ଓଠର ଯତ୍ନ ନେବାର ଉପାୟ

ଓଠର ସୌନ୍ଦର୍ଯ୍ୟ ଉପରେ ମୁହଁର ସୌନ୍ଦର୍ଯ୍ୟ ମଧ୍ୟ ନିର୍ଭର କରିଥାଏ । ଓଠକୁ ଗୋଲାପି ଓ ସୁନ୍ଦର କରିବା ମହିଳାମାନେ ବିଭିନ୍ନ ପ୍ରକାର ଲିପ୍ ଷ୍ଟିକ୍ ଏବଂ ଲିପ୍ ବାମ୍ ବ୍ୟବହାର କରିଥାଆନ୍ତି । ଏହି ସବୁ ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ଦ୍ବାରା ଓଠର ପ୍ରାକୃତିକ ରଙ୍ଗ ନଷ୍ଟ ହେବା ସହ କଳା ଦେଖାଯାଇଥାଏ । ତେଣୁ ସୌନ୍ଦର୍ଯ୍ୟ ପାଇଁ ଓଠରେ ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ସହ ଓଠର ଯତ୍ନ ନେବା ନିହାତି ଆବଶ୍ୟକ । ଯାହା ଦ୍ବାରା ଓଠର ପ୍ରାକୃତିକ ରଙ୍ଗ ବଜାୟ ରହିବ । ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଓଠର  ଯତ୍ନ ନେବାର ଉପାୟ ।

ଲବଙ୍ଗ- ଓଠରୁ କଳାପଣ ଦୂର କରିବାରେ ଲବଙ୍ଗ ବେଶ୍ ଉପଯୋଗୀ । ପ୍ରଥମେ ୩ରୁ ୪ଟି ଲବଙ୍ଗକୁ ତାଓ୍ବାରେ ନାଲି ହେବାଯାଏ ଭାଜି ଦିଅନ୍ତୁ । ଏହାକୁ ଗୁଣ୍ଡ କରି ସେଥିରେ ଅଧା ଚାମଚ ମହୁ ଏବଂ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ । ଏହି ମିଶ୍ରଣକୁ ପ୍ରତ୍ୟହ ଶୋଇବା ସମୟରେ ଓଠରେ ଲଗାନ୍ତୁ ।

ଲେମ୍ବୁ- ଲବଙ୍ଗ ବ୍ୟତୀତ ଲେମ୍ବୁ ମଧ୍ୟ ଓଠର କଳାପଣ ଦୂର କରିବାରେ ସହାୟକ ହୋଇଥାଏ । ସକାଳେ ଏବଂ ସନ୍ଧ୍ୟାରେ କଟା ଲେମ୍ବୁକୁ ଧୀରେଧୀରେ ଓଠରେ ଘଷିଲେ ଏହାର କଳାପଣ ଦୂର ହୋଇଥାଏ ।

କଞ୍ଚା କ୍ଷୀର ଓ କେଶର- ଓଠର କଳାପଣ ଦୂର କରିବା ପାଇଁ କଞ୍ଚା କ୍ଷୀର ଓ କେଶରର ମିଶ୍ରଣକୁ ବ୍ୟବହାର କରାଯାଇ ପାରିବ । ଏହି ମିଶ୍ରଣକୁ ଲଗାଇବା ଦ୍ବାରା ଓଠର କଳାପଣ ଦୂର ହେବା ସହ ପୂର୍ବାପେକ୍ଷା ଓଠ ଅଧିକ କୋମଳ ଓ ଉଜ୍ଵଳ ହୋଇଥାଏ ।

ସ୍କ୍ରବ୍ : ନିୟମିତ ୨ବା ୩ଦିନ ବ୍ୟବଧାନରେ ଓଠକୁ ସ୍କ୍ରବ୍ କରିବାକୁ ଭୁଲନ୍ତୁ ନାହିଁ । ସ୍କ୍ରବ୍ ପାଇଁ ଅଳ୍ପ ଚିନି ନେଇ ସେଥିରେ କିଛି ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ । ଏବେ ଏହି ମିଶ୍ରକୁ ଆଙ୍ଗୁଳି ସାହାଯ୍ୟରେ ନେଇ ଓଠରେ ଧୀରେଧୀରେ ଘସନ୍ତୁ । କିଛିଦିନ ବ୍ୟବଧାନରେ ନିୟମିତ ଏଭଳି କରିବା ଦ୍ବାରା ଓଠର ଚମକ ଫେରି ଆସେ ।

Comments are closed.