ହୋଟେଲ ପାର୍କିଂରୁ ଗାଡ଼ି ଚୋରି ହେଲେ କ୍ଷତି ଭରିବେ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ :  ପାର୍କିଂଜାଗାରେ ଗାଡ଼ି ରଖି ଏଣିକି ଆରାମ୍‌ରେ ବୁଲି ପାରିବେ। ଆଉ ଗାଡ଼ି ଚୋରି ଚିନ୍ତା ନାହିଁ । କାରଣ ପାର୍କିଂ ଜାଗାରେ ‘ ନିଜ ଦାୟିତ୍ୱରେ ନିଜ ଗାଡ଼ି ରଖନ୍ତୁ’ ଏଭଳି ନୋଟିସ ମାରି ଆଉ ସଂପୃକ୍ତ କତ୍ତୃପକ୍ଷ ଖସି ଯାଇପାରିବେ ନାହିଁ। ଏମିତି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।
ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ହୋଟେଲର ପାର୍କିଂ ସ୍ଥାନରେ ଗ୍ରାହକ ଗାଡ଼ି ରଖିବାର ଅର୍ଥ ଗାଡ଼ିର ସମସ୍ତ ଦାୟିତ୍ୱ ହୋଟେଲ କର୍ତ୍ତୃପକ୍ଷଙ୍କର। ଗାଡ଼ି ଚୋରି ହେଉ ଅବା କ୍ଷତି ସମସ୍ତ ଅର୍ଥରାଶି ହୋଟେଲ କତ୍ତୃପକ୍ଷଙ୍କୁ ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏମିତିକି ପାର୍କିଂ ମାଗଣାରେ ବୋଲି କହି ହୋଟେଲ କତ୍ତୃପକ୍ଷ ଖସି ଯାଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ, ୧୯୯୮ ମସିହାରେ ଦିଲ୍ଲୀ ସ୍ଥିତ ତାଜ ହୋଟେଲରୁ ଏକ ମାରୁତି କାର ଚୋରି ହୋଇଯାଇଥିଲା। ଏଥିପାଇଁ ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ହୋଟେଲ କତ୍ତୃପକ୍ଷଙ୍କୁ ୨.୮ ଲକ୍ଷ ଟଙ୍କା ଜୋରିମାନା ଲଗାଇଥିଲା। ହେଲେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ହୋଟେଲ କତ୍ତୃପକ୍ଷ। ଏହାପରେ ସୁପ୍ରିମକୋର୍ଟ ଦୀର୍ଘ ୨୦ ବର୍ଷର ମାମଲାର ରାୟ ଶୁଣାଇ ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗର ନିଷ୍ପତ୍ତି ଉପରେ ସହମତି ପ୍ରକାଶ କରିଛନ୍ତି।

Comments are closed.