ସୁଲ୍‌ତାନ ଅଫ୍ ଜୋହର କପ୍ ଫାଇନାଲରେ ଭାରତ

ଜୋହର ବାରୁ (ମାଲେସିଆ): ମାଲେସିଆ ଚାଲିଥିବା ସୁଲ୍‌ତାନ ଅଫ୍ ଜୋହର କପ୍  ଜୁନିୟର ପୁରୁଷ ହକି ଟୁର୍ଣ୍ଣାମେଣ୍ଟ‌ରେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି। ବୁଧବାର ଖେଳା ଯାଇଥିବା ମ୍ୟାଚ୍‌ରେ ଭାରତ ୫-୧ ଗୋଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ବୁଧବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଦଳ ଆକ୍ରମଣାତ୍ମକ ହକି ଖେଳିଥିଲା। ଓଡ଼ିଆ ତାରକା ଶିଳାନନ୍ଦ ଲାକ୍ରାଙ୍କ ଡବଲ୍ ଗୋଲ୍ ବଳରେ ଭାରତୀୟ ଜୁନିୟର ହକି ଟିମ୍ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୫-୧ ଗୋଲରେ ହରାଇ ସୁଲତାନ ଜୋହର କପ୍ ଫାଇନାଲରେ ପ୍ରବେଶ କରିଛି। ଭାରତ ପକ୍ଷରୁ ଶିଳାନନ୍ଦ ଦୁଇଟି (୨୬ତମ, ୨୯ତମ), ଦିଲପ୍ରୀତ ସିଂହ (୪୪ତମ), ଗୁରସାହିବଜିତ୍ ସିଂହ (୪୮ତମ) ଓ ମନଦୀପ ମୋର୍ (୫୦ତମ) ଗୋଲ୍ ଦେଇଥିଲେ। ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ଆରୋନ୍ ନାଇଟ୍ (୫୭ତମ) ଏକମାତ୍ର ଗୋଲ୍ ପରିଶୋଧ କରିଥିଲେ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ପ୍ରଥମ ଦୁଇଟି ମ୍ୟାଚରେ ଯଥାକ୍ରମେ ମ୍ୟାଲେସିୟା (୪-୨) ଓ ନ୍ୟୁଜିଲ୍ୟାଣ୍ଡ (୮-୨)କୁ ହରାଇଥିବା ବେଳେ ତୃତୀୟ ମ୍ୟାଚରେ ଜାପାନ (୩-୪) ନିକଟରୁ ପରାସ୍ତ ହୋଇଥିଲା। ତେବେ ଆଜି ମ୍ୟାଚ୍ ଜିତି ଭାରତ ପ୍ରଥମ ଦଳ ଭାବେ ଫାଇନାଲରେ ସ୍ଥାନ ପକ୍କା କରିଛି। ଫାଇନାଲରେ ପ୍ରବେଶ କରିସାରିଥିବା ଭାରତ ତାର ଅନ୍ତିମ ଲିଗ୍ ମ୍ୟାଚ୍ ୧୮ ତାରିଖରେ ଗ୍ରେଟ୍ ବ୍ରିଟେନ୍ ବିପକ୍ଷରେ ଖେଳିବ। ଚଳିତ ବର୍ଷ ଫାଇନାଲରେ ପ୍ରବେଶ କରିବା ପରେ ଭାରତ ଷଷ୍ଠଥର ପାଇଁ ସୁଲତାନଜୋହର କପ୍ ଫାଇନାଲରେ ପହଞ୍ଚିଛି। ଗତ ସଂସ୍କରଣରେ ମଧ୍ୟ ଭାରତ ଫାଇନାଲରେ ପହଞ୍ଚିଥିଲେ ହେଁ, ବ୍ରିଟେନ୍ ନିକଟରୁ ହାରି ରନର୍ସଅପ୍ ହୋଇଥିଲା। ଭାରତ ୨୦୧୩ ଓ ୨୦୧୪ ସଂସ୍କରଣରେ ଟାଇଟଲ୍ ଜିତିଥିବା ବେଳେ ତିନିଥର (୨୦୧୨, ୨୦୧୫, ୨୦୧୮) ରନର୍ସଅପ୍ ହୋଇଥିଲା।

Comments are closed.