ସମାଜ, ସରକାର, ଶିଳ୍ପ ଓ ଜ୍ଞାନ ଆମ ଅର୍ଥନୀତିର ୪ଟି ଚକ – ମୋଦୀ

ହିମାଚଳପ୍ରଦେଶ: ବିଶ୍ୱ ଅର୍ଥନୈତିକ ସଂକଟ ସମୟରେ ଆଜି ଯଦି ଭାରତ ଦୃଢ଼ ଭାବେ ଠିଆ ହୋଇପାରିଛି ତାହା କେନ୍ଦ୍ର ସରକାରଙ୍କ ଯୋଗୁଁ ସମ୍ଭବ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କେନ୍ଦ୍ର ସରକାର ଦେଶର ଅର୍ଥନୀତିର ମୌଳିକ ଭିତ୍ତିଭୂମିଗୁଡ଼ିକୁ ଦୁର୍ବଳ ହେବାକୁ ଦେଇ ନାହାନ୍ତି। ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ‘ବିଶ୍ୱ ପୁଞ୍ଜିନିବେଶକାରୀ ସମ୍ମିଳନୀ-ବିକଶିତ ହିମାଚଳ’ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି, ଭାରତୀୟ ଅର୍ଥନୈତିର ଗାଡ଼ି ନୂଆ ଚିନ୍ତାଧାରା ଓ ଆଭମୁଖ୍ୟ ସହ ଚାରୋଟି ଚକରେ ଆଗକୁ ଆଗେଇ ଚାଲିଛି। ତାହା ମଧ୍ୟରୁ ଗୋଟିଏ ଚକ ସମାଜ, ଅନ୍ୟଟି ସରକାର, ଆଉ ଗୋଟିଏ ଶିଳ୍ପ ଏବଂ ଚତୁର୍ଥଟି ହେଉଛି ଜ୍ଞାନ।

ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବରୁ ଏଭଳି ପୁଞ୍ଜିନିବେଶ ସମ୍ମିଳନୀମାନ ଅଳ୍ପ କିଛି ସହରରେ ହୋଇଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଯଥେଷ୍ଟ ପରିବର୍ତ୍ତନ ଘଟିଛି। ଗତ କିଛି ବର୍ଷ ଭିତରେ ରାଜ୍ୟ ସରକାରମାନେ ପୁଞ୍ଜିନିବେଶକାରୀମାନଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି। ହିମାଚଳ ପ୍ରଦେଶ ସରକାର ଏହିଭଳି ବାତାବରଣ ସୃଷ୍ଟି କରିଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ମଧ୍ୟବିତ୍ତବର୍ଗକୁ ଧ୍ୟାନରେ ରଖି ଗତକାଲି ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବହୁ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ପ୍ରତିନିଧିମାନେ ହିମାଚଳ ପ୍ରଦେଶରେ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଓ ଯୋଜନାମାନ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ଷେତ୍ରର ବିକାଶ ଉପରେ ହୋଇଥିବା ପ୍ରଦର୍ଶନୀଗୁଡ଼ିକୁ ବୁଲି ଦେଖିଛନ୍ତି। ଏହି ଅବସରରେ ହିମାଚଳ ପ୍ରଦେଶରେ ପୁଞ୍ଜିନିବେଶ ପାଇଁ ଥିବା ସୁଯୋଗଗୁଡ଼ିକ ସଂକ୍ରାନ୍ତରେ ଏକ କ୍ଷୁଦ୍ର ଫିଲ୍ମର ପ୍ରଦର୍ଶନ ହୋଇଛି। ୨୦୦ ବିଦେଶୀ ପୁଞ୍ଜିନିବେଶକାରୀ ଓ ୧୧ଟି ଦେଶର ରାଷ୍ଟ୍ରଦୂତଙ୍କ ସମେତ ୧୭୦୦ରୁ ଊର୍ଦ୍ଧ୍ବ ପୁଞ୍ଜିନିବେଶକାରୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ରାଜ୍ୟ ସରକାର ୮୫ ହଜାର କୋଟି ଟଙ୍କାର ଏମ୍‍.ଓ.ୟୁ. ସ୍ୱାକ୍ଷରିତ ହେବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ, କିନ୍ତୁ ୯୩ ହଜାର କୋଟି ଟଙ୍କାର ଏମ୍‍.ଓ.ୟୁ. ସ୍ୱାକ୍ଷରିତ ହୋଇଛି।

Comments are closed.