ଭାରତ-ଆଫ୍‍ଗାନିସ୍ତାନ ମ୍ୟାଚ୍‍ ଟାଇ

0

ଦୁବାଇ : ମଙ୍ଗଳବାର ଏସିଆ କପ୍‍ରେ ଭାରତ ଓ ଆଫ୍‍ଗାନିସ୍ତାନ ମଧ୍ୟରେ ସୁପର ଫୋର୍‍ ମୁକାବିଲା ଟାଇ ରହିଛି। ଉଭୟ ଦଳ ୨୫୨ ରନ୍‍ ଲେଖାଏଁ କରିଥିଲେ। ଶେଷ ବଲ୍‍ରେ ବିଜୟସୂଚକ ରନ୍‍ ନେବା ପ୍ରୟାସରେ ଭାରତର ରବୀନ୍ଦ୍ର ଜାଡ଼େଜା ଆଉଟ ହୋଇ ଯାଇଥିଲେ। ତେବେ ଏହି ଫଳାଫଳର ପ୍ରଭାବ ଉଭୟ ଦଳ ଉପରେ ପଡ଼ିନାହିଁ। ଭାରତ ପୂର୍ବରୁ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ଆଫ୍‍ଗାନିସ୍ତାନ ଫାଇନାଲ ଦୌଡ଼ରୁ ବାଦ୍‍ ପଡ଼ି ସାରିଥିଲା। ଓପ୍‍ନର ମହମ୍ମଦ ସେହ୍‍ଜାଦ ଶତକ ଅର୍ଜନ କରିବାରୁ ଆଫ୍‍ଗାନିସ୍ତାନ ୮ ୱିକେଟରେ ୨୫୨ ରନ୍‍ କରିଥିଲା। ପରେ ଓପ୍‍ନିଂ ଯୋଡ଼ି ଅମ୍ବତି ରାୟୁଡୁ ଓ କେ.ଏଲ୍‍. ରାହୁଲଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଭାରତ ଶେଷ ବଲ୍‍ରେ ୨୫୨ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ବୁଧବାର ଖେଳାଯିବାକୁ ଥିବା ପାକିସ୍ତାନ-ବାଂଲାଦେଶ ମ୍ୟାଚ୍‍ର ବିଜେତା ବିପକ୍ଷରେ ଶୁକ୍ରବାର ଭାରତ ଫାଇନାଲ ଖେଳିବ।
ଭାରତ ୨୫୩ ରନ୍‍ର ପିଛା କରିଥିଲା। ଦୁଇ ନିୟମିତ ଓପ୍‍ନର ରୋହିତ ଶର୍ମା ଓ ଶିଖର ଧାୱନ ବିଶ୍ରାମ ନେଇଥିବା ବେଳେ ଏହାର ଫାଇଦା ଉଠାଇଥିଲେ ଅମ୍ବତି ରାୟୁଡୁ ଓ କେ.ଏଲ୍‍. ରାହୁଲ। ଦୁହେଁ ଆରମ୍ଭରୁ ଚମତ୍କାର ଷ୍ଟ୍ରୋକ୍‍ ଖେଳି ୧୭ ଓଭରରେ ୧୧୦ ରନ୍‍ର ଭାଗିଦାରୀ କରିଥିଲେ। ଏହି କ୍ରମରେ ଦୁହେଁ ଅର୍ଦ୍ଧଶତକ ହାସଲ କରିଥିଲେ। ରାୟୁଡୁ ୪୯ ବଲ୍‍ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୫୭ ରନ୍‍କରି ଆଉଟ ହୋଇଥିଲେ। ଏହାସହ ୩୨ ରନ୍‍ରେ ଭାରତ ୩ଟି ୱିକେଟ ହରାଇଥିଲା। ରାହୁଲ ୬୬ ବଲ୍‍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୬୦ ରନ୍‍କରି ଆଉଟ ହୋଇଥିଲେ। ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ମନୀଷ ପାଣ୍ଡେ ୮ ରନ୍‍ ଲେଖାଏଁ କରି ଆଉଟ ହୋଇଥିଲେ। ୧୬୬ ରନ୍‍ରେ ୪ଟି ୱିକେଟ ପଡ଼ିଯିବା ପରେ ଦିନେଶ କାର୍ତ୍ତିକ ଓ କେଦାର ଯାଦବ ୩୮ ରନ୍‍ ଯୋଡ଼ିବା ପରେ ୧ ରନ୍‍ ମଧ୍ୟରେ ଦୁହେଁ ଆଉଟ ହୋଇ ଯାଇଥିଲେ। କେଦାର ୧୯ ରନ୍‍ କରିଥିବା ବେଳେ କାର୍ତ୍ତିକ ୬୬ ବଲ୍‍ରୁ ୪ଟି ଚୌକା ସହ ୪୪ ରନ୍‍ କରିଥିଲେ। ଦୀପକ ଚହର ୧୪ ରନ୍‍କରି ବିଦାୟ ନେଇଥିଲେ। ୧୧ ବଲ୍‍ରୁ ୧୧ ରନ୍‍ ଆବଶ୍ୟକ ଥିବା ବେଳେ କୁଲଦୀପ ଯାଦବ ଆଉଟ ହୋଇଥିଲେ। ରସିଦ୍‍ ଖାଁ ବୋଲିଂ କରିଥିବା ଶେଷ ଓଭରରୁ ୭ ଓ ଶେଷ ବଲ୍‍ରେ ୧ ରନ୍‍ ଆବଶ୍ୟକ ଥିଲା। ତେବେ ରବୀନ୍ଦ୍ର ଜାଡ଼େଜା ଡିପ୍‍ ମିଡ୍‍ୱିକେଟ ହାତକୁ ମାରିଥିଲେ। ଜାଡ଼େଜା ୨୫ ରନ୍‍ କରିଥିଲେ। ଆଫ୍‍ତାବ ଆଲମ୍‍, ମହମ୍ମଦ ନବି ଓ ରସିଦ୍‍ ଖାଁ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହ୍‍ଜାଦ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।
ଆଫ୍‍ଗାନିସ୍ତାନ ଟସ୍‍ ଜିତି ବ୍ୟାଟିଂ ନେବା ପରେ ମହମ୍ମଦ ସେହ୍‍ଜାଦଙ୍କ ବ୍ୟାଟ୍‍ ପ୍ରଥମ ଓଭରରୁ ଚାଲିଥିଲା। ତେବେ ଅନ୍ୟପଟେ ଓପ୍‍ନର ଜାଭେଦ୍‍ ଅହମ୍ମଦିଙ୍କୁ ଭାରତୀୟ ବୋଲର ଚୁପ୍‍ ରଖି ପାରିଥିଲେ। ଜୀବନର ପ୍ରଥମ ଦିନିକିଆ ମ୍ୟାଚ୍‍ ଖେଳୁଥିବା ଦୀପକ ଚହର ଓ ୨ୟ ଦିନିକିଆ ମ୍ୟାଚ୍‍ ଖେଳୁଥିବା ଖଲିଲ ଅହମ୍ମଦଙ୍କ ବିପକ୍ଷରେ ସେହ୍‍ଜାଦ ସହଜରେ ଷ୍ଟ୍ରୋକ୍‍ ଖେଳିଥିଲେ। ପରେ ସିଦ୍ଧାର୍ଥ କୌଲ ବୋଲିଂ କରିଥିଲେ ହେଁ ସେ ମଧ୍ୟ କିଛି ପ୍ରଭାବ ପକାଇ ପାରିନଥିଲେ। ତେବେ ସ୍ପିନର ଆସିବା ପରେ ଆଫ୍‍ଗାନିସ୍ତାନ ପଛଘୁଞ୍ଚା ଦେଇଥିଲା ଏବଂ ୧୭ ରନ୍‍ରେ ୪ଟି ୱିକେଟ ହରାଇଥିଲା। ଜାଭେଦ୍‍ ଅହମ୍ମଦି ୩୦ଟି ବଲ୍‍ରୁ ୫ ରନ୍‍କରି ଆଉଟ ହେବା ପରେ ରହମତ୍‍ ଶାହା ୩ ଏବଂ ହସ୍‍ମତୁଲ୍ଲା ସାହିଦି ଓ ଅଧିନାୟକ ଅସ୍‍ଗର ଆଫ୍‍ଗାନ ବିନା ସ୍କୋର୍‍ରେ ଆଉଟ ହୋଇଥିଲେ। ୮୨ ରନ୍‍ରେ ୫ଟି ୱିକେଟ ପଡ଼ିଯିବା ପରେ ଗୁଲ୍‍ବାଦିନ ନାଇବ୍‍ (୧୫)ଙ୍କୁ ଆଉଟ୍‍କରି ଦୀପକ ଚହର ଜୀବନର ପ୍ରଥମ ଦିନିକିଆ ୱିକେଟ ନେଇଥିଲେ। ପରେ ସେହ୍‍ଜାଦ ଜୀବନର ୫ମ ଦିନିକିଆ ଶତକ ପୂରଣ କରିଥିଲେ। ୩୮ତମ ଓଭରରେ ଆଉଟ ହୋଇଥିବା ସେହ୍‍ଜାଦ୍‍ ୧୧୬ ବଲ୍‍ରୁ ୭ଟି ଛକା ଓ ୧୧ଟି ଚୌକା ସହ ୧୨୪ ରନ୍‍କରି ଆଉଟ ହୋଇଥିଲେ। ପରେ ମହମ୍ମଦ ନବି ଇନିଂସ ସମ୍ଭାଳିଥିଲେ। ନବି ଓ ନଜିବୁଲ୍ଲା ଜାଦ୍ରାନ୍‍ ୪୬ ରନ୍‍ ଯୋଡ଼ିଥିଲେ। ଜାଦ୍ରାନ୍‍ ୨୦ ରନ୍‍ କରିଥିଲେ। ନବି ୫୬ ବଲ୍‍ରୁ ୪ଟି ଛକା ଓ ୩ଟି ଚୌକା ସହ ୬୪ ରନ୍‍କରି ଆଉଟ ହୋଇଥିଲେ। ଜାଡ଼େଜା ୩ଟି ଓ କୁଲଦୀପ ଯାଦବ ୨ଟି ୱିକେଟ ପାଇଥିଲେ।

Leave A Reply