ପାକିସ୍ତାନରେ ଏବେ ବି ଅଛନ୍ତି ୪୦ ହଜାର ଆତଙ୍କବାଦୀ: ଇମ୍ରାନ ଖାନ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକା ଗସ୍ତ ଅବସରରେ ଏକ ବଡ଼ ତଥ୍ୟ ଉପରୁ ପରଦା ଉଠାଇଛନ୍ତି। ପାକିସ୍ତାନରେ ଏବେ ବି ୩୦ରୁ ୪୦ ହଜାର ପ୍ରଶିକ୍ଷିତ ଆତଙ୍କବାଦୀ ରହିଛନ୍ତି। ଏମାନେ ବର୍ତ୍ତମାନ ଆଫଗାନିସ୍ତାନ ଏବଂ କାଶ୍ମୀରର କିଛି ଅଞ୍ଚଳରେ ଅଛନ୍ତି ବୋଲି ଇମ୍ରାନ କହିଛନ୍ତି। ଆମେରିକାର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ପିସ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହି ଖୁଲାସା କରିଛନ୍ତି।

ଇମ୍ରାନ କହିଛନ୍ତି, ତାଙ୍କ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ କ୍ଷମତାକୁ ଆସିବା ପୂର୍ବରୁ ରହିଥିବା ସରକାରଗୁଡ଼ିକ ପାଖରେ ନିଜ ମାଟିରୁ ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି ରାଜନୈତିକ ଇଚ୍ଛାଶକ୍ତି ନ ଥିଲା। ୨୦୧୪ରେ ପାକିସ୍ତାନୀ ତାଲିବାନମାନେ ସେନା ସ୍କୁଲରେ ୧୫୦ ଶିଶୁଙ୍କୁ ହତ୍ୟା କରିଥିଲେ। ସବୁ ରାଜନୈତିକ ଦଳ ନ୍ୟାଶନାଲ ଆକ୍ସନପ୍ଲାନ ଉପରେ ହସ୍ତାକ୍ଷର କଲେ ଏବଂ ଏହା ପରେ ମୁଁ ନିଷ୍ପତ୍ତି ନେଇଥିଲି ଯେ ପାକିସ୍ତାନରେ କୌଣସି ଆତଙ୍କୀ ସଂଗଠନ ସଞ୍ଚାଳିତ ହେବାକୁ ଦେବିନାହିଁ।

ସେ ଆହୁରି କହିଥିଲେ, ଯେପର୍ଯ୍ୟନ୍ତ ଆମେ କ୍ଷମତାକୁ ଆସି ନ ଥିଲୁ, ସେ ପର୍ଯ୍ୟନ୍ତ ସରକାର ପାଖରେ ରାଜନୈତିକ ଇଚ୍ଛାଶକ୍ତି ନ ଥିଲା। କାରଣ ଯେତେବେଳେ ଆପଣ ଆତଙ୍କବାଦୀ ସମୂହଙ୍କ ସମ୍ପର୍କରେ ଆଲୋଚନା କରୁଛନ୍ତି, ସେତେବେଳେ ଆମ ଦେଶରେ ୩୦ରୁ ୪୦ ହଜାର ସଶସ୍ତ୍ର ଆତଙ୍କୀ ରହିଛନ୍ତି, ଯେଉଁମାନେ ଆଫଗାନିସ୍ତାନ କିମ୍ବା କାଶ୍ମୀରର କୌଣସି ଅଞ୍ଚଳରେ ପ୍ରଶିକ୍ଷିତ ହୋଇଛନ୍ତି। ଆମ ସରକାର ଏପରି ପ୍ରଥମ ସରକାର ଯିଏ ଆତଙ୍କୀ ସଂଗଠନଗୁଡ଼ିକୁ ନିରସ୍ତ୍ର କରୁଛି। ଆମେ ଆତଙ୍କୀ ସଂଗଠନ ଏବଂ ମଦ୍ରାସାକୁ ନିଜ ନିୟନ୍ତ୍ରଣକୁ ନେଇସାରିଛୁ। ସେଠାରେ ଆମ ପ୍ରଶାସକ ରହିଚନ୍ତି।

ଆଉ ଏକ କାର୍ଯ୍ୟକ୍ରମରେ ଇମ୍ରାନ କହିଥିଲେ, ତାଙ୍କ ଦେଶରେ ୪୦ ଆତଙ୍କବାଦୀ ସଂଗଠନ ସଞ୍ଚାଳିତ ହେଉଥିଲା। ପୂର୍ବ ସରକାର ଆମେରିକାକୁ ବାସ୍ତବ ତଥ୍ୟ ଲୁଚାଇଥିଲା। କ୍ୟାପିଟାଲ ହିଲଟାଉନରେ ଇମ୍ରାନ ଆମେରିକାର ସାଂସଦମାନଙ୍କ ସହ ଆଲୋଚନା ବେଳେ କହିଥିଲେ, ଆତଙ୍କବାଦ ବିରୋଧରେ ଆମେ ଆମେରିକା ସହିତ ମିଶି ଯୁଦ୍ଧ କରୁଥିଲୁ। ୯/୧୧ ଆକ୍ରମଣ ସହିତ ପାକିସ୍ତାନର କୌଣସି ହାତ ନାହିଁ। ଅଲକାଏଦା ଆଫଗାନିସ୍ତାନରେ ଥିଲା। ପାକିସ୍ତାନରେ କୌଣସି ଆତଙ୍କବାଦୀ ତାଲିବାନ ନ ଥିଲେ। କିନ୍ତୁ ଆମେ ଆମେରିକାର ଯୁଦ୍ଧ ସହିତ ଜଡ଼ିତ ଥିଲୁ।

Comments are closed.