ସରକାରୀ ବିଜ୍ଞାପନରେ ବଦଳି ଗଲେ ସ୍ୱାମୀ

0

ନୂଆଦିଲ୍ଲୀ: ସରକାରୀ ବିଜ୍ଞାପନ ପ୍ରସ୍ତୁତ କରୁଥିବା ସଂସ୍ଥାର ଅବହେଳା ହେଉ କିମ୍ବା ଅସାବଧାନତା, ଏହାର ପ୍ରଭାବରେ ଗୋଟିଏ ପରିବାରକୁ ଲୋକହସା ହେବାକୁ ପଡ଼ିଛି। ଗତ କିଛି ଦିନ ତଳେ ପାଠ୍ୟପୁସ୍ତକରେ ସ୍ଥାନ ପାଇଥିବା ମିଲଖା ସିଂହଙ୍କ ବିଷୟବସ୍ତୁରେ ସିନେ ତାରକା ଫାରହାନ ଅଖତାରଙ୍କ ଫଟୋ ପ୍ରକାଶ କରି ସମାଲୋଚନାର ଶରବ୍ୟ ହୋଇଥିଲେ ପଶ୍ଚିମବଙ୍ଗ ସରକାର। ଏହି ଘଟଣାର ମାତ୍ର କିଛି ମାସ ମଧ୍ୟରେ ତେଲେଙ୍ଗାନା ସରକାରଙ୍କ ଏକ ବିଜ୍ଞାପନ ଗୋଟିଏ ପରିବାର ପାଇଁ ସମ୍ମାନହାନିର କାରଣ ପାଲଟିଛି।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଗତ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟରେ କୃଷି ବୀମା କାର୍ଡ଼ ଯୋଜନା ଘୋଷଣା କରିଥିଲେ। ଏହି ଉପଲକ୍ଷେ ସରକାରଙ୍କ ପକ୍ଷରୁ ବିଭିନ୍ନ ଗଣମାଧ୍ୟମରେ ଶିଶୁକୁ କାଖେଇ ଏକ ଦମ୍ପତି ଛିଡ଼ା ହୋଇଥିବାର ଫଟୋ ବିଜ୍ଞାପନ ଭାବେ ପ୍ରକାଶ ପାଇଥିଲା। ବିଜ୍ଞାପନରେ ନାୟକୁଲା ନାଗରାଜୁ(୩୨) ଓ ତାଙ୍କ ପତ୍ନୀ ପଦ୍ମା(୨୬)ଙ୍କୁ ‘ସୁଖୀ ଦମ୍ପତି’ ଭାବେ ଉପସ୍ଥାପିତ କରାଯାଇଥିଲା। କିନ୍ତୁ ପଦ୍ମାଙ୍କ ସହ ତାଙ୍କ ସ୍ୱାମୀଙ୍କ ବଦଳରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଫଟୋ ବିଜ୍ଞାପନରେ ପ୍ରକାଶିତ ହୋଇଥିଲା। ଏଭଳି ବିଜ୍ଞାପନ ପାଇଁ ପଦ୍ମାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ତେଣୁ ସେ ରାଜ୍ୟ ସରକାରଙ୍କ ବିରୋଧରେ ମାନହାନି ମୋକଦ୍ଦମା କରିବା ସହ କ୍ଷତିପୂରଣ ଦାବି କରିଛନ୍ତି। ସାହି ପଡ଼ିଶା ଏଭଳି ବିଜ୍ଞାପନ ପାଇଁ ପଦ୍ମାଙ୍କୁ ଆକ୍ଷେପ କରୁଥିବାବେଳେ ଶ୍ୱଶୁର ଘର ଲୋକେ ଲୋକହସାର ସମ୍ମୁଖୀନ ହୋଇଛନ୍ତି। ଲାଜରେ ପଦ୍ମା ଏହି ଘଟଣା ପରଠାରୁ ଘରୁ ବହାରକୁ ବାହାରି ପାରୁ ନାହାନ୍ତି।
ଅପରପକ୍ଷରେ ବିଜ୍ଞାପନରେ ପଦ୍ମାଙ୍କ ସ୍ମାମୀ ନାଗରାଜୁ ମଦ୍ୟପାନ ଛାଡ଼ି ଏକ ସୁଖୀ ପାରିବାରିକ ଜୀବନ ଅତିବାହିତ କରୁଛନ୍ତି ବୋଲି ଦାବି କରାଯାଇଛି। ନାଗରାଜୁ କେବେ ମଦ୍ୟପାନ କରି ନାହାନ୍ତି। ତାଙ୍କୁ ଏଭଳି ଚିତ୍ରଣ କରାଯିବାରୁ ସେ ମଧ୍ୟ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ବିଡ଼ମ୍ବନା ହେଉଛି, ଯେଉଁ ପରିବାରବର୍ଗଙ୍କୁ କୃଷୀ ବୀମା ପରେ ସୁଖୀ ପରିବାର ଭାବେ ରାଜ୍ୟ ସରକାର ଚିତ୍ରଣ କରିଛନ୍ତି ତାଙ୍କ ନାମରେ ଚାଷ ଜମି ଖଣ୍ଡେ ନାହିଁ ବୋଲି ସେମାନେ କହିଛନ୍ତି। ଏଭଳି ପରିସ୍ଥିତିରେ ବୀମା କେଉଁ ଉଦ୍ଦେଶ୍ୟରେ ବୋଲି ସେମାନେ ପାଲଟା ପ୍ରଶ୍ନ କରିଛନ୍ତି।
ଏହାକୁ ନେଇ ସୂଚନା ଓ ଲୋକସମ୍ପର୍କ କମିଶନର ଅରବିନ୍ଦ କୁମାର ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ସରକାରୀ ବିଜ୍ଞାପନରେ ଏଭଳି ବିଭ୍ରାଟ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି।

Leave A Reply