ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଛି, ବେଲୁନ୍‌ରେ ବୁଲିବା ମଜା

0

ଯୁବପିଢି ସବୁବେଳେ ରୋମାଞ୍ଚକର ଭ୍ରମଣପ୍ରିୟ। ସେମାନଙ୍କ ପାଇଁ ହଟ୍‌ ଏୟାର ବେଲୁନ୍‌ରେ ଉଡି ଆକାଶରୁ ପୃଥିବୀକୁ ଦେଖିବା ପରି ରୋମାଞ୍ଚକର ଅନୁଭୂତିଠାରୁ ଆଉ କିଛି ଭଲ ହୋଇନପାରେ। ଏଥିପାଇଁ ବିଦେଶ ଯିବା ଦରକାର ନାହିଁ। ଦେଶ ଭିତରେ ଥିବା ଏପରି ୬ଟି ରାଜ୍ୟ ସମ୍ପର୍କରେ ଜାଣନ୍ତୁ, ଯେଉଁଠି ଏମିତି ବେଲୁନ୍‌ରେ ବୁଲିବାର ମଜା ନେଇପାରିବେ। ସେପ୍ଟେମ୍ବରରୁ ମାର୍ଚ୍ଚ ଏଥିପାଇଁ ପ୍ରକୃଷ୍ଟ ସମୟ।

ମହାରାଷ୍ଟ୍ର : ଏଠାରେ ଲୋନାବ୍‌ଲା ହଟ୍‌ ଏୟାର ବେଲୁନ୍‌​‌ରେ ଉଡିବା ଲାଗି ସବୁଠୁ ପ୍ରକୃଷ୍ଟ ସ୍ଥାନ। ଉପରୁ ସବୁଜ ବଳୟରେ ଥିବା ପାହାଡ, ଝରଣା ବ୍ୟତୀତ ଏକାଧିକ ସୁନ୍ଦର ସ୍ଥାନର ଦୃଶ୍ୟ ଉପଭୋଗ କରିପାରିବେ। ମୁମ୍ବଇରୁ ଲୋନାବ୍‌ଲା ପହଞ୍ଚିବା ଲାଗି ଘଣ୍ଟାଏ ପାଖାପାଖି ସମୟ ଲାଗୁଥିବା ବେଳେ ସପ୍ତାହାନ୍ତ ସମୟରେ ପର୍ଯ୍ୟଟକଙ୍କ ସଂଖ୍ୟା ଖୁବ୍‌ ବଢିଯାଏ। ଏଠାରେ ୪ହଜାର ଫୁଟ ଉଚ୍ଚତା ଯାଏ ବେଲୁନ୍‌ରେ ଉଡିପାରିବେ। ଏଥିପାଇଁ ପ୍ରାୟ ୧ଘଣ୍ଟା ସମୟ ଲାଗେ ଏବଂ ଜଣପିଛା ୬ହଜାରରୁ ୧୨ହଜାର ଟଙ୍କା ଦେୟ ଦେବାକୁ ପଡେ। ସ୍କାଏ ୱାଲ୍‌ଜ ମାଧ୍ୟମରେ ନିଜର ବୁକିଂ କରାଇପାରିବେ।

କର୍ଣ୍ଣାଟକ : ଐତିହ୍ୟରେ ପରିପୂର୍ଣ୍ଣ କର୍ଣ୍ଣାଟକର ସବୁ ସ୍ଥାନ ଦେଖିବା ସମ୍ଭବ ହୁଏନାହିଁ। ଯଦି ଆକାଶମାର୍ଗରୁ ଐତିହାସିକ ସ୍ଥାନର ଦୃଶ୍ୟ ଦେଖିବାକୁ ଇଚ୍ଛା କରନ୍ତି, ତେବେ ହଟ୍‌ ଏୟାର ବେଲୁନ୍‌ରେ ବାହାରିଯା’ନ୍ତୁ। ହାମ୍ପି ସମେତ ବିଭିନ୍ନ ଗୁମ୍ଫା ଓ ମନ୍ଦିରକୁ ଉପରୁ ଦେଖିବାର ମଜା ନିଆରା। ଏଠାରେ ପ୍ରାୟ ୫ହଜାର ଫୁଟ ପର୍ଯ୍ୟନ୍ତ ଉଡିପାରିବେ। ଏଥିପାଇଁ ୧ଘଣ୍ଟା ସମୟ ଲାଗୁଥିବା ବେଳେ ପ୍ରତ୍ୟେକଙ୍କ ଲାଗି ୮ହଜାରରୁ ୧୨ହଜାର ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି। ଟାଇଗର ବେଲୁନ୍‌ ସଫାରି ଏଥିପାଇଁ ବୁକିଂ ଦାୟିତ୍ବ ନେଇଛି।

ରାଜସ୍ଥାନ : କେବଳ ଏକାଧିକ ଦୁର୍ଗ ଏବଂ ମରୁଭୂମି ପାଇଁ ରାଜସ୍ଥାନ ପରିଚିତ ନୁହେଁ, ଏଠାକୁ ଆସୁଥିବା ପର୍ଯ୍ୟଟକ ଆକାଶରେ ଚଢେଇ ପରି ଉଡି ଗୋଲାପି ସହରର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ବିଭିନ୍ନ ଦୁର୍ଗ ଏବଂ ପ୍ରାସାଦ ମଧ୍ୟ ଦେଖିହେବ। ହଟ୍‌ ଏୟାର ବେଲୁନ୍‌ ଏଠାରେ ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ। ୪୦୦୦ଫୁଟ ଉଚ୍ଚତା ଯାଏ ଘଣ୍ଟାଏ ପାଇଁ ଉଡିବାକୁ ହେଲେ ପ୍ରତ୍ୟେକଙ୍କୁ ୬ହଜାରରୁ ୧୨ହଜାର ଟଙ୍କା ପର୍ଯ୍ୟନ୍ତ ଦେୟ ପ୍ରଦାନ କରିବାକୁ ହୁଏ। ବେଲୁନ୍‌ ଇଣ୍ଡିଆ ସଫାରି ଏବଂ ସ୍କାଏ ୱାଲ୍‌ଜ ସହ ବୁକିଂ ପାଇଁ ଯୋଗାଯୋଗ କରିପାରିବେ।

ଦିଲ୍ଲୀ ରାଜଧାନୀ କ୍ଷେତ୍ର ଓ ହରିୟାଣା : ବେଲୁନ୍‌ରେ ବସି ଦେଶର ରାଜଧାନୀର ଶୋଭା ଦେଖିବା ଖୁବ୍‌ ଚମତ୍କାର ଅନୁଭୂତି ଦେଇଥାଏ। ବନ୍ଧୁ ମେଳରେ ବୁଲିବା ପାଇଁ ହରିୟାଣା ଆସିଥିଲେ ଦମ୍‌ଦମା ହ୍ରଦକୁ ଆସନ୍ତୁ। ଏହା ଏକ ପିକ୍‌ନିକ ସ୍ଥଳ ହେବା ସହ ଭଲ ରିସୋର୍ଟ। ପ୍ରକୃତି କୋଳରେ ଆରାମ ପାଇଁ ଖୁବ୍‌ ସୁନ୍ଦର ସ୍ଥାନ। ଶାନ୍ତ ପରିବେଶରେ ହଟ୍ ଏୟାର ବେଲୁନ୍‌ରେ ବୁଲିବା ଖୁବ୍‌ ଭଲ ଅନୁଭୂତି ଦେଇଥାଏ। ଏଠାରେ ୧ଘଣ୍ଟା ମଧ୍ୟରେ ୫ହଜାର ଫୁଟ ଯାଏ ଉଡିପାରିବେ। ଜଣଙ୍କ ପାଇଁ ୯ହଜାରରୁ ୧୩ହଜାର ଟଙ୍କା ଦେବାକୁ ପଡେ। ୱାଣ୍ଡରଲଷ୍ଟ ଟ୍ରାଭେଲ୍‌ସ କିମ୍ବା ରକ୍‌ ସ୍ପୋର୍ଟ ଆଡଭେଞ୍ଚର୍ସରେ ବୁକିଂ କରିହେବ।

ଗୋଆ : ସମୁଦ୍ର ଓ ବେଳାଭୂମିର ସୌନ୍ଦର୍ଯ୍ୟ ସହିତ ଗୋଅାରେ ୱାଟର ସ୍ପୋର୍ଟସର ଅଭାବ ନାହିଁ। ଏହା ସହିତ ହଟ୍‌ ଏୟାର ବେଲୁନ୍‌ରେ ବୁଲିବା ଲାଗି ମଧ୍ୟ ଏଠାକାର ପରିବେଶ ଅନୁକୂଳ। ବେଲୁନ୍‌ରେ ଉଡି ତଳେ ଥିବା ରଙ୍ଗିନ ପ୍ରାକୃତିକ ଦୃଶ୍ୟ ଏବଂ ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିପାରିବେ। ଅବଶ୍ୟ ଏହା ଅନ୍ୟ ସ୍ଥାନଗୁଡିକ ଅପେକ୍ଷା ଟିକେ ଅଧିକ ବ୍ୟୟବହୁଳ। ଜଣକା ୧୪ହଜାର ଟଙ୍କା ପାଖାପାଖି ଦେବାକୁ ହୁଏ। ୪ହଜାର ଫୁଟ ଉଚ୍ଚତା ଯାଏ ୧ଘଣ୍ଟା ପର୍ଯ୍ୟନ୍ତ ଉଡିପାରିବେ। ଏଥିପାଇଁ ବେଲୁନ୍‌ କ୍ଲବ୍‌ ମାଧ୍ୟମରେ ବୁକିଂ କରିପାରିବେ।

ଉତ୍ତରପ୍ରଦେଶ : ବିଶ୍ବର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଅନ୍ତର୍ଭୁକ୍ତ ପ୍ରେମର ପ୍ରତୀକ ତାଜମହଲ ଦେଖିବାକୁ ସମସ୍ତଙ୍କର ଆଗ୍ରହ ରହିଛି। ତେବେ ଆକାଶମାର୍ଗରୁ ଏହାର ସୌନ୍ଦର୍ଯ୍ୟ ଦେଖିବାର ଅନୁଭୂତି ଅନନ୍ୟ। ଏଥିପାଇଁ ହଟ୍‌ ଏୟାର ବେଲୁନ୍‌ର ବ୍ୟବସ୍ଥା ରହିଛି। ୫୦୦ଫୁଟ ପର୍ଯ୍ୟନ୍ତ ୧୫-୨୦ମିନିଟ୍‌ ଉଡିପାରିବେ। ଏଥିପାଇଁ ଜଣ ପ୍ରତି ମାତ୍ର ୫୦୦ରୁ ୭୫୦ଟଙ୍କା ଯାଏ ଦେବାକୁ ହୋଇଥାଏ। ବେଲୁନ୍‌ ଇଣ୍ଡିଆ ସଫାରି, ରକ୍‌ସ୍ପୋର୍ଟସ ଆଡଭେଞ୍ଚର୍ସ ଏବଂ ଏୟାର ସଫାରି ଏଥିପାଇଁ ବୁକିଂ କରନ୍ତି।

ମନେରଖିବେ
ବେଲୁନ୍‌ରେ ବୁଲିବାକୁ ଯିବା ପୂର୍ବରୁ ଏହା ସମ୍ପର୍କରେ ସବିଶେଷ ତଥ୍ୟ ଜାଣିନେବା ଉଚିତ। ମଧ୍ୟମ ଧରଣର ବାୟୁ ପ୍ରବାହ ବେଲୁନ୍‌ ଯାତ୍ରା ପାଇଁ ଅନୁକୂଳ ହୁଏ। ପାଗ ଖରାପ ଥିଲେ ବାହାରନ୍ତୁ ନାହିଁ। ବେଲୁନ୍‌ ଅବତରଣ କରୁଥିବା ବେଳେ ସାବଧାନ ରହନ୍ତୁ। ଏହା ଯେପରି ସଠିକ୍‌ ସ୍ଥାନରେ ଅବତରଣ କରିବ ସେଥିପ୍ରତି ଦୃଷ୍ଟି ରଖିବା ଜରୁରୀ।

Leave A Reply