ମହିଳା ହକିରେ ପରାସ୍ତ ; ରୌପ୍ୟରେ ସନ୍ତୁଷ୍ଟ

0

ଜାକର୍ତ୍ତା : ଏସୀୟ କ୍ରୀଡ଼ା ୧୩ଶ ଦିବସରେ ଶୁକ୍ରବାର ଭାରତ ୫ଟି ପଦକ ହାସଲ କରିଛି। ଭାରତୀୟ ମହିଳା ହକି ଦଳ ଫାଇନାଲ୍‍ରେ ଜାପାନ୍‍ ଠାରୁ ୧-୨ ଗୋଲରେ ପରାସ୍ତ ହୋଇ ରୌପ୍ୟ ପଦ କବିଜୟୀ ହୋଇଛି।

ଶୁକ୍ରବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଜାପାନ ୨-୧ ଗୋଲରେ ଭାରତକୁ ପରାସ୍ତ କରି ସ୍ୱର୍ଣ୍ଣପଦକ ଜିତିଛି। ଅପରପକ୍ଷରେ ଦକ୍ଷିଣ କୋରିଆକୁ ୨-୧ ଗୋଲରେ ପରାସ୍ତ କରି ଚୀନ ବ୍ରୋଞ୍ଜପଦକ ପାଇଛି। ଏଥରକୁ ମିଶାଇ ଭାରତ ଏସୀୟ କ୍ରୀଡାର ମହିଳା ହକିରେ ପଞ୍ଚମ ପଦକ ହାସଲ କରିଛି। ୧୯୮୨ ଏସୀୟ କ୍ରୀଡାରେ ଭାରତୀୟ ଦଳ ସ୍ୱର୍ଣ୍ଣପଦକ ଜିତିଥିବାବେଳେ ୧୯୮୬ରେ (ସିଓଲ) ବ୍ରୋଞ୍ଜ, ୧୯୯୮ରେ (ବ୍ୟାଙ୍କକ୍‍) ରୌପ୍ୟ, ୨୦୦୬ (ଦୋହା) ଓ ୨୦୧୪ (ଇଞ୍ଚିଅନ)ରେ ବ୍ରୋଞ୍ଜପଦକ ହାସଲ କରିଥିଲା। ସୂଚନାଯୋଗ୍ୟ ଇଞ୍ଚିଅନ ଏସୀୟ କ୍ରୀଡାରେ ଜାପାନକୁ ୨-୧ ଗୋଲରେ ପରାସ୍ତ କରି ଭାରତ ବ୍ରୋଞ୍ଜପଦକ ଜିତିଥିଲା।
ଚଳିତ ଏସୀୟ କ୍ରୀଡାର ଲିଗ୍‍ ପର୍ଯ୍ୟାୟ ସମେତ ସେମିଫାଇନାଲରେ ବିଜୟୀ ହୋଇଥିବା ଭାରତୀୟ ଦଳ ଆଜିର ମ୍ୟାଚରେ ଫେଭରିଟ୍‍ ମାନ୍ୟତା ସହ ପଡିଆକୁ ଓହ୍ଲାଇଥିଲା। ପ୍ରଥମ କ୍ୱାର୍ଟରର ୨ ମିନିଟରେ ଭାରତୀୟ ଖେଳାଳି ଲାଲରେମସିଆମି ଓ ୩ ମିନିଟରେ ଅଧିନାୟିକା ରାଣୀ ରାମପାଲଙ୍କ ଶକ୍ତିଶାଳୀ ସଟ୍‍କୁ ଜାପାନ ଗୋଲରକ୍ଷକ ଅଟକାଇଥିଲେ। ୯ ମିନିଟରେ ଭାରତକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା। ତେବେ ଗୁରଜିତ କୌରଙ୍କ ସଟ୍‍ ଜାପାନ ଗୋଲପୋଷ୍ଟ ବାହାରକୁ ଚାଲିଯିବାରୁ ଏହି ସୁଯୋଗ ହାତଛଡା ହୋଇଥିଲା। ୧୦ ମିନିଟରେ ଜାପାନକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା। ଓଇକାୱା ସିହୋରି ଏହାକୁ ଗୋଲରେ ପରିବର୍ତ୍ତନ କରି ଜାପାନକୁ ୧-୦ରେ ଆଗୁଆ କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଜାପାନ ଦଳ ଆକ୍ରମଣାତ୍ମକ ରଣନୀତି ଅବଲମ୍ବନ କରି ଭାରତୀୟ ଗୋଲ ଏରିଆରେ ଚାପ ସୃଷ୍ଟି କରିଥିଲା। ତେବେ ଏହି କ୍ୱାର୍ଟରର ୨୪ ମିନିଟରେ ନେହା ଗୋଏଲ ଚମତ୍କାର ଫିଲ୍ଡ ଗୋଲ ସ୍କୋର କରି ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ଫଳରେ ମଧ୍ୟାନ୍ତର ସୁଦ୍ଧା ମ୍ୟାଚ ୧-୧ ଗୋଲରେ ଅମୀମଂସିତ ରହିଥିଲା। ବିରତି ପରେ ଭାରତୀୟ ଦଳ ପ୍ରତିଆକ୍ରମଣ ଜାରି ରଖି ଗୋଲ ଦେବାର ଏକାଧିକ ସୁଯୋଗ ସୃଷ୍ଟି କରିଥିଲା। ତେବେ ୩୫ ଓ ୩୭ ମିନିଟରେ ବନ୍ଦନା କାଟାରିଆଙ୍କ ଦୁଇଟି ସଟ୍‍କୁ ଜାପାନ ଗୋଲରକ୍ଷକ ଅଟକାଇଥିଲେ। ୪୧ ମିନିଟରେ ଜାପାନ ଖେଳାଳିଙ୍କ ଏକ ତୀବ୍ର ସଟ୍‍କୁ ଭାରତୀୟ ଗୋଲରକ୍ଷକ ସବିତା ଅଟକାଇବା ସହ ଦଳକୁ ନିଶ୍ଚିତ ଗୋଲରୁ ରକ୍ଷା କରିଥିଲେ। ତେବେ ୪୪ ମିନିଟରେ ଜାପାନକୁ ଦ୍ୱିତୀୟ ପେନାଲଟି କର୍ଣ୍ଣର ମିଳିଥିଲା। ମାତୋମି କାୱାମୁରା ଏହାକୁ ଗୋଲରେ ପରିବର୍ତ୍ତନ କରିବା ଫଳରେ ଜାପାନ ୨-୧ ଗୋଲରେ ଆଗୁଆ ରହିଥିଲା। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରର ୪୬ ମିନିଟରେ ଜାପାନ ଖେଳାଳି ନାଇତୋ ନାତ୍‍ସୁକି ସବୁଜ କାର୍ଡ ପାଇ ପାଞ୍ଚ ମିନିଟ ପଡିଆ ବାହାରକୁ ଯାଇଥିଲେ। ଭାରତ ଗୋଲ ପରିଶୋଧ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ସୁଦ୍ଧା ଜାପାନ ରକ୍ଷଣଭାଗକୁ ଭେଦ କରିବାରେ ବିଫଳ ହୋଇଥିଲା। ୫୫ ମିନିଟରେ ଫାଉଲ ଖେଳ ଯୋଗୁଁ ରେଫେରୀ ଭାରତୀୟ ଖେଳାଳି ମୋନିକାଙ୍କୁ ସବୁଜ କାର୍ଡ ପ୍ରଦର୍ଶନ କରିଥିଲେ। ଫଳରେ ମ୍ୟାଚର ଶେଷ ପାଞ୍ଚ ମିନିଟ ଭାରତୀୟ ଦଳ ୧୦ ଜଣ ଖେଳାଳିରେ ସୀମିତ ରହିଥିଲା। ଏଥିଯୋଗୁଁ ଭାରତୀୟ ଦଳର ଗୋଲ ସୁଝାଇବା ଉଦ୍ୟମ ବାଧାପ୍ରାପ୍ତ ହୋଇଥିଲା। ଅନ୍ତିମ ଲଗ୍ନରେ ଭାରତକୁ ଆଉ ଏକ ସୁଯୋଗ ମିଳିଥିଲେ ସୁଦ୍ଧା ବନ୍ଦନା କାଟାରିଆ ଏହାକୁ କାର୍ଯ୍ୟକାରୀ କରିପାରିନଥିଲେ। ଫଳରେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଜାପାନ ୨-୧ ଗୋଲରେ ବିଜୟୀ ହୋଇ ସ୍ୱର୍ଣ୍ଣପଦକ ହାସଲ କରିଛି।
ତେବେ ଆଜି ଭାରତ ମୋଟ୍‍ ୨ଟି ରୌପ୍ୟ ଓ ତିନୋଟି ବ୍ରୋଞ୍ଜ ପଦକ ରହିଛି। ସେଲିଂରେ ବର୍ଷା ଗୌତମ ଓ ସ୍ୱେତା ସରବେଗର ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ହର୍ଷିତା ତୋମାର ଓପନ୍‍ ଲେଜର୍‍ ୪.୭ରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ବରୁଣ ଠକର୍‍ ଓ କେ.ସି. ଗଣପତି ମଧ୍ୟ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ସ୍କ୍ୱାସ୍‍ରେ ଭାରତୀୟ ପୁରୁଷ ଟିମ୍‍ ଚୀନ୍‍ଠାରୁ ପରାସ୍ତ ହୋଇ ବ୍ରୋଞ୍ଜ ପଦକ ଲାଭ କରିଛି। ଭାରତ ଶୁକ୍ରବାର ସୁଦ୍ଧା ୧୩ଟି ସ୍ୱର୍ଣ୍ଣ, ୨୩ଟି ରୌପ୍ୟ ଓ ୨୮ଟି ବ୍ରୋଞ୍ଜ ପଦକ ଜିତି ପଦକ ତାଲିକାର ଅଷ୍ଟମ ସ୍ଥାନରେ ରହିଛି।

Leave A Reply