ପୁରୁଷ ହକି: ଭାରତ ସେମିରେ ପରାସ୍ତ

0

ଜାକର୍ତ୍ତା : ଭାରତୀୟ ପୁରୁଷ ହକି ଦଳ ଚଳିତ ଏସୀୟ କ୍ରୀଡାର ହକି ଇଭେଣ୍ଟର ସେମିଫାଇନାଲରେ ପରାଜୟ ବରଣ କରିଛି। ଗୁରୁୁବାର ଖେଳାଯାଇଥିବା ମାଲେସିଆ ବିପକ୍ଷ ଏହି ମ୍ୟାଚ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ୨-୨ ଗୋଲରେ ଅମୀମାଂସିତ ରହିବାପରେ ପେନାଲଟି ସୁଟ୍‍ଆଉଟର ସହାୟତା ନିଆଯାଇଥିଲା। ଏଥିରେ ମାଲେସିଆ ୭-୬ ଗୋଲରେ ଡିଫେଣ୍ଡିଂ ଚମ୍ପିଆନ ଭାରତକୁ ପରାସ୍ତ କରିଛି। ଗୁରୁବାର ଅନ୍ୟ ସେମିଫାଇନାଲ ମ୍ୟାଚରେ ଜାପାନ ୧-୦ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ସେପ୍ଟେମ୍ବର ୧ରେ ଖେଳାଯିବାକୁ ଥିବା ବ୍ରୋଞ୍ଜପଦକ ମୁକାବିଲାରେ ଭାରତ ତାହାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।
ଲିଗ୍‍ ପର୍ଯ୍ୟାୟର ସବୁ ମ୍ୟାଚରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୭୬ଟି ଗୋଲ ସ୍କୋର କରିଥିବା ଭାରତୀୟ ଦଳ ଏହି ମୁକାବିଲାରେ ଫେଭରିଟ୍‍ ମାନ୍ୟତା ସହ ପଡିଆକୁ ଓହ୍ଲାଇଥିଲା। ପ୍ରଥମ କ୍ୱାର୍ଟରରେ ଭାରତକୁ ଚାରିଟି ଓ ମାଲେସିଆକୁ ଦୁଇଟି ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା କେହି କାହାରିକୁ ଗୋଲ ଦେଇପାରିନଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ଫଳରେ ମଧ୍ୟାନ୍ତର ସୁଦ୍ଧା ମ୍ୟାଚ ଗୋଲଶୂନ୍ୟ ରହିଥିଲା। ବିରତି ପରେ ତୃତୀୟ କ୍ୱାର୍ଟରର ୩୨ ମିନିଟରେ ମିଳିଥିବା ୫ମ ପେନାଲଟି କର୍ଣ୍ଣରକୁ ହରମନପ୍ରୀତ ସିଂହ ଗୋଲରେ ପରିବର୍ତ୍ତନ କରି ଭାରତକୁ ୧-୦ରେ ଆଗୁଆ କରିଥିଲେ। ତେବେ ୩୯ ମିନିଟରେ ସାରି ଫୈଜଲ ମାଲେସିଆ ପକ୍ଷରୁ ଗୋଲ ପରିଶୋଧ କରି ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ୪୦ ମିନିଟରେ ବରୁଣ କୁମାର ଆଉ ଏକ ଗୋଲ ସ୍କୋର କରିବା ଫଳରେ ଭାରତ ୨-୧ରେ ଆଗୁଆ ରହିଥିଲା। ୫୮ ମିନିଟ ପର୍ଯ୍ୟନ୍ତ ଭାରତ ଏହି ସ୍ଥିତି ବଜାୟ ରଖିଥିବାବେଳେ ଦଳର ବିଜୟ ନିଶ୍ଚିତ ଜଣାପଡୁଥିଲା। ତେବେ ୫୮ ମିନିଟରେ ମାଲେସିଆ ଖେଳାଳି ରହିମ ମହମ୍ମଦ ରାଜାଇ ପେନାଲଟି କର୍ଣ୍ଣରରୁ ଗୋଲ ସ୍କୋର କରି ମ୍ୟାଚକୁ ୨-୨ ସ୍ଥିତିକୁ ଆଣିଥିଲେ।
ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ମ୍ୟାଚ ୨-୨ ଗୋଲରେ ଅମୀମାଂସିତ ରହିବା ଫଳରେ ପେନାଲଟି ସୁଟ୍‍ଆଉଟର ସହାୟତା ନିଆଯାଇଥିଲା। ଭାରତ ପକ୍ଷରୁ ମନପ୍ରୀତ ସିଂହ ମାରିଥିବା ପ୍ରଥମ ସଟ୍‍ ବିଫଳ ହୋଇଥିବାବେଳେ ମାଲେସିଆ ପକ୍ଷରୁ ଆସାରି ମହମ୍ମଦ ଫିରାନ୍‍ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଆକାଶଦୀପ ସିଂହ ଦ୍ୱିତୀୟ ଉଦ୍ୟମରେ ଗୋଲ ଦେଇ ୧-୧ ସ୍ଥିତିକୁ ଆଣିଥିବାବେଳେ ମାଲେସିଆ ଖେଳାଳି ତାଜୁଉଦ୍ଦିନ ଅହମ୍ମଦ ଗୋଲ ଦେବାରେ ବିଫଳ ହୋଇଥିଲେ। ହରମନପ୍ରୀତ ସିଂହଙ୍କ ଗୋଲ ବଳରେ ଭାରତ ୨-୧ରେ ଆଗୁଆ ରହିଥିବାବେଳେ ମାଲେସିଆ ପକ୍ଷରୁ ସାରି ମହମ୍ମଦ ଫିତ୍ରି ଗୋଲ ଦେବାରୁ ମ୍ୟାଚ ୨-୨ ସ୍ଥିତିକୁ ଆସିଥିଲା। ପରବର୍ତ୍ତୀ ସମୟରେ ମ୍ୟାଚ ୬-୬ ଗୋଲ ସ୍ଥିତିରେ ଥିବାବେଳେ ତାଜୁଉଦ୍ଦିନ ଅହମ୍ମଦ ଗୋଲ ସ୍କୋର କରି ମାଲେସିଆକୁ ୭-୬ରେ ଆଗୁଆ କରିଥିଲେ। ଭାରତ ପାଇଁ ପେନାଲଟି ଷ୍ଟ୍ରୋକ୍‍କୁ ଗୋଲରେ ପରିବର୍ତ୍ତନ କରିବା ଜରୁରୀ ହୋଇଥିବାବେଳେ ଏସ.ଭି.ସୁନିଲ ତାଙ୍କ ଉଦ୍ୟମରେ ବିଫଳ ହେବାରୁ ମାଲେସିଆ ୭-୬ ଗୋଲରେ ବିଜୟୀ ହୋଇଥିଲା।

Leave A Reply