ଭୁଟାନ ଗସ୍ତରୁ ଫେରିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ସଫଳ ଭୁଟାନ୍‍ ଗସ୍ତ ଶେଷ କରି ରବିବାର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଭୁଟାନ୍‍ର ପ୍ରଧାନମନ୍ତ୍ରୀ ଡକ୍ଟର ଲୋଟେ ସେରିଙ୍ଗ୍‍ ଆଜି ଅପରାହ୍ଣରେ ବିମାନ ବନ୍ଦରଠାରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ପୂର୍ବରୁ ଭୁଟାନ୍‍ର ରାଜା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ଭୋଜିର ଆୟୋଜନ କରିଥିଲେ। ରବିବାର ସକାଳେ ଥିମ୍ପୁଠାରେ ରୟାଲ୍‍ ଭୁଟାନ୍‍ ୟୁନିଭର୍‍ସିଟିର ଛାତ୍ରଛାତ୍ରୀମାନଙ୍କୁ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ନିର୍ବୋଧ ଭାବ ପରେ ଆନନ୍ଦ ସବୁବେଳେ ବିଜୟୀ ହୋଇଥାଏ। ସେ କହିଥିଲେ, ସଂହତିରୁ ଉଦ୍‍ବୃତ୍ତ ଆନନ୍ଦ ହେଉଛି ମାନବ ସମାଜକୁ ଭୁଟାନ୍‍ର ବାର୍ତ୍ତା ଏବଂ ଏହି ଆନନ୍ଦ ମାଧ୍ୟମରେ ସମଗ୍ର ବିଶ୍ୱର କଲ୍ୟାଣ ହୋଇପାରିବ।

ଆନନ୍ଦର ସତ୍ତା ଏବଂ ସଂହତି, ଏକତା ଓ ଦୟାର ଭାବନାକୁ ଭୁଟାନ୍‍ ହୃଦୟଙ୍ଗମ କରିଥିବା ବିଷୟ ନେଇ ମୋଦୀ ସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ଉଭୟ ଦେଶ ସହଯୋଗର ପାରମ୍ପରିକ କ୍ଷେତ୍ରଗୁଡ଼ିକ ଛଡ଼ା ବିଦ୍ୟାଳୟରୁ ମହାକାଶ ଏବଂ ଡିଜିଟାଲ୍‍ ନେଣଦେଣଠାରୁ ଦୁର୍ବିପାକ ପରିଚାଳନା ପର୍ଯ୍ୟନ୍ତ ନୂତନ କ୍ଷେତ୍ରରେ ବ୍ୟାପକ ସହଯୋଗ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ସେ କହିଛନ୍ତି, ୧୩୦ କୋଟି ଭାରତୀୟ ଭୁଟାନ୍‍ବାସୀଙ୍କ ଭବିଷ୍ୟତ ପନ୍ଥା ବିଶେଷକରି ଶିକ୍ଷାକ୍ଷେତ୍ରରେ ସେ ଦେଶକୁ ସହଯୋଗର ହାତ ବଢ଼ାଇବାପାଇଁ ପ୍ରସ୍ତୁତ ଅଛନ୍ତି। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଭୁଟାନ୍‍ ନେତୃତ୍ୱ ଜଳବିଦ୍ୟୁତ୍‍ ଶକ୍ତି କ୍ଷେତ୍ର ବ୍ୟତୀତ ଅନ୍ୟାନ୍ୟ ବହୁ କ୍ଷେତ୍ରରେ ସହଯୋଗ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଏହି ବନ୍ଧୁତ୍ୱକୁ ଆହୁରି ଦିଗନ୍ତବିସ୍ତାରୀ କରିବା ଲକ୍ଷ୍ୟ ନେଇ ଉଭୟ ଦେଶ ଅନେକ ରାଜିନାମାରେ ସ୍ୱାକ୍ଷର କରିଛନ୍ତି। ମହାକାଶ ଗବେଷଣା, ଶିକ୍ଷା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଆଇନଗତ ଶିକ୍ଷା ଆଦି କ୍ଷେତ୍ର ଏହାର ଅନ୍ତର୍ଭୁକ୍ତ।

Comments are closed.