ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ୭ ହଜାର ଟିକଟ୍‌ ବିକ୍ରି

ଇନ୍ଦୋର : ଭ୍ରମଣକାରୀ ବାଂଲାଦେଶ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆସନ୍ତା ୧୪ରୁ ଇନ୍ଦୋରରେ ଖେଳାଯିବ। ଏହି ମ୍ୟାଚ୍‌ ନିମନ୍ତେ ବର୍ତ୍ତମାନ ସୁଦ୍ଧା ୭ ହଜାର ସିଜିନ୍‌ ଟିକଟ୍‌ ବିକ୍ରି ସରିଥିବା ମଧ୍ୟପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌ ଅଧ୍ୟକ୍ଷ ଅଭିଳାଷ ଖାଣ୍ଡେକର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସେହିପରି ବଳକା ୯ ହଜାର ସିଜିନ୍‌ ଟିକଟ୍‌ ଖୁବ୍‌ଶୀଘ୍ର ବିକ୍ରି ହୋଇଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ସିଜିନ୍‌ ଟିକଟ୍‌ ବ୍ୟତୀତ ପ୍ରତିଦିନ ମ୍ୟାଚ୍‌ ଦେଖିବାକୁ ଦର୍ଶକଙ୍କ ନିମନ୍ତେ ଟିକଟ ବିକ୍ରି କରିବାକୁ ମଧ୍ୟପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌ ଯୋଜନା ରଖିଥିବା ସେ କହିଛନ୍ତି। ମଧ୍ୟପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌ର ଅନ୍ୟଜଣେ ପଦାଧିକାରୀ କହିଛନ୍ତି ହୋଲକାର ଷ୍ଟାଡ଼ିୟମରେ ୨୭ ହଜାର ଦର୍ଶକ ବସି ମ୍ୟାଚ୍‌ ଦେଖିପାରିବେ। ସେଥିମଧ୍ୟରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ ନିମନ୍ତେ ୧୬ ହଜାର ଟିକଟ୍‌ ବିକ୍ରି ହେବ। ବାକି ଟିକଟ ପ୍ରାୟୋଜକ, ବିସିସିଆଇ ପ୍ରତିନିଧି, ମଧ୍ୟପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌ ସଦସ୍ୟ, ପୂର୍ବତନ କ୍ରିକେଟର୍‌, ମାନ୍ୟଗଣ୍ୟ ବ୍ୟକ୍ତି ଓ ସରକାରୀ ଅଧିକାରୀଙ୍କୁ ପାସ୍‌ ଭାବେ ଯୋଗାଇ ଦିଆଯିବ। ଅନ୍‌ଲାଇନ୍‌ରେ ସିଜିନ୍‌ ଟିକଟ୍‌ ବିକ୍ରି ଗତ ୩ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୧୦ ତାରିଖ ଯାଏ ଚାଲିବ। ଟିକଟ୍‌ର ସର୍ବନିମ୍ନ ମୂଲ୍ୟ ୩୧୫ ଟଙ୍କା ରଖାଯାଇଥିବା ବେଳେ ସର୍ବାଧିକ ମୂଲ୍ୟ ୧୮୪୫ ଟଙ୍କା ରହିଛି। ଭାରତ ଓ ବାଂଲାଦେଶ ଦଳର ଖେଳାଳି ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଆସନ୍ତା ୧୧ରେ ମଧ୍ୟପ୍ରଦେଶରେ ପହଞ୍ଚିବେ ବୋଲି ଜଣାପଡ଼ିଛି।

Comments are closed.