ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟ୍ବେଣ୍ଟି-୨୦ ଆଜି

ହାଇଦରାବାଦ : ଗତ ୧୩ ମାସରେ ୭ମ ଥର ପାଇଁ ଟ୍ବେଣ୍ଟି-୨୦ରେ ୱେଷ୍ଟଇଣ୍ଡିଜ୍‌ର ମୁକାବିଲା କରିବାକୁ ଯାଉଛି ଘରୋଇ ଭାରତ। ଏହି ସିରିଜ୍ ସହ ଉଭୟ ଦଳ ୨୦୨୦ ଟ୍ବେଣ୍ଟି୨୦ ସିରିଜ୍‌ ଲାଗି ପ୍ରସ୍ତୁତି ଆରମ୍ଭ କରିବେ। ଗତ ୧୩ ମାସରେ ଉଭୟ ଦଳଙ୍କ ମଧ୍ୟରେ ଖେଳା ଯାଇଥିବା ୬ଟି ଟ୍ବେଣ୍ଟି୨୦ ମ୍ୟାଚ୍‌କୁ ଭାରତ ଜିତିପାରିଛି। ବାଂଲାଦେଶ ବିପକ୍ଷରେ ଗତ ଘରୋଇ ଟ୍ବେଣ୍ଟି୨୦ ସିରିଜ୍‌କୁ ଭାରତ ୨-୧ରେ ଜିତିଥିଲେ। ବିରାଟ କୋହଲି ଉକ୍ତ ସିରିଜ୍‌ରୁ ବିଶ୍ରାମ ନେଇଥିଲେ ହେଁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦଳର ନେତୃତ୍ବ ନେବା ପାଇଁ ଫେରିଛନ୍ତି। ପେସ୍ ବୋଲିଂ ଆକ୍ରମଣକୁ ମଜ୍‌ଭୁତ କରିବା ଲାଗି ଭାରତୀୟ ଦଳକୁ ଭୁବନେଶ୍ବର କୁମାର ଓ ମହମ୍ମଦ ସାମି ଫେରିଛନ୍ତି। ଆସନ୍ତାବର୍ଷର ଟ୍ବେଣ୍ଟି୨୦ ବିଶ୍ବକପ୍‌କୁ ନଜରରେ ରଖି ୱେଷ୍ଟଇଣ୍ଡିଜ୍ ସିରିଜ୍ ଲାଗି ଭାରତ ତା’ର ଶ୍ରେଷ୍ଠ ଟ୍ବେଣ୍ଟି୨୦ ଦଳ ଘୋଷଣା କରିଛି। ଅବଶ୍ୟ ଆହତ ଥିବାରୁ ଶିଖର ଧାୱନ୍ ସିରିଜ୍‌ରୁ ଓହରିଯିବାରୁ ସଞ୍ଜୁ ସାମ୍‌ସନ୍ ତାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତି।
ଗତ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ୱେଷ୍ଟଇଣ୍ଡିଜ୍ ଚମ୍ପିଆନ ହୋଇଥିଲା। ତେବେ ଏହା ପରଠାରୁ ଇଣ୍ଡିଜ୍‌ର ପ୍ରଦର୍ଶନ ବେଶ୍ ନିମ୍ନମାନର ହୋଇଛି। ଫଳରେ ଆଇସିସି ଟ୍ବେଣ୍ଟି୨୦ ମାନ୍ୟତାରେ ୱେଷ୍ଟଇଣ୍ଡିଜ୍ ୧୦ମ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ୍ ଦଳ ଗତ ମାସେ ହେଲା ଭାରତରେ ଅଛି। ଲକ୍ଷ୍ନୌରେ ଆଫ୍‌ଗାନିସ୍ତାନ ବିପକ୍ଷରେ ୱେଷ୍ଟଇଣ୍ଡିଜ୍, ଟ୍ବେଣ୍ଟି୨୦, ଦିନିକିଆ ଓ ଗୋଟିଏ ଟେଷ୍ଟମ୍ୟାଚ୍‌ର ସିରିଜ୍ ଖେଳିଛି। ଦୀର୍ଘ ୫ ବର୍ଷ ପରେ ଏକ ଦିନିକିଆ ସିରିଜ୍ ଖେଳିବା ପୂର୍ବରୁ ଆଫ୍‌ଗାନିସ୍ତାନଠାରୁ ଟ୍ବେଣ୍ଟି୨୦ ସିରିଜ୍‌କୁ ୧-୨ରେ ହାରିଥିଲା ୱେଷ୍ଟଇଣ୍ଡିଜ୍। ତେଣୁ ଭାରତ ପରି ଶକ୍ତିଶାଳୀ ଦଳର ମୁକାବିଲା ପୂର୍ବରୁ ଉକ୍ତ ପରାଜୟ କୈରନ୍ ପୋଲାର୍ଡଙ୍କ ଦଳର ଆତ୍ମବିଶ୍ବାସକୁ ଆଘାତ ଦେଇଥିବ ନିଶ୍ଚୟ। ଏଥର ୱେଷ୍ଟଇଣ୍ଡିଜ୍ ଦଳରେ କ୍ରିସ୍ ଗେଲ୍‌, ଆ​‌େ​‌ନ୍ଦ୍ର ରସେଲ୍, କାର୍ଲୋସ୍‌ ବ୍ରାଥ୍‌ୱେଟ୍‌ ଓ ଡ୍ବେନ୍ ବ୍ରାଭୋଙ୍କ ପରି ଖେଳାଳି ନାହାନ୍ତି। ଫଳରେ ୱେଷ୍ଟଇଣ୍ଡିଜ୍ ଦଳରେ ବ୍ରାଣ୍ଡନ୍ କିଙ୍ଗ୍, ହେଡେନ୍ ୱାଲ୍‌ସ ଜୁନିୟର, ରୋମାରିଓ ସେଫର୍ଡ ଓ ଖାରି ପିଏରେଙ୍କ ପରି ଯୁବ ଖେଳାଳି ସୁଯୋଗ ପାଇଛନ୍ତି। ତେଣୁ ଅଭିଜ୍ଞତା ମାମଲାରେ ଏହା ଭାରଠାରୁ ପଛରେ ରହିଛି। ଆଫ୍‌ଗାନିସ୍ତାନ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟିଂ ବିଫଳ ହୋଇଥିବା ବେଳେ ଭାରତକୁ ପରାସ୍ତ କରିବା ଲାଗି ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ। ତେଣୁ ଏଭିନ୍ ଲୁଇସ୍, ଲେଣ୍ଡଲ୍‌ ସିମନ୍‌ସ ଓ ନିକୋଲାସ୍ ପୁରନ୍‌ଙ୍କ ପରି ବ୍ୟାଟ୍‌ସମ୍ୟାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ବହୁତଦିନ ପରେ ଅଭିଜ୍ଞ ସିମନ୍‌ସଙ୍କୁ ଇଣ୍ଡିଜ୍ ଟ୍ବେଣ୍ଟି୨୦ ଦଳରେ ସାମିଲ କରାଯାଇଛି। ବ୍ରାଣ୍ଡନ୍ କିଙ୍ଗ୍‌ କ୍ୟାରିବିୟାନ୍ ପ୍ରିମିୟର ଲିଗ୍‌ରେ ସର୍ବାଧିକ ସ୍କୋରର୍। ଶକ୍ତିଶାଳୀ ଭାରତକୁ ପରାସ୍ତ କରିବାକୁ ହେଲେ ୱେଷ୍ଟଇଣ୍ଡିଜ୍‌କୁ ତା’ର ପ୍ରଦର୍ଶନର ମାନକୁ ବହୁତ ଉପରକୁ ନେବାକୁ ପଡ଼ିବ। ତେବେ ଏହା ମଧ୍ୟ ୱେଷ୍ଟଇଣ୍ଡିଜ୍ ଜାଣିଛି ଯେ ୩ଟି ଫର୍ମାଟରୁ ଟ୍ବେଣ୍ଟି୨୦ରେ ଭାରତ ଅପେକ୍ଷାକୃତ ଦୁର୍ବଳ।
ଅନ୍ୟପକ୍ଷରେ ଭାରତୀୟ ଦଳ ଏବେ ସମସ୍ତ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରୁଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍‌ରେ ସମସ୍ତ ପ୍ରମୁଖ ଖେଳାଳିଙ୍କୁ ଦଳରେ ସାମିଲ କରା ଯାଇଥିବାରୁ ଏହା ଅଧିକ ଶକ୍ତିଶାଳୀ ମନେହେଉଛି। ୱେଷ୍ଟଇଣ୍ଡିଜ୍ ବୋଲରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରନ୍ତି ଓପ୍‌ନର ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲି। ଘରୋଇ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରିବା ପରେ ମନୀଷ ପାଣ୍ଡେ, କେ.ଏଲ୍‌. ରାହୁଲ ଓ ୱାଶିଂଟନ ସୁନ୍ଦର ଆନ୍ତର୍ଜାତିକ କ୍ରିକେଟରେ ପ୍ରଭାବିତ କରିବାର ପ୍ରୟାସ କରିବେ। ଭାରତୀୟ ଦଳ ପୂରା ଶକ୍ତିରେ ଥି​‌େ​‌ଲ ମଧ୍ୟ ଶିଖର ଧାୱନ୍, ଯଶପ୍ରୀତ ବୁମ୍‌ରା ଓ ହାର୍ଦିକ ପାଣ୍ଡ୍ୟା ନାହାନ୍ତି। ଆନ୍ତର୍ଜାତିକ ଟ୍ବେଣ୍ଟି୨୦ରେ ଦୀପକ ଚହରଙ୍କ ଉଲ୍‌କା ପରି ଉତ୍‌ଥାନ ଭୁବନେଶ୍ବର କୁମାରଙ୍କୁ ଚାପରେ ପକାଇଛି। କାରଣ ତାଙ୍କର ଗତ ୬ଟି ଧଳା ବଲ୍‌ ଆନ୍ତର୍ଜାତିକ ମ୍ୟାଚ୍‌ରୁ ୩ଟିରେ ଭୁବନେଶ୍ବର ୱିକେଟ ପାଇନାହାନ୍ତି। ଧାୱନଙ୍କ ସ୍ଥାନରେ ସଞ୍ଜୁ ସାମ୍‌ସନ୍ ସାମିଲ ହୋଇଥିଲେ ବି ତାଙ୍କ ଖେଳିବା ସମ୍ଭାବନା କମ୍। ସାମୟିକ ଭାବେ ହାର୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ଏବେ ଶିବମ୍ ଦୁବେଙ୍କୁ ମିଳିବ। ସାମି ଦଳରେ ଥିଲେ ହେଁ ତାଙ୍କୁ ପ୍ରଥମ ମ୍ୟାଚ୍‌ରେ ବିଶ୍ରାମ ମିଳିପାରେ। ସ୍ପିନର ଭାବେ ରବୀନ୍ଦ୍ର ଜାଡ଼େଜା ଓ ୟୁଜବେନ୍ଦ୍ର ଚହଲ ଖେଳିବେ। ଇଣ୍ଡିଜ୍‌ର ୨ ସ୍ପିନର ଫାବିଏନ୍ ଆଲେନ୍ ଓ ହେହେନ୍ ୱାଲ୍‌ସ ଜୁନିୟର ଖେଳିବା ନିଶ୍ଚିତ। ଯଦି ଏହା ୩ୟ ସ୍ପିନରଙ୍କୁ ଖେଳାଇବାର ନିଷ୍ପତ୍ତି ନିଏ; ତେବେ କିମୋ ପଲ୍‌ଙ୍କ ସ୍ଥାନରେ ଖାରି ପିଏରେ ଖେଳିପାରନ୍ତି।

Comments are closed.