୪ର୍ଥ ଦିନିକିଆ ; ସିରିଜ୍ ବିଜୟ ଭାରତର ଲକ୍ଷ୍ୟ

0

ମୋହାଲି : ସିରିଜ୍ ପରାଜୟର କଳାବାଦଲ ଅଷ୍ଟ୍ରେଲିଆ ଉପରେ ଦେଖା ଦେଇଥିବା ବେଳେ ଶୁକ୍ରବାର ୩ୟ ଦିନିକିଆ ମ୍ୟାଚ୍‌ରେ ତା’ର ପ୍ରଦର୍ଶନର ମାନକୁ ବହୁତ ଉପରକୁ ନେଇ ଯାଇଥିଲା। ଫଳରେ ସିରିଜ୍ ଏବେ ଜୀବନ୍ତ ରହିଛି। ରବିବାର ଏଠାରେ ୪ର୍ଥ ଦିନିକିଆ ମ୍ୟାଚ୍ ଖେଳାଯିବ। ଭାରତ ୨-୧ରେ ଆଗୁଆ ଥିବା ବେଳେ ଏହି ମ୍ୟାଚ୍ ଜିତି ସିରିଜ୍ ହାତେଇବାକୁ ନିଶ୍ଚୟ ଚାହିଁବ। ଅନ୍ୟପକ୍ଷରେ ରାଞ୍ଚିର ବିଜୟ ପରେ ନୂଆ ଉତ୍ସାହରେ ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓହ୍ଲାଇବ। ଯେପରି ଭାବେ ଅଷ୍ଟ୍ରେଲିଆ ୩ୟ ମ୍ୟାଚ୍‌ ଆରମ୍ଭରୁ ପ୍ରଦର୍ଶନ କଲା; ଏଥିରୁ ନିଶ୍ଚିତ ଯେ ଭଲ ପ୍ରଦର୍ଶନ ପାଇଁ ଏହା ବଦ୍ଧ ପରିକର ହୋଇ ଓହ୍ଲାଇଥିଲା। ପୁଣି ଅଧିନାୟକ ଆରୋନ୍ ଫିଞ୍ଚ୍ ଫର୍ମକୁ ଫେରିବା ଭାରତ ପାଇଁ ସତର୍କଘଣ୍ଟି ପରି ହୋଇଛି। ପ୍ରଥମ ୨ଟି ମ୍ୟାଚ୍‌ରେ କଡ଼ା ମୁକାବିଲା ପରେ ବିଜୟୀ ହୋଇଥିବା ଭାରତ ୩ୟ ମ୍ୟାଚ୍‌ରେ ପରାସ୍ତହେବା ପରେ ଦଳରେ କିଛି ପରିବର୍ତ୍ତନ କରିବାକୁ ଅଧିନାୟକ ବିରାଟ କୋହଲି ସୂଚନା ଦେଇ ସାରିଲେଣି।
ଭାରତୀୟ ଏକାଦଶରେ ଗୋଟିଏ ପରିବର୍ତ୍ତନ ନିଶ୍ଚିତ ହୋଇଯାଇଛି । ଶେଷ ୨ଟି ଦିନିିକିଆ ମ୍ୟାଚ୍‌ରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବିଶ୍ରାମ ନେଇଥିବାରୁ ତାଙ୍କ ସ୍ଥାନରେ ଋଷଭ ପନ୍ତ୍ ଖେଳିବେ। ଅନ୍ୟପକ୍ଷରେ କ୍ରମାଗତ ୩ଟି ମ୍ୟାଚ୍‌ରେ ବିଫଳ ହୋଇଥିବା ଓପ୍‌ନର ଶିଖର ଧାୱନ କିମ୍ବା ଅମ୍ବତି ରାୟୁଡୁଙ୍କ ସ୍ଥାନରେ କେ.ଏଲ୍‌. ରାହୁଲ ଖେଳିପାରନ୍ତି। ଟ୍ବେଣ୍ଟି୨୦ ସିରିଜ୍‌ରେ ଭଲ ବ୍ୟାଟିଂ କରିଥିବା ରାହୁଲ ସୁଯୋଗ ପାଇଁ ଅପେକ୍ଷା କରିଛନ୍ତି। ହାର୍ଦିକ ପାଣ୍ଡ୍ୟା ଆହତ ଥିବାରୁ ପେସ୍ ବୋଲିଂ ଅଲ୍‌ରାଉଣ୍ଡର ଭାବେ ତାଙ୍କ ଦକ୍ଷତା ପ୍ରତିପାଦନ କରି ପାରିଛନ୍ତି ବିଜୟ ଶଙ୍କର। ଶେଷ ୨ଟି ମ୍ୟାଚ୍‌ରେ ଆହୁରି ଉନ୍ନତ ପ୍ରଦର୍ଶନ କରି ଇଂଲଣ୍ଡ ଯିବାର ଟିକଟ ପାଇବାର ପ୍ରୟାସ ଶଙ୍କର କରିବେ। ୩ଟି ମ୍ୟାଚ୍‌ ବାହାରେ ବସିବା ପରେ ଭୁବନେଶ୍ବର କୁମାର ରବିବାରର ମ୍ୟାଚ୍‌ରେ ଖେଳିପାରନ୍ତି। ଫଳରେ ମହମ୍ମଦ ସାମି ଓ ଯଶପ୍ରୀତ୍‌ ବୁମ୍‌ରାଙ୍କ ମଧ୍ୟରୁ ଜଣେ ବସିପାରନ୍ତି। ଦଳରେ ଆଉ ଅଧିକ ପରିବର୍ତ୍ତନ ହୋଇନପାରେ। ଏହା ନିଶ୍ଚିତ ଯେ ଆଇପିଏଲ୍‌ ଆରମ୍ଭ ପୂର୍ବରୁ ଭାରତ ତା’ର ଦୁଇ ଓପ୍‌ନରଙ୍କଠାରୁ ରନ୍ ଦେଖିବାକୁ ଚାହେଁ। କେଦାର ଯାଦବ ଓ ବିଜୟ ଶଙ୍କରଙ୍କୁ ଛାଡ଼ି କେବଳ ବିରାଟ କୋହଲି ହିଁ ଅଷ୍ଟ୍ରେଲିଆ ଆକ୍ରମଣର ସଫଳ ମୁକାବିଲା କରି ପାରିଛନ୍ତି।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଜାଣିଛି ​‌େ‌ଯ ଯଦି ମ୍ୟାଚ୍‌ରେ ଏହା ଭଲ ବ୍ୟାଟିଂ କରିପାରିଲା; ତେବେ ଭାରତୀୟ ବ୍ୟାଟିଂକୁ ରୋକିବା ଲାଗି ଏହାର ବୋଲିଂ ଶକ୍ତି ରହିଛି। ଲେଗ୍‌ସ୍ପିନର ଆଡାମ୍ ଜାମ୍ପା ଅଦ୍ୟାବଧି ଚମ୍ପିଆନ୍‌ଙ୍କ ପରି ବୋଲିଂକରି ୭ଟି ୱିକେଟ ନେଇ ସାରିଲେଣି। ପୁଣି ଅଫ୍‌ସ୍ପିନର ନାଥାନ୍ ଲାୟନ୍ ରନ୍ ରୋକିବାରେ ସଫଳ ହୋଇଛନ୍ତି। ୩ୟ ଦିନିକିଆରେ ପେସ୍ ବୋଲର ଝାଏ ରିଚାର୍ଡସନ୍ ପ୍ରଭାବଶାଳୀ ବୋଲିଂକରି ଭାରତକୁ ଚାପରେ ପକାଇଥିଲେ। ୩ଟିଯାକ ମ୍ୟାଚ୍‌ରେ ପ୍ୟାଟ୍ କମିନ୍‌ସ ଭଲ ବୋଲିଂ କରିଛନ୍ତି। ତେଣୁ ଆଶା କରାଯାଉଛି ଯେ ଅପରିବର୍ତ୍ତିତ ଏକାଦଶ ନେଇ ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଖେଳିବ। ଗତ ୩ଟି ମ୍ୟାଚ୍‌ରେ ଗୋଟିଏ ଲେଖାଏଁ ଶତକ ଓ ଅର୍ଦ୍ଧଶତକ ସହ ଉସ୍‌ମାନ ଖାୱଜା ୧୯୨ ରନ୍ କରି ସାରିଲେଣି। ୪ର୍ଥ ମ୍ୟାଚ୍‌​‌େ​‌ର ମଧ୍ୟ ତାଙ୍କ ବ୍ୟାଟିଂ ଫର୍ମ ଜାରି ରଖିବାକୁ ଖାୱାଜା ଚାହିଁବେ। ​‌ତେବେ ମଧ୍ୟକ୍ରମଠାରୁ ଅଷ୍ଟ୍ରେଲିଆ ଉନ୍ନତ ବ୍ୟାଟିଂର ଆଶା ରଖିଛି। ପିଚ୍ ବ୍ୟାଟିଂ ଲାଗି ଉପଯୋଗୀ ହେବ। ମ୍ୟାଚ୍‌ରେ କାକରର ପ୍ରଭାବ ରହିବ।

Leave A Reply