ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ଆଜି

0

ଟ୍ରେଣ୍ଟ ବ୍ରିଜ୍‍ : ବର୍ଷକ ପରେ ଏହି ଇଂଲଣ୍ଡ ମାଟିରେ ବିଶ୍ୱକପ୍‍ ଆୟୋଜନ ହେବ। ଘରୋଇ ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ୍‍ର ଦିନିକିଆ ସିରିଜ୍‍ ବିଶ୍ୱକପ୍‍ ଲାଗି ଭାରତୀୟ ଦଳର ପ୍ରସ୍ତୁତିର ଅଂଶବିଶେଷ। ଗୁରୁବାର ଏଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‍ ଖେଳାଯିବ। ଆଇସିସି ଦିନିକିଆ ମାନ୍ୟତାରେ ଇଂଲଣ୍ଡ ୧ନଂ ସ୍ଥାନରେ ଥିବା ବେଳେ ଭାରତ ଏବେ ୨ୟ ସ୍ଥାନରେ ରହିଛି। ତେଣୁ ଏହି ଦୁଇ ଦଳଙ୍କ ମଧ୍ୟରେ ମୁକାବିଲା ବେଶ୍‍ ରୋଚକ ହେବ ବୋଲି ଆଶା କରାଯାଉଛି। ଏହି ସିରିଜ୍‍ ପୂର୍ବରୁ ନିଜମାଟିରେ ଅଷ୍ଟ୍ରେଲିଆ ପରି ଦଳ ବିପକ୍ଷରେ ଘରୋଇ ଇଂଳଣ୍ଡ ୫-୦ରେ ଦିନିକିଆ ସିରିଜ୍‍ ପୋଛି ନେଇଥିଲା। ଏହି ବିଜୟ ଯୋଗୁଁ ଇଂଲଣ୍ଡ ଦଳର ମନୋବଳ ଊର୍ଦ୍ଧ୍ବରେ ଥିବା ନିଶ୍ଚୟ। ତେବେ ଇଓନ୍‍ ମୋର୍ଗାନ୍‍ଙ୍କ ଦଳ ଜାଣିଛି ଯେ ଭାରତୀୟ ଦଳ ଭିନ୍ନ ଏବଂ ବେଶ୍‍ ମଜ୍‍ଭୁତ। ଅଷ୍ଟ୍ରେଲିଆଠାରୁ ଏହି ଦଳ ତା’ ପାଇଁ ଅଧିକ ଆହ୍ୱାନ ସୃଷ୍ଟିକରିବ।
ପୂର୍ବରୁ ଟ୍ୱେଣ୍ଟି୨୦ ସିରିଜ୍‍କୁ ଭାରତ ୨-୧ରେ ଜିତିନେଇଛି। ଏହି ବିଜୟ ଦିନିକିଆ ସିରିଜ୍‍ରେ ଭାରତୀୟ ଦଳର ଉତ୍ସାହ ବୃଦ୍ଧିକରିବ। ଟ୍ୱେଣ୍ଟି୨୦ ସିରିଜ୍‍ରେ ଭାରତୀୟ ଦଳର ପ୍ରଥମ ୪ ବ୍ୟାଟ୍‍ସମ୍ୟାନ୍‍- ରୋହିତ ଶର୍ମା, ଶିଖର ଧାୱନ, କେ.ଏଲ୍‍. ରାହୁଲ ଓ ବିରାଟ କୋହଲି ସଫଳ ହୋଇଛନ୍ତି। ମହେନ୍ଦ୍ର ସିଂହ ଧୋନି ଓ ହାର୍ଦିକ ପାଣ୍ଡ୍ୟା ମଧ୍ୟ ରନ୍‍ କରିଛନ୍ତି। ଉପରୋକ୍ତ ୬ ଜଣ ଖେଳିବା ନିଶ୍ଚିତ ହୋଇଥିବା ବେଳେ ୫ନଂ ସ୍ଥାନ ପାଇଁ ୩ ଜଣ ଦାବିଦାର ଅଛନ୍ତି। ତେବେ ଦୁଇ ଅଭିଜ୍ଞ ବ୍ୟାଟ୍‍ସମ୍ୟାନ୍‍ ଦିନେଶ କାର୍ତ୍ତିକ ଓ ସୁରେଶ ରୈନାଙ୍କ ଅପେକ୍ଷା ଯୁବ ପ୍ରତିଭା ଶ୍ରେୟାସ ଆୟରଙ୍କ ଖେଳିବା ସମ୍ଭାବନା ଅଧିକ। ସ୍ପିନର ଭାବେ କୁଲଦୀପ ଯାଦବ ଓ ୟୁଜୁବେନ୍ଦ୍ର ଚହଲ ଖେଳିପାରନ୍ତି। ୨ୟ ଟ୍ୱେଣ୍ଟି୨୦ରେ ଉଭୟ ରିଷ୍ଟ ସ୍ପିନରଙ୍କ ବିରୋଧରେ ଇଂଲଣ୍ଡର ବ୍ୟାଟ୍‍ସମ୍ୟାନ୍‍ ଆକ୍ରମଣାତ୍ମକ ବ୍ୟାଟିଂ କରିବାରୁ ଉଭୟ ସ୍ପିନର ଚାପରେ ରହିଛନ୍ତି। ତଥାପି ଏହି ଦୁଇ ମ୍ୟାଚ୍‍ ବିଜେତା ସ୍ପିନରଙ୍କୁ ବିରାଟ କୋହଲି ଖେଳାଇପାରନ୍ତି। ପେସ୍‍ ବୋଲର ଯଶପ୍ରୀତ ବୁମ୍‍ରା ଆହତ ହୋଇ ଏହି ସିରିଜ୍‍ରୁ ବାଦ୍‍ପଡ଼ିବା ଭାରତ ପାଇଁ ଶକ୍ତ ଧକ୍କା ହୋଇଛି। ତେବେ ଟ୍ୱେଣ୍ଟି୨୦ ସିରିଜ୍‍ରେ ଚମତ୍କାର ବୋଲିଂ କରିଥିବା ଉମେଶ ଯାଦବ ଏହି ମ୍ୟାଚ୍‍ ଖେଳିପାରନ୍ତି। ୨ୟ ପେସ୍‍ ବୋଲର ଭାବେ ଭୁବନେଶ୍ୱର କୁମାର ଖେଳିବେ। ବିଶ୍ୱକପ୍‍ ପୂର୍ବରୁ ଶକ୍ତିଶାଳୀ ଭାରତୀୟ ଦଳ ବିରୋଧରେ ନିଜ ଶକ୍ତି ଆକଳନ କରିବା ପାଇଁ ଇଂଲଣ୍ଡ ଲାଗି ଏହା ଏକ ସୁଯୋଗ। ଗତ କିଛିବର୍ଷ ହେଲା ଏହାର ବ୍ୟାଟ୍‍ସମ୍ୟାନ୍‍ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଜେସନ୍‍ ରୟ, ଆଲେକ୍ସ ହେଲ୍‍ସ, ଜୋ ରୁଟ୍‍, ଇଓନ୍‍ ମୋର୍ଗାନ୍‍, ଜନି ବେୟାରଷ୍ଟୋ, ଜୋସ୍‍ ବଟ୍‍ଲର ଓ ବେନ୍‍ ଷ୍ଟୋକ୍‍ସ ନିୟମିତ ଭାବେ ରନ୍‍ ସ୍କୋର୍‍ କରିଛନ୍ତି ଏବଂ ଯେକୌଣସି ବୋଲିଂ ବିରୋଧରେ ରନ୍‍ ସ୍କୋର୍‍ କରିବାକୁ ସମର୍ଥ। ସ୍ପିନର ଭାବେ ମୋଇନ୍‍ ଅଲୀ ଓ ଆଦିଲ ରସିଦ୍‍ଙ୍କ ମଧ୍ୟରୁ ଜଣେ ଖେଳିବେ। ପେସ୍‍ ବୋଲର ଭାବେ ଲିଆମ୍‍ ପ୍ଲଙ୍କେଟ, ଜେକ୍‍ ବଲ୍‍ ଓ ଡେଭିଡ୍‍ ୱିଲି ଖେଳିପାରନ୍ତି। ଦିନିକିଆ ଦଳ ଭାବେ ଭାରତ ପରି ଇଂଲଣ୍ଡ ମଧ୍ୟ ବେଶ୍‍ ଶକ୍ତିଶାଳୀ ଅଛି। ଫର୍ମରେ ଥିବା ଇଂଲଣ୍ଡ ଦଳକୁ ହରାଇବା ଭାରତ ପାଇଁ ସହଜ ହେବନାହିଁ। ଭାରତକୁ ବଡ଼ ସ୍କୋର୍‍ କରିବାକୁ ହେଲେ ଏହାର ପ୍ରଥମ ୪ ବ୍ୟାଟ୍‍ସମ୍ୟାନ୍‍ଙ୍କ ମଧ୍ୟରୁ ଜଣଙ୍କୁ ଲମ୍ବା ଇନିଂସ ଖେଳିବାକୁ ପଡ଼ିବ। ଭାରତ ପରି ଇଂଲଣ୍ଡ ପିଚ୍‍ରେ ଭାରତୀୟ ସ୍ପିନରଙ୍କୁ ସେପରି ସହାୟତା ମିଳିବ ନାହିଁ ସତ; ଏହି ସିରିଜ୍‍ରେ ଭାରତୀୟ ସ୍ପିନରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ।
ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳର ଦିନିକିଆ ରେକର୍ଡ ବହୁତ ଭଲ। ଉଭୟ ଦଳ ପରସ୍ପର ବିପକ୍ଷରେ ୯୬ଟି ମ୍ୟାଚ୍‍ ଖେଳିଥିବା ବେଳେ ଭାରତ ୫୨ଟି ଓ ଇଂଲଣ୍ଡ ୩୯ଟି ମ୍ୟାଚ୍‍ ଜିତିଛି ଏବଂ ୨ଟି ମ୍ୟାଚ୍‍ ଟାଇ ଓ ୩ଟି ମ୍ୟାଚ୍‍ ବିନା ଫଳାଫଳରେ ସମାପ୍ତ ହୋଇଛି। ଇଂଲଣ୍ଡମାଟିରେ ଉଭୟ ଦଳ ୩୮ ଥର ଖେଳିଥିବା ବେଳେ ଇଂଲଣ୍ଡ ୧୯ଟି ଓ ଭାରତ ୧୫ଟି ଜିତିଛି। ଏହି ମ୍ୟାଚ୍‍ରେ ଆଉ ୩୩ ରନ୍‍ କଲେ ମହେନ୍ଦ୍ର ସିଂହ ଧୋନି ୧୦ ହଜାର ଦିନିକିଆ ରନ୍‍ ପୂରଣ କରିବେ। ଏପରି କରିବାରେ ଧୋନି ବିଶ୍ୱର ୧୨ଶ ଏବଂ ଭାରତର ୪ର୍ଥ କ୍ରିକେଟର ହେବେ। ପୁଣି ବିଶ୍ୱର ପ୍ରଥମ ବ୍ୟାଟ୍‍ସମ୍ୟାନ୍‍ ଭାବେ ଧୋନି ୫୦ରୁ ଅଧିକ ଆଭ୍‍ରେଜ୍‍ରେ ୧୦ ହଜାର ଦିନିକିଆ ରନ୍‍ ସ୍କୋର୍‍କରିବେ।
ଆଜି (ଗୁରୁବାର)ର ମ୍ୟାଚ୍‍: ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ; ସିଧା ପ୍ରସାରଣ: ସନ୍ଧ୍ୟା ୫ଟାରୁ; ଚ୍ୟାନେଲ- ସୋନି ଟେନ୍‍-୩।

Leave A Reply