ମାଟ୍ରିକ ପରୀକ୍ଷାରୁ ଛାତ୍ର ବଞ୍ଚିତ ଘଟଣା, ଆଲୋଚନା ବିଫଳ

0

ଫୁଲନଖରା: ଆଡମିଟ୍‍ କାର୍ଡ (ପ୍ରବେଶ ପତ୍ର) ନପାଇ ସଇନ୍ଧା ହାଇସ୍କୁଲର ଜଣେ ଛାତ୍ର ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ। ଏହାର ପ୍ରତିବାଦରେ ଅଭିଭାବକ ଓ ଶିକ୍ଷା କମିଟି ପକ୍ଷରୁ ଆନ୍ଦୋଳନ ପରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ମଙ୍ଗଳବାର ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏଥିରେ କୌଣସି ନିଷ୍କର୍ଷ ବାହାରି ପାରି ନଥିବାବେଳେ ଶିକ୍ଷା ଅଧିକାରୀ ଆଉ ଦୁଇଦିନ ମହଲତ ନେଇଥିବା ପରିଚାଳନା କମିଟିର ସଦସ୍ୟ ଦାମଦୋର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏହି ସ୍କୁଲର ଦଶମ ଶ୍ରେଣୀ ଛାତ୍ର ରାଜେଶ ଜେନା ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ସମସ୍ତ ପିଲାଙ୍କର ପ୍ରବେଶ ପତ୍ର (ଆଡମିଟ୍‍ କାର୍ଡ) ଆସିଥିବାବେଳେ ରାଜେଶଙ୍କୁ ଆଡମିଟ କାର୍ଡ ମିଳିନଥିଲା। ଫଳରେ ସେ ଚଳିତ ମାଟ୍ରିକ ପରୀକ୍ଷା ଦେଇ ପାରିନଥିଲେ। ଏଥିରେ ମ୍ରିୟମାଣ ହୋଇ ରାଜେଶ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ସ୍କୁଲରେ ତାଲା ପକାଇ ଧାରଣା ଦେଇଥିଲେ। ପୁଲିସ ଉପସ୍ଥିତିରେ ଜିଲା ଶିକ୍ଷାଧିକାରୀ ସୋମବାର ଆଲୋଚନା ପାଇଁ ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଗତ ୮ତାରିଖରେ ଶିକ୍ଷା ବିଭାଗର ପ୍ରାଥମିକ କାର୍ଯ୍ୟାନୁଷ୍ଠାନସ୍ୱରୂପ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେଇଥିଲେ। ସୋମବାର ଜିଲା ଶିକ୍ଷାଧିକାରୀ ନଆସି ପୁନର୍ବାର ମଙ୍ଗଳବାରକୁ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରିଥିଲେ। ଆଜି ଏ ସଂକ୍ରାନ୍ତ ଆଲୋଚନା ହୋଇଥିଲେ ମଧ୍ୟ ସମ୍ପୃକ୍ତ ଛାତ୍ରକୁ ନ୍ୟାୟ ମିଳିପାରି ନାହିଁ। ନ୍ୟାୟ ନ ମିଳିଲେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Leave A Reply