ମୂଲ ଲାଗୁଛନ୍ତି ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ

0

ହରିଚନ୍ଦନପୁର : ସ୍ୱାଧୀନତା ସଂଗ୍ରାମୀ ଆନନ୍ଦ ଦଣ୍ଡପାଟ ଦେଶମାତୃକା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଇଂରେଜ ସରକାରଙ୍କ ଲାଠି ମାଡ ଖାଇ ଜେଲ ମଧ୍ୟ ଯାଇଗଲେ। ଭିକ୍ଷା ବୃତ୍ତି କରି ପରିବାର ଚଳାଇବା ସହ ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ଲୋକଙ୍କୁ ବୁଲି ବୁଲି ସଚେତନ କରୁଥିଲେ। ନିଜ ପାଇଁ କିମ୍ବା ପରିବାର ପାଇଁ କିଛି କରିପାରି ନଥିବା ସ୍ୱାଧୀନତା ସଂଗ୍ରାମୀ ଆନନ୍ଦଙ୍କ ପରିବାର ଏବେ ଦୁଃଖ ଦୁର୍ଦଶାରେ କାଳ ବିତାଉଛନ୍ତି। ପେଟ ପୋଷିବା ପାଇଁ ଏହି ସଂଗ୍ରାମୀଙ୍କ ଦାୟାଦ ଏବେ ବାହାର ରାଜ୍ୟରେ ମୂଲ ଲାଗିବାକୁ ବାଧ୍ୟ ହୋଇଛନ୍ତି।
ଆନନ୍ଦଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯିବା ଦୂରର କଥା; ତାଙ୍କୁ ନେଇ ସଭା ସମିତିଟିଏ ବି ହେଉନି। ଅବହେଳିତ ଅବସ୍ଥାରେ ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ରହିଥିବା ବେଳେ ଗୁଜୁରାଣ ମେଣ୍ଟାଇବା ପାଇଁ ପରିବାରର ସଦସ୍ୟ ଏବେ ବାହାର ରାଜ୍ୟରେ କାମ କରୁଛନ୍ତି। ହରିଚନ୍ଦନପୁର ବ୍ଲକ ଶଗଡପଟା ବେଡାଦୁମା ସାହିରେ ଏହି ସ୍ୱାଧୀନତା ସଂଗ୍ରାମୀ ଆନନ୍ଦ ଦଣ୍ଡପାଟଙ୍କ ଘର। ଗ୍ରାମକୁ ପଶିବା ପୂର୍ବରୁ ଗାଁ ଛକରେ ସଂଗ୍ରାମୀଙ୍କ ବୋହୂ ରାସ୍ତା କଡରେ ପରିବା ବିକୁଥିବା ଦେଖିବାକୁ ମିଳେ। ନାତୁଣୀ ବୋହୂ ଦିନ ମଜୁରୀ ପାଇଁ ବାହାରକୁ ଯାଇଥିଲେ। ଘର କାନ୍ଥ ଫାଟି ଆଁ କରିଥିବା ବେଳେ ଭଙ୍ଗା ଟାଇଲ ଛପର ଘରେ ପାଣି ଗଳୁଥିବା କାରଣରୁ ପଲିଥିନି ପକାଯାଇଛି। ଦୁଇ ଓଳି ଚୁଲି ଜଳାଇବା ପାଇଁ ପରିବାର ଲୋକେ ଦିନ ମଜୁରି କରୁଥିବା ବେଳେ କୁନି ପୁଅ ବାହାର ରାଜ୍ୟରେ ଦାଦନ ଖଟୁଛି। ସରକାର କେବେହେଲେବି ଏମାନଙ୍କୁ ମନେ ପକାଉ ନଥିବା ସେ କହିଛନ୍ତି।
ଅନ୍ୟ ପଟେ ସଂଗ୍ରାମୀ ପାଉଥିବା ପେନସନରୁ କିଛି ଅଂଶ ରହିଯାଇଥିବାକୁ ନେଇ ପରିବାର ଲୋକମାନେ ଦୌଡି ଦୌଡି ନିରାଶ ହୋଇଛନ୍ତି। ୧୯୭୨ରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ଆଦିବାସୀ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ଆନନ୍ଦ ଦଣ୍ଡପାଟଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଏକ ତାମ୍ରପତ୍ର ପ୍ରଦାନ କରିଥିଲେ। ସ୍ୱାଧୀନତା ସଂଗ୍ରାମରେ ସେ ଯୋଗଦେଇ ଇଂରେଜ ଲାଠି ମାଡ ଖାଇବା ସହ ୬ ମାସ ଜେଲ ମଧ୍ୟ ଯାଇଥିଲେ। ଦେଶ ମାତୃକା ପାଇଁ ଅନେକ କିଛି କରିଥିବା ବେଳେ ନିଜ ପାଇଁ କିମ୍ବା ପରିବାର ପାଇଁ କିଛି କରି ପାରି ନଥିଲେ। ତାଙ୍କର ମୃତ୍ୟୁ ପରେ ଶଗଡପଟା ଗ୍ରାମରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ ଦୂରର କଥା, ଆଜି ପର୍ଯ୍ୟନ୍ତ ସଂଗ୍ରାମୀଙ୍କ ଗ୍ରାମରେ ବିଜୁଳି ଆଲୁଅ କିମ୍ବା ପାନୀୟ ଜଳର ବ୍ୟବସ୍ଥା ନାହିଁ। ଦେଶବାସୀଙ୍କୁ ସ୍ୱାଧୀନତାର ସ୍ୱାଦ ଚଖାଇବା ପାଇଁ ନିଜର ସ୍ୱାର୍ଥକୁ ବଳି ପକାଇଥିବା ସଂଗ୍ରାମୀଙ୍କୁ କେବଳ କ୍ରାନ୍ତି ଦିବସରେ ମନେ ପକା ଯାଉଥିବା ବେଳେ ସେମାନଙ୍କୁ ସମାଜରେ ସ୍ୱତନ୍ତ୍ର ସମ୍ମାନ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ। ଏବାବଦରେ ସ୍ଥାନୀୟ ସରପଞ୍ଚ କୈକେୟୀ ନାଏକଙ୍କ ଦୃଷ୍ଟି ଆର୍କଷଣ କରିବାରେ ସେ ଯଥାଶିଘ୍ର ଉକ୍ତ ପରିବାରକୁ ମୈାଳିକ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply