ଦେଓଧର ଟ୍ରଫି ଜିତିଲା ଭାରତ ବି’ ଦଳ

ରାଞ୍ଚି: ଏଠାରେ ସୋମବାର ଖେଳାଯାଇଥିବା ଦେଓଧର ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ରେ ଭାରତ ସି’ ଦଳକୁ ୫୧ ରନ୍‌ରେ ପରାସ୍ତ କରି ଭାରତ ବି’ ଦଳ ଚମ୍ପିଆନ୍ ହୋଇଛି। ଟସ୍‌ ଜିତି ଭାରତ ବି’ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିଫଳତା ସତ୍ତ୍ବେ ଭାରତ ବି’ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୮୩ ରନ୍‌ ସଂଗ୍ରହ କରିଥିଲା। ଦଳର ଓପନର୍‌ ଗାଏକ୍ବାର୍ଡ କୌଣସି ରନ୍ ସଂଗ୍ରହ କରିବା ପୂର୍ବରୁ ପୋରେଲ୍‌ଙ୍କ ଶିକାର ହୋଇଥିଲେ। ଅଧିନାୟକ ପାର୍ଥିବ ପଟେଲ୍‌ ୨୦ଟି ବଲ୍‌ରୁ ୧ଟି ଚୌକା ସହାୟତାରେ ୧୪ ରନ୍‌ କରି ପୋରେଲ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ବାବା ଅପରାଜିତ ୧ଟି ଚୌକା ସହାୟତାରେ ୧୩ ରନ୍‌ କରି ଜଲାଲ୍‌ ସକ୍ସେନାଙ୍କ ବଲରେ ଆଉଟ୍‌ ହୋଇଥିଲେ। ଅନ୍ୟପକ୍ଷରେ ଜୟସ୍ବାଲ୍‌ ୫ଟି ଚୌକା ଓ ୧ଟି ଛକା ସହାୟତାରେ ୫୪ ଓ କେଦାର ଯାଦବ ୪ଟି ଚୌକା ଓ ୪ଟି ଛକା ସହାୟତାରେ ୮୬ ରନ୍‌ ସଂଗ୍ରହ କରି ଦଳର ସ୍ଥିତିକୁ ମଜୁଭୁତ୍‌ କରିଥିଲେ। କେଦାରଙ୍କୁ ପୋରେଲ୍‌ ଆଉଟ୍‌ କରିଥିବା ବେଳେ ଜୟସ୍ବାଲ୍‌ଙ୍କୁ ଅକ୍ଷର ପଟେଲ୍‌ ଆଉଟ୍‌ କରିଥିଲେ। ଦଳର ସ୍କୋର ୧୭୧ ରନ୍‌ ହୋଇଥିବା ବେଳେ ୫ମ ୱିକେଟ୍‌ର ପତନ ଘଟିଥିଲା। ନିତିଶ ରାଣା ୧ଟି ଚୌକା ସହାୟତାରେ ୨୦ ରନ୍‌ କରି ପୋରେଲ୍‌ଙ୍କ ଶିକାର ହୋଇଥିଲେ। ନିମ୍ନଭାଗରେ ବ୍ୟାଟିଂ କରିବାକୁ ଆସିଥିବା ବିଜୟ ଶଙ୍କର ଓ ଗୌତମ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ବିଜୟ ଶଙ୍କର ୩୩ଟି ବଲ୍‌ରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ୪୫ ରନ୍‌ କରି ପୋରେଲ୍‌ଙ୍କ ବଲ୍‌ରେ ଆଉଟ୍ ହୋଇଥିବା ବେଳେ ଗୌତମ ୧୦ଟି ବଲ୍‌ରୁ ୩ଟି ଚୌକା ଓ ୩ଟି ଛକା ସହାୟତାରେ ୩୫ ରନ୍‌ କରି ଅପରାଜିତ ରହିଥିଲେ।ଭାରତ ସି’ର ବୋଲର ଈଶାନ୍‌ ପୋରେଲ୍‌ ୪୩ ରନ୍‌ ବିନିମୟରେ ୫ଟି ୱିକେଟ୍ ହାସଲ କରିଥିବା ବେଳେ ଜଲାଲ୍‌ ସକ୍ସେନା ଓ ଅକ୍ଷର ପଟେଲ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଥିଲେ।
ଜବାବରେ ଭାରତ ସି’ ଦଳ ବ୍ୟାଟିଂକ ରି ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୩୨ ରନ୍‌ ସଂଗ୍ରହ କରି ପରାସ୍ତ ହୋଇଥିଲା। ଦଳ ତରଫରୁ ମୟଙ୍କ ଅଗ୍ରୱାଲ୍‌ ଓ ଅଧିନାୟକ ଶୁବମାନ୍‌ ଗିଲ୍‌ ବ୍ୟାଟିଂ ଓପନ୍‌ କରିଥିଲେ। ତେବେ ଦଳର ସ୍କୋର ମାତ୍ର ୨ ରନ୍‌ ହୋଇଥିବା ବେଳେ ଶୁବମାନ୍‌ ବ୍ୟକ୍ତିଗତ ଭାବେ ୧ ରନ୍‌ କରି ସିରାଜ୍‌ଙ୍କ ଶିକାର ହୋଇଥିଲେ। ମୟଙ୍କ ଅଗ୍ରୱାଲ୍‌ ୩୧ଟି ବଲ୍‌ରୁ ୩ଟି ଚୌକା ସହାୟତାରେ ୨୮ ରନ୍‌ କରି ନଦିମ୍‌ଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଗର୍ଗ ଭଲ ପ୍ରଦର୍ଶନ କରି ୮ଟି ଚୌକା ଓ ୧ଟି ଛକା ସହାୟାରେ ୭୪ ରନ୍‌ ସଂଗ୍ରହ କରିଥିଲେ। ତେବେ ପରବର୍ତ୍ତୀ ୩ଜଣ ବ୍ୟାଟସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ୩, ବିରାଟ ସିଂହ ୬ ଓ ଦିନେଶ କାର୍ତ୍ତିକ ୩ ରନ୍‌ କରି ଆଉଟ୍ ହେବା ଦଳ ପାଇଁ ମହଙ୍ଗା ପଡ଼ିଲା। ଶେଷ ବେଳକୁ ଅକ୍ଷର ପଟେଲ୍ ୩ଟି ଚୌକା ଓ ୧ଟି ଛକା ସହାୟତାରେ ୩୮, ମାର୍କଣ୍ଡେ ୩ଟି ଚୌକା ସହାୟତାରେ ୨୭ ରନ୍‌ କରି ଆଉଟ୍‌ ହୋଇଥିଲେ। ଜଲାଲ୍‌ ସକ୍ସସେନା ୧ଟି ଚୌକା ସହାୟତାରେ ୩୭ ଓ ପୋରେଲ୍‌ ୫ ରନ୍‌ କରି ଅପରାଜିତ ରହିଥିଲେ। ଭାରତ ସି’ ବୋଲର ନଦିମ୍‌ ୩୨ ରନ୍‌ ବିନିମୟରେ ୪ଟି ୱିକେଟ୍‌ ହାସଲ କରିଥିବା ବେଳେ ମହମ୍ମଦ ସିରାଜ୍‌ ୪୩ ରନ୍‌ ବିନିମୟରେ ୨ଟି ଓ କାଲାରିଆ ୫୬ ରନ୍ ବିନିମୟରେ ୧ଟି ୱିକେଟ୍‌ ହାସଲ କରିଥିଲେ।

Comments are closed.