ପତ୍ନୀର ବେକ କାଟି ହତ୍ୟା କଲା ନୃଶଂସ ସ୍ବାମୀ

0

ପିପିଲି: ସ୍ପଷ୍ଟ ଦିବାଲୋକରେ ଗାଁ ଦାଣ୍ଡରେ ପତ୍ନୀର ବେକକୁ ଦାଆରେ କାଟି ହତ୍ୟା କରିଛି ସ୍ୱାମୀ । ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ପିପିଲି ଥାନା ଦାଣ୍ଡମୁକୁନ୍ଦପୁର ଅଞ୍ଚଳରେ। ମୃତା ମହିଳା ଜଣକ ହେଲେ ପିପିଲି ଥାନା କୋଠବାଡ ମହାଲିମ୍ବପଦା ଗ୍ରାମର ମଧୁସୂଦନ ବେହେରାଙ୍କ ମଝିଆ ଝିଅ ରଞ୍ଜନା ଓରଫ ଲକ୍ଷ୍ମୀ ନାୟକ(୨୭)। ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ତରାସନ ନାୟକ ଓରଫ ମୁଷନ(୨୯) ଘଟଣାସ୍ଥଳରୁ ଫେରାର୍‍ ହୋଇଯାଇଛି ।
ସୂଚନା ଅନୁଯାୟୀ, ଲକ୍ଷ୍ମୀର ବିବାହ ପ୍ରାୟ ୮ବର୍ଷ ତଳେ ଜଟଣୀ ଥାନା ଭୀମପୁର ଗ୍ରାମର ତରାସନ ଓରଫ ମୁଷନ ସହ ହୋଇଥିଲା। ଉଭୟଙ୍କ ଦୁଇଟି କନ୍ୟା ସନ୍ତାନ ଅଛନ୍ତି । ତେବେ ପ୍ରାୟ ୧୦ଦିନ ତଳେ ସ୍ୱାମୀ ମାଡମାରିବା ଓ ହତ୍ୟା ଉଦ୍ୟମ କରିବା ଅଭିଯୋଗ କରି ଲକ୍ଷ୍ମୀ ନିଜ ବାପଘରକୁ ଚାଲି ଆସିଥିଲେ । ଏନେଇ ସେ ଗତ ୧୧ ତାରିଖରେ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗତକାଲି ଉଭୟଙ୍କ ମଧ୍ୟରେ ଥାନାରେ ଆପୋଷ ସମାଧାନ ହୋଇଥିବା ସୂଚନା ମିଳିଛି । ତେବେ ଆଜି ଦିନ ପ୍ରାୟ ସାଢେ ୧୨ଟା ସମୟରେ ଲକ୍ଷ୍ମୀ ଦାଣ୍ଡମୁକୁନ୍ଦପୁର “ପ୍ରଥମ ସ’ ଗ୍ରାମରେ ଯାଉଥିବା ବେଳେ ଅଭିଯୁକ୍ତ ସ୍ୱାମୀ ହଠାତ ଏକ ଧାରୁଆ ଦାଆରେ ତାଙ୍କ ବେକକୁ କାଟି ଦେଇ ସେଠାରୁ ଖସି ପଳାଇଥିଲା । ବିଚ୍‍ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି କିଛି ସମୟ ଛଟପଟ ହେବା ପରେ ଲକ୍ଷ୍ମୀଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ତାଙ୍କୁ ତୁରନ୍ତ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପିପିଲି ପୁଲିସ ଡାକ୍ତରଖାନାରେ ପହଞ୍ôଚ ମୃତଦେହକୁ ଜବତ କରିଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନ ଉପରେ ଚଢାଉ ଜାରି ରଖିଛି । ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Leave A Reply