ସୀମା ଶୁଳ୍କ ବୃଦ୍ଧିର ପ୍ରଭାବ; ପାକିସ୍ତାନଠାରୁ ଆମଦାନୀ ୯୨% ଖସିଲା

ଇସଲାମାବାଦ/ନୂଆଦିଲ୍ଲୀ : ପାକିସ୍ତାନଠାରୁ ମୋଷ୍ଟ ମୋଷ୍ଟ ଫେଭର୍ଡ ନେଶନ (ଏମଏଫଏନ) ମାନ୍ୟତା ପ୍ରତ୍ୟାହାର ସହ ଆମଦାନୀ ସାମଗ୍ରୀ ଉପରେ ସୀମା ଶୁଳ୍କ ୨୦୦% ବୃଦ୍ଧିର ପ୍ରଭାବ ସିଧାସଳଖ ଭାବେ ପାକିସ୍ତାନ ଉପରେ ପଡିଛି। ଫଳରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ପାକିସ୍ତାନଠାରୁ ଭାରତର ବାଣିଜ୍ୟିକ ଆମଦାନୀ ପ୍ରାୟ ୯୨% ହ୍ରାସ ପାଇ ୨୮.୪ ଲକ୍ଷ ଡଲାରରେ ପହଞ୍ଚିଛି।
୨୦୧୮ ମାର୍ଚ୍ଚ ମାସରେ ପାକିସ୍ତାନ ନିକଟରୁ ଭାରତ ୩.୪୬ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଆମଦାନୀ କରିଥିଲା। ଚଳିତ ବର୍ଷ ମାର୍ଚ୍ଚରେ ମୋଟ ୨.୮୪ ଲକ୍ଷ ଡଲାରର ଆମଦାନୀ ମଧ୍ୟରୁ କେବଳ ୧.୯ ଲକ୍ଷ ଡଲାରର କପା ଆମଦାନୀ ରହିଛି। ଅନ୍ୟ ସାମଗ୍ରୀ ମଧ୍ୟରେ ପାକିସ୍ତାନରୁ ପ୍ଲାଷ୍ଟିକ, କପଡ଼ା, ମସଲା, ରାସାୟନିକ ଦ୍ରବ୍ୟ ଆମଦାନୀ କରାଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ପାକିସ୍ତାନଠାରୁ ମୋଟ ଆମାଦାନୀ ୪୭% ହ୍ରାସ ପାଇ ୫.୩୬ କୋଟି ଡଲାର ରହିଥିଲା। ସେହିପରି ଚଳିତ ବର୍ଷ ମାର୍ଚ୍ଚ ମାସରେ ପାକିସ୍ତାନକୁ ଭାରତର ରପ୍ତାନୀ ୩୨% ହ୍ରାସ ପାଇ ୧୭.୧୩ କୋଟି ଟଙ୍କା ରହିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ପାକିସ୍ତାନକୁ ଭାରତର ରପ୍ତାନୀ ୭.୪% ବୃଦ୍ଧି ପାଇ ୨ ଶହ କୋଟି ଡଲାରରେ ପହଞ୍ଚିଥିଲା। ଭାରତ ପାକିସ୍ତାନକୁ ଜୈବିକ ରାସାୟନିକ ଦ୍ରବ୍ୟ, କପା, ପରମାଣୁ ରିଆକ୍ଟର, ବୟଲର, ପ୍ଲାଷ୍ଟିକ ଉତ୍ପାଦ, ଚାଉଳ, ଚିନି, କଫି, ଚା’, ତମ୍ଭା ଧାତୁ ଓ ପନିପରିବା ରପ୍ତାନୀ କରିଥାଏ।
ପ୍ରକାଶ ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ପାକିସ୍ତାନ ବିରୋଧରେ କଡ଼ା ପଦକ୍ଷେପ ନେଇଥିଲା। ପାକିସ୍ତାନ ନିକଟରୁ ଭାରତ ଏମଏଫଏନ ମାନ୍ୟତା ପ୍ରତ୍ୟାହାର କରିନେବା ସହ ସେଠାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୨୦୦% ସୀମା ଶୁଳ୍କ ଲଗାଇଥିଲା। ଏହାର ସିଧାସଳ ପ୍ରଭାବ ପାକିସ୍ତାନର ବାଣିଜିକ ରପ୍ତାନୀ ଉପରେ ପଡିଛି। ପାକିସ୍ତାନଠାରୁ ଭାରତର ଆମଦାନୀ ହ୍ରାସ ପାଇଛି। ଏହି କ୍ରମରେ ପାକିସ୍ତାନର ରପ୍ତାନୀ ହ୍ରାସ ପାଇଛି।

Comments are closed.