଭାଜନକାରୀ ଶକ୍ତିଙ୍କ ବିରୁଦ୍ଧରେ ଭାରତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି : ମୋଦୀ

‘ସାୱାସଦି ପିଏମ ମୋଦୀ’ କାର୍ଯ୍ୟକ୍ରମରେ ଭାରତୀୟ ସମୁଦାୟଙ୍କୁ ଉଦବୋଧନ

ବ୍ୟାଙ୍କକ୍ : ଭାରତ ଆତଙ୍କବାଦ ଏବଂ ବିଭାଜନକାରୀ ଶକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶନିବାର ସନ୍ଧ୍ୟାରେ ବ୍ୟାଙ୍କକ୍ ରେ ‘ସାୱାସଦି ପିଏମ ମୋଦୀ’ କାର୍ଯ୍ୟକ୍ରମରେ ଭାରତୀୟ ସମୁଦାୟଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯିବାକୁ ବିଶ୍ବସ୍ତରରେ ସ୍ବାଗତ କରାଯାଇଛି।

ସେ କହିଛନ୍ତି ଭାରତ ବହୁତ ଦୃତ ଗତିରେ ଅଗ୍ରସର ହେଉଛି ଏବଂ ପ୍ରବାସୀ ଭାରତୀୟଙ୍କ ଛବି ସମସ୍ତ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ। ଦେଶକୁ ଶକ୍ତିଶାଳୀ କରିବାରେ ପ୍ରବାସୀ ଭାରତୀୟଙ୍କ ଭୂମିକା ବେଶ ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ୧୩୦ କୋଟି ଭାରତୀୟ ନ୍ୟୁ ଇଣ୍ଡିଆର ସ୍ବପ୍ନକୁ ସାକାର କରିବାରେ ଲାଗିଛନ୍ତି । ଭାରତର ଅର୍ଥନୀତିକୁ ୫ ଟ୍ରିଲିୟନରେ ପରିଣତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏଥିପାଇଁ କଠୋର ପରିଶ୍ରମ କରାଯାଉଛି ।  ଏ କ୍ଷେତ୍ରରେ ପ୍ରବାସୀ ଭାରତୀୟମାନେ ଗରୁତ୍ବପୂର୍ଣ୍ଣ ଭୂମିକା ତୁଲାଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଉତ୍ତର-ପୂର୍ବାଞ୍ଚଳକୁ ଦକ୍ଷୀଣ-ପୂର୍ବ ଏସିଆର ପ୍ରବେଶ ଦ୍ବାର ଭାବେ ବିକଶିତ କରାଯାଉଛି। ଆଉ ଉତ୍ତର-ପୂର୍ବାଞ୍ଚଳ ଏବଂ ଥାଇଲାଣ୍ଡ ମଧ୍ୟରେ ସଂପର୍କ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଦ୍ବାରା ଅଧିକ ଉନ୍ନତ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି । ଭାରତ ଆସିଆନ ଦେଶର ୧୦୦୦ ଯୁବକଙ୍କୁ ପୋଷ୍ଟ ଡକ୍ଟରାଲ ଛାତ୍ରବୃତ୍ତି ପ୍ରଦାନ କରିବ ଏବଂ ଓସିଆଇ କାର୍ଡଧାରକଙ୍କୁ ନୂଆ ପେନସନ ଯୋଜନାରେ ସାମିଲ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Comments are closed.