ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ

0

ଦୁବାଇ : ଚଳିତ ଏସିଆ କପ୍‍ରେ ପ୍ରତିପକ୍ଷ ବଦଳିବା ସହ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନରେ ମଧ୍ୟ ଉନ୍ନତି ଘଟିଛି। ଦିନକ ତଳେ ଦୁର୍ବଳ ହଂକଂ ବିପକ୍ଷରେ ପ୍ରଭାବହୀନ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳି ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ତାଙ୍କ ପ୍ରଦର୍ଶନର ସ୍ତରକୁ ବହୁତ ଉପରକୁ ଉଠାଇ ପାରିଛନ୍ତି। ଫଳରେ ବୁଧବାର ଗ୍ରୁପ୍‍ ‘ଏ’ର ମ୍ୟାଚ୍‍ରେ ପାକିସ୍ତାନ ବିପକ୍ଷରେ ଭାରତ ବିପୁଳ ବିଜୟ ହାସଲ କରିଛି। ବୋଲରଙ୍କ ନିଖୁଣ ପ୍ରଦର୍ଶନ ପରେ ଓପ୍‍ନରଙ୍କ ଚମତ୍କାର ବ୍ୟାଟିଂ ବଳରେ ପାକିସ୍ତାନକୁ ୮ ୱିକେଟରେ ହରାଇ ଭାରତ ଗ୍ରୁପ୍‍ ଶୀର୍ଷରେ ପହଞ୍ଚିଛି। ଏହି ବିଜୟ ସହ ଗତବର୍ଷ ଚମ୍ପିଆନ୍‍ସ ଟ୍ରଫି ଫାଇନାଲରେ ପାକିସ୍ତାନଠାରୁ ପରାଜୟର ପ୍ରତିଶୋଧ ଭାରତ ନେଇପାରିଛି। ୪୩.୧ ଓଭରରେ ପାକିସ୍ତାନ ମାତ୍ର ୧୬୨ ରନ୍‍କରି ଅଲ୍‍ଆଉଟ ହୋଇଥିଲା। ପରେ ଭାରତ ୨୯ ଓଭରରେ ୨ ୱିକେଟ ହରାଇ ସହଜରେ ଜିତିଥିଲା। ସୁପର ଫୋର୍‍ ପର୍ଯ୍ୟାୟରେ ପୁଣି ଉଭୟ ଦଳଙ୍କ ମଧ୍ୟରେ ମୁକାବିଲା ହେବ।
ଭାରତୀୟ ଓପ୍‍ନିଂ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାୱନ ସହଜରେ ୧୬୩ ରନ୍‍ ଲକ୍ଷ୍ୟ ପିଛା କରିଥିଲେ। ଦୁହେଁ କିଛି ଓଭର ଜଗିରଖି ଖେଳିବା ପରେ ଷ୍ଟ୍ରୋକ୍‍ ଖେଳିଥିଲେ। ବିଶେଷକରି ଅଧିନାୟକ ରୋହିତ ଶର୍ମା ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଓପ୍‍ନିଂ ଯୋଡ଼ି ମାତ୍ର ୧୩ ଓଭରରେ ୮୬ ରନ୍‍ କରିବା ପରେ ଦଳର ବିଜୟ ନିଶ୍ଚିତ ହୋଇଥିଲା। ରୋହିତ ୩୯ ବଲ୍‍ରୁ ୩ଟି ଛକା ଓ ୬ଟି ଚୌକା ସହ ୫୨ ରନ୍‍ର ଆକର୍ଷଣୀୟ ଇନିଂସ ଖେଳି ଆଉଟ ହୋଇଥିଲେ। ଲେଗ୍‍ସ୍ପିନର ସଦ୍ଦାବ୍‍ ଖାଁ ତାଙ୍କୁ ଆଉଟ କରିଥିଲେ। ପରେ ଶିଖର ଧାୱନ ୫୪ ବଲ୍‍ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୪୬ ରନ୍‍କରି ଆଉଟ ହୋଇଥିଲେ। ଅମ୍ବତି ରାୟୁଡୁ ଓ ଦିନେଶ କାର୍ତ୍ତିକ ଦଳକୁ ଧୀରେସୁସ୍ଥେ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ। ରାୟୁଡୁ ଓ କାର୍ତ୍ତିକ ୩୧ ରନ୍‍ ଲେଖାଏଁ କରି ଅପରାଜିତ ଥିଲେ।
ଟସ୍‍ ଜିତିବା ପରେ ପାକିସ୍ତାନ ଆଶା ଅନୁସାରେ ବ୍ୟାଟିଂ ନେଇଥିଲା। ଭୁବନେଶ୍ୱର କୁମାର ତାଙ୍କ ପ୍ରଥମ ୩ ଓଭରରେ ପାକିସ୍ତାନର ଦୁଇ ସଫଳ ଓପ୍‍ନର ଇମାମ୍‍-ଉଲ୍‍-ହକ୍‍ ଓ ଫଖର ଜମାନ୍‍ଙ୍କୁ ଆଉଟ କରି ଦେଇଥିଲେ। ଉଭୟ ଭୁବନେଶ୍ୱର ଓ ଯଶ୍‍ପ୍ରୀତ ବୁମ୍‍ରା ଆରମ୍ଭରୁ ରନ୍‍ ନ ଦେବାରୁ ପାକିସ୍ତାନୀ ଓପ୍‍ନର ଧୈର୍ଯ୍ୟ ହରାଇଥିଲେ; ଫଳତଃ ତ୍ରୁଟି କରିଥିଲେ। ଉଭୟ ଇମାମ୍‍ ଓ ଜମାନ୍‍ ଆକ୍ରମଣାତ୍ମକ ସଟ୍‍ ଖେଳିବା ପ୍ରୟାସରେ ୱିକେଟ ଫିଙ୍ଗିଥିଲେ। ୫ ଓଭରରେ ୩ ରନ୍‍ରେ ୨ଟି ୱିକେଟ ହରାଇ ପାକିସ୍ତାନ କଷ୍ଟସାଧ୍ୟ ସ୍ଥିତିରେ ଥିବା ଦଳର ଶ୍ରେଷ୍ଠ ବ୍ୟାଟ୍‍ସମ୍ୟାନ ବାବର ଆଜମ୍‍ ଓ ସବୁଠାରୁ ଅଭିଜ୍ଞ ସୋଏବ୍‍ ମାଲିକ୍‍ ପରବର୍ତ୍ତୀ ୧୭ ଓଭର ଆଉ ୱିକେଟ ପଡ଼ିବାକୁ ଦେଇନଥିଲେ। ଦୁହେଁ ଲଢ଼ୁଆ ବ୍ୟାଟିଂକରି ୮୨ ରନ୍‍ ଯୋଗ କରିଥିଲେ। ୬୨ ବଲ୍‍ରୁ ୬ଟି ଚୌକା ସହ ୪୭ ରନ୍‍ କରିଥିବା ବାବର ଆଜମ୍‍ଙ୍କୁ ବୋଲ୍‍ଡକରି କୁଲଦୀପ ଯାଦବ ଏହି ଯୋଡ଼ି ଭାଙ୍ଗିଥିଲେ। ପରେ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ସୋଏବ୍‍ ମାଲିକ୍‍ ୪୩ ରନ୍‍କରି ରନ୍‍ଆଉଟ ହୋଇଥିଲେ। ଏହାସହ ୩୬ ରନ୍‍ରେ ପାକିସ୍ତାନ ୫ଟି ୱିକେଟ ହରାଇ ଅସୁବିଧାରେ ପଡ଼ି ଯାଇଥିଲା। ଅଧିନାୟକ ସର୍ଫରାଜ ଅହମ୍ମଦ ୬, ଆସିଫ୍‍ ଅଲୀ ୯ ଓ ସଦ୍ଦାବ୍‍ ଖାଁ ୮ ରନ୍‍ କରିଥିଲେ। ୧୨୧ ରନ୍‍ରେ ୭ଟି ୱିକେଟ ପଡ଼ିଯିବା ପରେ ଫହିମ୍‍ ଅସ୍ରଫ୍‍ ଓ ମହମ୍ମଦ ଆମିର ୨୭ ରନ୍‍ ଯୋଗ କରିଥିଲେ। ଅସ୍ରଫ୍‍ ୨ଟି ଚୌକା ସହ ୨୧ ରନ୍‍ କରିଥିଲେ। ଆମିର ୧୮ ରନ୍‍କରି ଅପରାଜିତ ଥିଲେ। ଭୁବନେଶ୍ୱର କୁମାର ଓ କେଦାର ଯାଦବ ୩ଟି ଲେଖାଏଁ ଏବଂ ଯଶପ୍ରୀତ ବୁମ୍‍ରା ୨ଟି ୱିକେଟ ନେଇଥିଲେ।

Leave A Reply