ମୁକ୍ତ ବାଣିଜ୍ୟ ରାଜିନାମାଗୁଡ଼ିକର ସମୀକ୍ଷା କରୁଛନ୍ତି ସରକାର

ନୂଆଦିଲ୍ଲୀ: ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ୍‍ କହିଛନ୍ତି ଜାପାନ, ଦକ୍ଷିଣ କୋରିଆ ଓ ଆସିଆନ ଦେଶଗୁଡ଼ିକ ସହ ମୁକ୍ତ ବାଣିଜ୍ୟ ରାଜିନାମାଗୁଡ଼ିକର ସମୀକ୍ଷା କରାଯାଉଛି। ସେ କହିଛନ୍ତି ଭାରତ ମଧ୍ୟ ଆମେରିକା ଓ ୟୁରୋପୀୟ ସଂଘ ସହ ବାଣିଜ୍ୟ ରାଜିନାମାର ସମ୍ଭାବନା ଉପରେ ବିଚାର କରୁଛି। ସେହିସବୁ ଦେଶଗୁଡ଼ିକରେ ଭାରତୀୟ ଶିଳ୍ପ ଓ ସେବାକ୍ଷେତ୍ର ପ୍ରତିଯୋଗିତାମୂଳକ ହୋଇପାରିବ ଓ ଏକ ବିକଶିତ ବଜାର ପାଇପାରିବ। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ସେ କହିଛନ୍ତି ଏନ୍‍.ଡି.ଏ. ସରକାର କଂଗ୍ରେସ ନେତୃତ୍ୱର ୟୁପିଏ ସରକାର କରିଥିବା ଭୁଲ୍‍ଗୁଡ଼ିକୁ ସୁଧାରୁଛି ଓ ଦେଶର ଅର୍ଥନୈତିକ ଅବସ୍ଥାରେ ଉନ୍ନତି ଆଣିବାପାଇଁ ସବୁମତେ ଉଦ୍ୟମ କରୁଛି।

ବାଣିଜ୍ୟମନ୍ତ୍ରୀ କହିଛନ୍ତି, ଭାରତ ଦେଶର ସ୍ୱାର୍ଥ ଦୃଷ୍ଟିରୁ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀରେ ଅଂଶ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛି। ଗୋଏଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କୃଷକ ଓ ମଧ୍ୟମ ଏବଂ କ୍ଷୁଦ୍ରଶିଳ୍ପଗୁଡ଼ିକର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛନ୍ତି। ସେ ପୁଣି କହିଛନ୍ତି, ଭାରତ ଏହାର ଆଭିମୁଖ୍ୟ ସଦସ୍ୟ ଦେଶମାନଙ୍କ ନିକଟରେ ଦୃଢ଼ଭାବେ ଉପସ୍ଥାପନ କରିଛି ଓ ନିଜର ଜାତୀୟ ସ୍ୱାର୍ଥ ସହ ସାଲିସ ନ କରିବାକୁ ସ୍ପଷ୍ଟଭାବେ ଜଣାଇଦେଇଛି। ମନ୍ତ୍ରୀ କହିଛନ୍ତି, ଏକ ସନ୍ତୁଳିତ ବାଣିଜ୍ୟ ନିଅଣ୍ଟ, ଭାରତୀୟ ସାମଗ୍ରୀ ଓ ସେବା ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା ଓ ଅନୈତିକ ବାଣିଜ୍ୟ ବ୍ୟବସ୍ଥାରୁ ଭାରତୀୟ ଶିଳ୍ପଗୁଡ଼ିକୁ ସୁରକ୍ଷା ପ୍ରଦାନ ପ୍ରଭୃତି ଭାରତର ମୁଖ୍ୟ ଦାବି ମଧ୍ୟରେ ଅନ୍ତର୍ଭୁକ୍ତ।

ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀରେ ଭାରତ ସାମିଲ ହୋଇନଥିବାରୁ ବହୁ ବାଣିଜ୍ୟ ସଂଘ ଓ ସମବାୟ ସଂସ୍ଥା ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଶଂସା କରିଛନ୍ତି। ଗୁଜରାତ ସମବାୟ ଦୁ୍‍ଗ୍ଧ ବିକ୍ରୟ ସଂଘ-ଅମୁଲ ମୋଦୀଙ୍କର ଏହି ନିଷ୍ପତ୍ତି ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛି। ଭାରତୀୟ ଶିଳ୍ପ ବଣିକ ସଂଘର ଅଖିଳ ଭାରତ ଶିଳ୍ପ ସଂଘ ଓ ଫେଡେରେସନ୍‍ ମଧ୍ୟ ପ୍ରଧାନମନ୍ତ୍ରୀ ଏକ ସାହସିକ ପଦକ୍ଷେପ ନେଇଛନ୍ତି ବୋଲି କହିଛି। ଇତିମଧ୍ୟରେ ଚୀନ୍‍ କହିଛି, ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀରେ ଭାରତ ଅଂଶ ଗ୍ରହଣ ନ କରିବା ସଂକ୍ରାନ୍ତ ଅମିମାଂସିତ ବିଷୟଗୁଡ଼ିକର ସେ ସମାଧାନ କରିବ। ଚୀନ କହିଛି, ଭାରତ ଶୀଘ୍ର ଏଥିରେ ଯୋଗ ଦେଲେ ସେ ଏହାକୁ ସ୍ୱାଗତ କରିବ।

Comments are closed.