ହକି ବିଶ୍ୱକପ: ମୁତୟନ ହେବେ ୮୦ ପ୍ଲାଟୁନ ପୁଲିସ ଫୋର୍ସ

0

ଭୁବନେଶ୍ୱର : ଆଉ ମାତ୍ର ୯୮ ଦିନ ପରେ କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସରେ ଖେଳାଯିବ ପୁରୁଷ ହକି ବିଶ୍ୱକପ ଚତୁର୍ଦଶତମ ସଂସ୍କରଣ। ପ୍ରତିଯୋଗିତାକୁ ସଫଳତାର ସହିତ ପରିଚାଳନା କରିବା ନେଇ ମଙ୍ଗଳବାର ସଚିବାଳୟଠାରେ ଦ୍ୱିତୀୟ ସୁରକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସୁରକ୍ଷା ବ୍ୟବସ୍ଥା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ମ୍ୟାଚ୍‍ ସମୟରେ ଷ୍ଟାଡ଼ିୟମ ଓ ଷ୍ଟାଡ଼ିୟମ ବାହାରେ ୭୦ରୁ ୮୦ ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି। ବିଭିନ୍ନ ଦଳର ଖେଳାଳି ବିମାନ ବନ୍ଦରରେ ପହଞ୍ଚିବା, ହୋଟେଲରେ ରହଣୀ, ଷ୍ଟାଡ଼ିୟମକୁ ଅଭ୍ୟାସ ଓ ମ୍ୟାଚ୍‍ ଖେଳିବା ଲାଗି ଯାତାୟତ ସମୟରେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା ନେଇ ନିଷ୍ପତ୍ତି ହୋଇଛି। ପ୍ରତି ଦଳକୁ ପିଏସ୍‍ଓ ଓ ପେଟ୍ରୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। ଷ୍ଟାଡ଼ିୟମ ଓ ଷ୍ଟାଡ଼ିୟମ ବାହାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ କ୍ଲୋଜ ସର୍କିଟ କ୍ୟାମେରା ଲଗାଯିବ। ପୂରା ଷ୍ଟାଡ଼ିୟମକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯିବ। ବିଶେଷ କରି କଳିଙ୍ଗ ଷ୍ଟାଡ଼ିୟମର ପ୍ରବେଶ ଓ ପ୍ରସ୍ଥାନ ପଥ, ପାର୍କିଂ, ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଫ୍ୟାନ ଜୋନ, ଫନ ବକ୍ସ, ହୋଟେଲରେ ସୁରକ୍ଷା ବ୍ୟବସ୍ଥା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବାକୁ ନିଷ୍ପତ୍ତି ହୋଇଛି। ମ୍ୟାଚ୍‍ ଦିନ ପଡ଼ିଆ ନିକଟରେ କ୍ୟୁଏଟି ଷ୍ଟ୍ରାଇକିଂ ଫୋର୍ସ ମୁତୟନ କରାଯିବ। ସେହିପରି ପ୍ରତିଯୋଗିତାକୁ ରାଜ୍ୟବ୍ୟାପୀ ବ୍ୟାପକ ପ୍ରଚାର କରିବା ନେଇ କ୍ରୀଡ଼ା ବିଭାଗ ପକ୍ଷରୁ ୧୭ଟି ଜିଲାରେ ପ୍ରଚାର କରାଯିବାକୁ ନିଷ୍ପତ୍ତି ହୋଇଛି। ଜିଲା ଗୁଡ଼ିକରେ ପ୍ରଚାର ଗାଡ଼ି ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଚାର କରାଯିବ। ଷ୍ଟାଡ଼ିୟମରେ ୧୫ ହଜାର ସାଧାରଣ ଦର୍ଶକଙ୍କ ମ୍ୟାଚ ଦେଖିବା ଲାଗି ସୁବିଧା ଉପଲବ୍ଧ ହୋଇଛି। ଏହି ବୈଠକରେ ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା, କମିଶନର ସତ୍ୟଜିତ ମହାନ୍ତିଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply