ସୁଲ୍‍ତାନ୍‍ ଆଜ୍‍ଲାନ୍‍ଶାହା କପ୍‍ ହକି : ଜାପାନକୁ ୨-୦ ଗୋଲରେ ପରାସ୍ତ କଲା ଭାରତ

0

ଇପୋ : ମାଲେସିଆର ଇପୋଠାରେ ଚାଲିଥିବା ୨୮ତମ ସୁଲ୍‍ତାନ୍‍ ଆଜ୍‍ଲାନ୍‍ଶାହା କପ୍‍ ହକିରେ ଶନିବାର ଭାରତୀୟ ପୁରୁଷ ହକି ଦଳ ଏସିୟ କ୍ରୀଡ଼ାର ସ୍ୱର୍ଣ୍ଣପଦକ ବିଜେତା ଜାପାନକୁ ୨-୦ ଗୋଲରେ ପରାସ୍ତ କରି ତା’ର ଅଭିଯାନ ଆରମ୍ଭ କରିଛି । ମ୍ୟାଚର ୨୪ତମ ମିନିଟରେ ବରୁଣ କୁମାର ଏକ ପେନାଲ୍‍ଟି କର୍ଣ୍ଣର୍‍କୁ ଗୋଲରେ ପରିଣତ କରିଥିବାବେଳେ ୫୫ ମିନିଟରେ  ଅଧିନାୟକ ମନ୍‍ପ୍ରୀତ୍‍ ସିଂହଙ୍କର ଏକ ଚମତ୍କାର ପାସ୍‍ରୁ ସିମ୍‍ରନ୍‍ଜିତ୍‍ ସିଂହ ଏକ ଫିଲ୍‍ଡ୍‍ ଗୋଲ ଦେଇଥିଲେ। ଏହି ବିଜୟ ସହ ଭାରତୀୟ ଦଳ ତିନି ପଏଣ୍ଟ ହାସଲ୍‍ କରିଛି । ଜଣେ କୋଚଙ୍କ ବିନା ମାର୍ଗଦର୍ଶନ ତଥା ଅନେକ ଖେଳାଳି ଆହତ ହୋଇଥିବା ସତ୍ତ୍ବେ ଭାରତ ଉନ୍ନତ ଖେଳ ପ୍ରଦର୍ଶନ କରିବା ସହ ଦଳ ଦୃଢ଼ ଆତ୍ମବିଶ୍ୱାସର ସହିତ ଖେଳି ଏହି ବିଜୟ ହାସଲ କରିଛି। ଭାରତ  ରବିବାର ଦିନ ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ କୋରିଆକୁ ଭେଟିବ। ସେହିପରି ୨୬ରେ ଆୟୋଜକ ମାଲେସିଆ, ୨୭ରେ କାନାଡା ଏବଂ ୨୯ରେ ପୋଲାଣ୍ଡକୁ ଭେଟିବ।
୧୯୮୫, ୧୯୯୧, ୧୯୯୫ ଏବଂ ୨୦୦୯ରେ ଭାରତ ଏହି ପ୍ରତିଯୋଗିତାରେ ଚମ୍ପିୟାନ ହୋଇଥିଲାବେଳେ ୨୦୧୦ରେ ଦକ୍ଷିଣ କୋରିଆ ସହିତ ଯୁଗ୍ମ ବିଜେତା ହୋଇଥିଲା। ୨୦୧୬ରେ ଭାରତ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ଜିତି ଥିବାବେଳେ ୨୦୧୭ରେ ବ୍ରୋଞ୍ଜ ପଦକ ହାସଲ କରିଥିଲା।
ଚଳିତବର୍ଷର ଟୁର୍ଣ୍ଣାମେଣ୍ଟରେ ମାଲେସିଆ, କାନାଡା, ପୋଲାଣ୍ଡ, ଜାପାନ ଏବଂ କୋରିଆ ଭାଗ ନେଉଛନ୍ତି। ଗତଥରର ଚମ୍ପିୟାନ୍‍ ଅଷ୍ଟ୍ରେଲିଆ ଚଳିତ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିନାହିଁ। ଆସନ୍ତା ୩୦ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ସମାପ୍ତ ହେବ ଉଦଯାପିତ ହେବ।

Leave A Reply