ମହିଳା ଏସିଆନ ଚମ୍ପିଆନ୍‍ସ ଟ୍ରଫି ହକି: କୋରିଆ ଚମ୍ପିଆନ

0

ଡୋଘାଂଇ ସିଟି  : ଏଠାରେ ଚାଲିଥିବା ୫ମ ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚମ୍ପିଆନ ଭାରତକୁ ଏଥର ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡିଛି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଆୟୋଜକ ଦକ୍ଷିଣ କୋରିଆ ୧-୦ ଗୋଲରେ ଭାରତକୁ ପରାସ୍ତ କରିଛି। କୋରିଆ ଏହାକୁ ମିଶାଇ ତିନିଥର ଚମ୍ପିଆନ ହୋଇଥିବାବେଳେ ଭାରତକୁ ଦ୍ୱିତୀୟ ଥର ରନର୍ସଅପ୍‍ରେ ସନ୍ତୁଷ୍ଟ ହେବାକୁ ପଡିଛି। ପୂର୍ବରୁ ୨୦୧୩ରେ ଜାପାନ ନିକଟରୁ ହାରି ଭାରତ ରନର୍ସଅପ୍‍ ହୋଇଥିଲା। ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଫରୱାର୍ଡ ବନ୍ଦନା କାଟାରିଆ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବାବେଳେ ଲାଲରେମ୍‍ସିଆମିଙ୍କୁ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ପୁରସ୍କୃତ କରାଯାଇଛି। ଚୀନର ଜିଆଓମିଙ୍ଗ୍‍ ସୋଙ୍ଗ୍‍ଙ୍କ ସମେତ ଭାରତର ନବନୀତ କୌର ଓ ବନ୍ଦନା କଟାରିଆ ମିଳିତଭାବେ ଶ୍ରେଷ୍ଠ ଗୋଲଦାତା ଭାବେ ମାନ୍ୟତାଲାଭ କରିଛନ୍ତି।
ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ଆକ୍ରମଣାତ୍ମକ ରଣନୀତି ଅବଲମ୍ବନ କରିଥିଲେ। ୨ୟ କ୍ୱାର୍ଟର ପ୍ରାରମ୍ଭରେ କୋରିଆ ଦଳ ଦୁଇ ମିନିଟ ବ୍ୟବଧାନରେ ୩ଟି ପେନାଲଟି କର୍ଣ୍ଣର ପାଇଥିଲା। ତେବେ ଭାରତୀୟ ଗୋଲରକ୍ଷକ ସବିତାଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ କୋରିଆ ଖେଳାଳି କୌଣସି ଗୋଟିଏ ସୁଯୋଗକୁ କାର୍ଯ୍ୟକାରୀ କରିପାରିନଥିଲେ। ତେବେ ୨୪ ମିନିଟରେ କୋରିଆ ଫରୱାର୍ଡ ମି ହ୍ୟୁନ୍‍ ପାର୍କ ଡାହାଣ ପାର୍ଶ୍ବରୁ ତୀବ୍ର ବେଗରେ ବଲ ନେଇ ଭାରତୀୟ ଡି’ ମଧ୍ୟରେ ସାଥୀ ଖେଳାଳି ୟଙ୍ଗ୍‍ସିଲ୍‍ ଲିଙ୍କୁ କ୍ରସ୍‍ପାସ୍‍ ଦେଇଥିଲେ। ଲି କୌଣସି ତ୍ରୁଟି ନ ଦର୍ଶାଇ ଏହାକୁ ଭାରତୀୟ ଗୋଲପୋଷ୍ଟ ମଧ୍ୟକୁ ପଠାଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ମଧ୍ୟାନ୍ତର ସୁଦ୍ଧା ସ୍କୋରଲାଇନ କୋରିଆ ସପକ୍ଷରେ ୧-୦ ରହିଥିଲା।
ମଧ୍ୟାନ୍ତର ପରେ କୋରିଆ ଦଳ ଅଧିକ ରକ୍ଷଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲା। କୋରିଆର ରକ୍ଷଣଭାଗ ଭେଦ କରିବା ଭାରତୀୟ ଫରୱାର୍ଡଙ୍କ ପକ୍ଷରେ ଏକପ୍ରକାର ଅସମ୍ଭବ ହୋଇପଡିଥିଲା। ଏହାସତ୍ତ୍ବେ ତୃତୀୟ କ୍ୱାର୍ଟରର ୪୩ ମିନିଟରେ କୋରିଆ ପ୍ରତିଆକ୍ରମଣରୁ ଗୋଲ ଦେବାର ଆଉ ଏକ ସୁଯୋଗ ସୃଷ୍ଟି କରିଥିଲା। ମି ହ୍ୟୁନ୍‍ ପାର୍କ ଭାରତୀୟ ଗୋଲ ଏରିଆ ମଧ୍ୟରେ ଭାରତୀୟ ଡିଫେଣ୍ଡରଙ୍କୁ ପରାସ୍ତ କରି ସଟ୍‍ ମାରିଥିଲେ ସୁଦ୍ଧା ସବିତା ଏହାକୁ ଅଟକାଇବାରେ ସଫଳ ହୋଇଥିଲେ। ୪୪ ମିନିଟରେ କୋରିଆକୁ ଚତୁର୍ଥ ପେନାଲଟି କର୍ଣ୍ଣର ମିଳିଥିଲା। ଏଥର ସବିତା ପୁଣି ଚମତ୍କାର ଢଙ୍ଗରେ କୋରିଆ ଖେଳାଳିଙ୍କ ସଟ୍‍କୁ ଗୋଲପୋଷ୍ଟ ବାହାରକୁ ମାରି ଦଳକୁ ଏକ ନିଶ୍ଚିତ ଗୋଲରୁ ରକ୍ଷା କରିଥିଲେ। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ କୋରିଆ ଦଳ ସମ୍ପୂର୍ଣ୍ଣଭାବେ ନିଜ ଅଞ୍ଚଳରେ ସୀମିତ ରହିଥିଲା। ଭାରତ ଗୋଟିଏପଟେ ଗୋଲ ପରିଶୋଧ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଥିବାବେଳେ ଅନ୍ୟପଟରେ କୋରିଆ ଖେଳାଳି ଭାରତର ସବୁ ଉଦ୍ୟମକୁ ପ୍ରତିହତ କରିବାରେ ସଫଳ ହୋଇଥିଲେ। ଶେଷ ମୁହୂର୍ତ୍ତରେ ଭାରତ ତାହାର ଗୋଲରକ୍ଷକ ସବିତାଙ୍କୁ ପ୍ରତ୍ୟାହାର କରି ଅନ୍ୟ ଜଣେ ଖେଳାଳିଙ୍କୁ ପଡିଆକୁ ଓହ୍ଲାଇଥିଲା। ତେବେ କୋରିଆ ଖେଳାଳି ଭାରତୀୟଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ଫଳରେ ଗୋଲ ସୁଝାଇବା ଭାରତ ପକ୍ଷରେ ଅସମ୍ଭବ ହୋଇପଡିଥିଲା। ଶେଷରେ କୋରିଆ ୧-୦ରେ ବିଜୟୀ ହୋଇ ଏହି ଟାଇଟଲ ହାସଲ କରିପାରିଥିଲା।

Leave A Reply