କୋହଲି ଓ ରାହୁଲଙ୍କ ଅର୍ଦ୍ଧଶତକ : ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତ ବିଜୟୀ

ହାଇଦରାବାଦ୍‌  : ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଏଠାରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ୬ ୱିକେଟ୍‌ରେ ବିଜୟୀ ହୋଇଛି। ବିଜୟ ପାଇଁ ଭାରତୀୟ ଦଳ ୨୦୮ରନ୍‌ ଆବଶ୍ୟକ କରୁଥିବା ବେଳେ ଦଳ୧୮.୪ ଓଭରରେ ୪ ୱିକେଟ୍‌ ହରାଇ ୨୦୯ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲା। ଅଧିନାୟକ ବିରାଟ କୋହଲି ଅପରାଜିତ ଅର୍ଦ୍ଧଶତକ ଓ କେଏଲ୍‌ ରାହୁଲ ଅର୍ଦ୍ଧଶତକ ହାସଲ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଭାରତ ତରଫରୁ ରୋହିତ ଶର୍ମା ଓ କେଏଲ୍ ରାହୁଲ ବ୍ୟାଟିଂ ଓପନ୍‌ କରିଥିଲେ। ତେବେ ରୋହିତ ବେଶୀ ସମୟ ପିଚ୍‌ରେ ତିଷ୍ଠି ପାରିନଥିଲେ। ଦଳର ସ୍କୋର ୩୦ ରନ୍‌ ହୋଇଥିବା ବେଳେ ରୋହିତ ୧ଟି ଚୌକା ସହାୟତାରେ ୮ ରନ୍‌ କରି ପେରିଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଏହାପରେ କେଏଲ୍‌ ରାହୁଲ ଓ ଅଧିନାୟକ ବିରାଟ କୋହଲି ନିଜ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା କରି ବ୍ୟାଟିଂ କରିଥିଲେ। ଉଭୟ ଦ୍ବିତୀୟ ୱିକେଟ୍‌ ନିମନ୍ତେ ୧୦୦ ରନ୍‌ ସଂଗ୍ରହ କରିଥିଲେ। ଦଳର ସ୍କୋର ୧୩୦ ରନ୍‌ ହୋଇଥିବା ବେଳେ ରାହୁଲ ବ୍ୟକ୍ତିଗତ ଭାବେ ୪୦ଟି ବଲ୍‌ରୁ ୫ଟି ଚୌକା ଓ ୪ଟି ଛକା ସହାୟତାରେ ୬୨ ରନ୍‌ କରି ପେରିଙ୍କ ଶିକାର ହୋଇଥିଲେ। ରାହୁଲ ଆଉଟ୍ ହେବା ପରେ ବ୍ୟାଟିଂ କରିବାକୁ ଆସିଥିବା ପନ୍ତ୍‌ ୯ଟି ବଲ୍‌ରୁ ୨ଟି ଛକା ସହାୟତାରେ ୧୮ ରନ୍‌ କରି ଆଉଟ୍‌ ହୋଇଥିଲେ। ଶ୍ରେୟାସ ଆୟର ମାତ୍ର ୪ ରନ୍‌ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ବିରାଟ କୋହଲି ୫୦ଟି ବଲ୍‌ରୁ ୬ଟି ଚୌକା ଓ ୬ଟି ଛକା ସହାୟତାରେ ୯୪ ଓ ଶିବମ୍‌ ଦୁବେ କୌଣସି ରନ୍ ନ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ।
ଟସ୍‌ ଜିତି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ୱେଷ୍ଟଇଣ୍ଡିଜକୁ ଆମନ୍ତ୍ରଣ କରିଥିଲା। ୱେଷ୍ଟଇଣ୍ଡିଜ ତରଫରୁ ସିମନ୍‌ସ ଓ ଲୁଇସ୍‌ ବ୍ୟାଟିଂ ଓପନ୍‌ କରିଥିଲେ। ତେବେ ଦଳର ସ୍କୋର ମାତ୍ର ୧୩ ରନ୍ ହୋଇଥିବା ବେଳେ ସିମନ୍‌ସ ବ୍ୟକ୍ତିଗତ ଭାବେ ୨ ରନ୍‌ କରି ଚହରଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ସିମନ୍‌ସଙ୍କ ୱିକେଟ୍‌ ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା କିଙ୍ଗ୍‌ ଓ ଲୁଇସ୍‌ ନିଜ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା କରି ଖେଳିବା ସହ ଦଳର ସ୍କୋରକୁ ଆଗେଇ ନେଇଥିଲେ। ଉଭୟ ବ୍ୟାଟସମ୍ୟାନ୍‌ ଦ୍ବିତୀୟ ୱିକେଟ୍‌ ନିମନ୍ତେ ୫୧ ରନ୍‌ ଯୋଗ କରିଥିଲେ। ଦଳର ସ୍କୋର ୬୪ ରନ୍ ହୋଇଥିବା ବେଳେ ଲୁଇସ୍‌ ବ୍ୟକ୍ତିଗତ ଭାବେ ୧୭ଟି ବଲ୍‌ରୁ ୩ଟି ଚୌକା ଓ ୪ଟି ଛକା ସହାୟତାରେ ୪୦ ରନ୍‌ କକରି ୱାଶିଂଟନ ସୁନ୍ଦରଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ହେତମେୟର୍‌ ଓ କିଙ୍ଗ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ। ତେବେ ଦଳର ସ୍କୋର ୧୦୧ ରନ୍ ହୋଇଥିବା ବେଳେ କିଙ୍ଗ୍‌ସ ୨୩ଟି ବଲ୍‌ରୁ ୩ଟି ଚୌକା ଓ ୧ଟି ଛକା ସହାୟତାରେ ୩୧ ରନ୍‌ କରି ଜାଡେଜାଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। କିଙ୍ଗ୍‌ସ ଆଉଟ୍‌ ହେବା ପରେ ବ୍ୟାଟିଂ କରିବାକୁ ଆସିିଥିଲେ ଅଧିନାୟକ ପୋଲାର୍ଡ। ପୋଲାର୍ଡ ଓ ହେତମେୟର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରି ଚାଲିଥିଲେ। ଭାରତୀୟ ବୋଲର ସେମାନଙ୍କ ବିରୋଧରେ ପ୍ରଭାବହୀନ ପରି ଲାଗୁଥିଲେ। ଚତୁର୍ଥ ୱିକେଟ୍‌ ନିମନ୍ତେ ଏହି ଦୁଇ ବ୍ୟାଟସମ୍ୟାନ୍ ୭୧ ରନ୍‌ ଯୋଗ କରିଥିଲେ। ଦଳର ସ୍କୋର ୧୭୨ ରନ୍‌ ହୋଇଥିବା ବେଳେ ହେତମେୟାର ୪୧ଟି ବଲ୍‌ରୁ ୨ଟି ଚୌକା ଓ ୪ଟି ଛକା ସହାୟତାରେ ୫୬ ରନ୍‌ କରି ଚହଲଙ୍କ ବଲରେ ଆଉଟ୍‌ ହୋଇଥିଲେ। ଦଳର ସ୍କୋର ୧୭୩ ରନ୍‌ ହୋଇଥିବା ବେଳେ ପୋଲାର୍ଡ ୧୯ଟି ବଲ୍‌ରୁ ୧ଟି ଚୌକା ଓ ୪ଟି ଛକା ସହାୟତାରେ ୩୪ ରନ୍‌ କରି ଚହଲ୍‌ଙ୍କ ଶିକାର ହୋଇଥିଲେ। ହୋଲଡର ୯ଟି ବଲ୍‌ରୁ ୧ଟି ଚୌକା ଓ ୨ଟି ଛକା ସହାୟତାରେ ୨୪ ଓ ରାମଦିନ୍‌ ୭ଟି ବଲ୍‌ରୁ ୧ଟି ଚୌକା ସହାୟତାରେ ୧୧ ରନ୍ କରି ଅପରାଜିତ ରହିଥିଲେ। ଭାରତୀୟ ବୋଲର ୟୁଜବେନ୍ଦ୍ର ଚହଲ୍‌ ୩୬ ରନ୍‌ ବିନିମୟରେ ୨ଟି ୱିକେଟ୍‌ ହାସଲ କରିଥିବା ବେଳେ ୱାଶଂିଟନ୍‌ ସୁନ୍ଦର, ଦୀପକ ଚହର୍‌ ଓ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ। କୋହଲି ପ୍ଲେୟାର ଅଫ୍‌ ଦି ମ୍ୟାଚ୍ ଭାବେ ବିବେଚିତ ହୋଇଥିଲେ।

Comments are closed.