୧୯ ବର୍ଷରୁ କମ୍ ଏସିଆ କପ୍‍ ଟାଇଟଲ୍‍ ଜିତିଲା ଭାରତ

0

କଲମ୍ବୋ : ଭାରତ ୧୯ ବର୍ଷରୁ କମ୍ ଏସିଆ କପ୍‍ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି।  ବାଂଲାଦେଶକୁ ୫ ରନରେ ପରାସ୍ତ କରି ଭାରତ ଏହି ବିଜୟ ହାସଲ କରିଛି।

ବାମହାତି ସ୍ପିନର ଅମୋଲ ଆଙ୍କୋଲେକର ୫ଟି ୱିକେଟ ନେଇ ଭାରତୀୟ ବିଜୟର ହିରୋ ସାଜିଛନ୍ତି। ଏହି ୫୦ ଓଭରର ଫାଇନାଲରେ ଅଧିନାୟକ ଧ୍ରୁବ ଜୁରେଲଙ୍କ ୩୩ ରନ୍‌ ସତ୍ତ୍ବେ ଭାରତ ୩୨.୪ ଓଭରରେ ମାତ୍ର ୧୦୬ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ପରେ ଆଙ୍କୋଲେକରଙ୍କ ଘାତକ ବୋଲିଂ ଯୋଗୁଁ ୩୩ ଓଭରରେ ବାଂଲାଦେଶ ୧୦୧ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା।
ଚଳିତବର୍ଷ ୧୯ ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ​‌ର ୮ମ ସଂସ୍କରଣ ଥିବା ବେଳେ ଭାରତ ୬ଷ୍ଠ ଥର ପାଇଁ ଚମ୍ପିଆନ୍ ହୋଇଛି। ଏହାକୁ ଛାଡ଼ି ୨୦୧୨ରେ ପାକିସ୍ତାନ ସହ ଭାରତ ଯୁଗ୍ମ ଚମ୍ପିଆନ୍ ହୋଇଥିଲା। ଭାରତ ୭ମ ଥର ଫାଇନାଲ ପହଞ୍ଚିଥିଲେ ହେଁ ଥରେ ମଧ୍ୟ ହାରିନାହିଁ। କେବଳ ୨୦୧୭ରେ ଭାରତ ଫାଇନାଲ ଖେଳିନଥିବା ବେଳେ ଆଫ୍‌ଗାନିସ୍ତାନ ଚମ୍ପିଆନ୍ ହୋଇଥିଲା। ଶନିବାରର ଫାଇନାଲରେ ଟସ୍ ଜିତି ଭାରତୀୟ ୧୯ ବର୍ଷରୁ କମ୍ ଦଳ ବ୍ୟାଟିଂ ନେବା ପରେ ମାତ୍ର ୮ ରନ୍‌ରେ ୩ଟି ୱିକେଟ ହରାଇଥିଲା। ୪ର୍ଥ ୱିକେଟ ପାଇଁ ଧ୍ରୁବ ଜୁରେଲ ଓ ଶାଶ୍ବତ ରାୱତ ୪୫ ରନ୍ ଯୋଗ କରିଥିଲେ। ଜୁରେଲ୍‌ ୫୭ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୩ ରନ୍ କରିଥିଲେ। ରାୱତ ୧୯ ରନ୍ କରିଥିଲେ। ପରେ ୯ ରନ୍‌ରେ ଭାରତ ୪ଟି ୱିକେଟ ହରାଇଥିଲା। କରଣ ଲାଲ ୪୨ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୭ ରନ୍ କରିବାରୁ ଭାରତୀୟ ୧୯ ବର୍ଷରୁ କମ୍ ଦଳ ଶହେ ରନ୍ ଅତିକ୍ରମ କରି ପାରିଥିଲା।
ବାଂଲାଦେଶ ଦଳର ମୃତ୍ୟୁଞ୍ଜୟ ଚୌଧୁରୀ ଓ ସମିମ୍ ହୋସେନ୍ ୩ଟି ଲେଖାଏଁ ୱିକେଟ ପାଇଥିଲେ। ବାଂଲାଦେଶ ୧୦୭ ରନ୍ ବିଜୟଲକ୍ଷ୍ୟର ପିଛାକରି ମାତ୍ର ୧୬ ରନ୍‌ରେ ୪ଟି ୱିକେଟ ହରାଇଥିଲା। ପରେ ଅଧିନାୟକ ଆକ୍‌ବଲ ଅଲୀ ୨ଟି ଚୌକା ସହ ୨୩, ମୃତ୍ୟୁଞ୍ଜୟ ଚୌଧୁରୀ ୨୧, ତଞ୍ଜିମ୍ ହାସନ୍ ଶେଖ୍ ୧୨ ରନ୍‌ କରି ପାରିଥିଲେ। ଅମୋଲ ଆଙ୍କୋଲେକର ୨୮ ରନ୍‌ଦେଇ ୫ଟି ୱିକେଟ ନେଇ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଆକାଶ ସିଂହ ୩ଟି ୱିକେଟ ନେଇଥିଲେ।

 

 

Leave A Reply