ହକି ବିଶ୍ୱକପ ପାଇଁ ଭାରତୀୟ ଦଳରେ ୨ଓଡିଆ ସାମିଲ

0

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ୱକପ ଲାଗି ଗୁରୁବାର ଘରୋଇ ଭାରତୀୟ ଦଳ ମନୋନୟନ କରାଯାଇଛି। ଏସିଆନ୍‍ ଚମ୍ପିଆନ୍‍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଜିତିବା ପରେ ଏବେ ଭୁବନେଶ୍ୱରରେ ଅଭ୍ୟାସ କରୁଥିବା ସମ୍ଭାବ୍ୟ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ହକି ଇଣ୍ଡିଆ ମନୋନୟନ କମିଟି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଓଡ଼ିଶା ପାଇଁ ଏହା ଏକ ଖୁସିର କଥା ଯେ ଦଳରେ ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ମନ୍‍ପ୍ରୀତ ସିଂହ ଦଳର ଅଧିନାୟକ ଓ ଚିଙ୍ଗଲେନସାନା ସିଂହ ଉପଅଧିନାୟକ ଦାୟିତ୍ୱ ତୁଲାଇବେ।
ଅକ୍ଟୋବରରେ ଓମାନ୍‍ରେ ଖେଳା ଯାଇଥିବା ଏସିଆନ୍‍ ଚମ୍ପିଆନ୍‍ସ ଟ୍ରଫି ହକି ଚମ୍ପିଆନ୍‍ ହୋଇଥିବା ଭାରତୀୟ ଦଳରୁ କିଛି ଖେଳାଳିଙ୍କୁ ବାଦ୍‍ ଦିଆଯାଇଛି। ସେମାନେ ହେଲେ ଗୁରଜାନ୍ତ ସିଂହ, ଗୁରିନ୍ଦର ସିଂହ ଓ ଜର୍ମନପୀିତ ସିଂହ। ଏହି ୩ ଖେଳାଳିଙ୍କ ସ୍ଥାନରେ ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା ଓ ସିମ୍ରନଜିତ୍‍ ସିଂହ ସାମିଲ ହୋଇଛନ୍ତି। ଗୋଲ୍‍ରକ୍ଷକ ଭାବେ ପି.ଆର୍‍. ଶ୍ରୀଜେଶ ଓ କୃଷ୍ଣ ବାହାଦୂର ପାଠକ ସ୍ଥାନ ବଜାୟ ରଖିଛନ୍ତି। ସୁରେନ୍ଦ୍ର କୁମାର, ହରମନ୍‍ପ୍ରୀତ ସିଂହ, କୋଥାଜି୍‍ତ୍‍ ସିଂହ, ବରୁଣ କୁମାର ସ୍ଥାନ ବଜାୟ ରଖିଛନ୍ତି। ମଧ୍ୟକ୍ରମରେ ଅଧିନାୟକ ମନ୍‍ପ୍ରୀତ୍‍ ସିଂହ, ଚିଙ୍ଗଲେନ୍‍ସାନା ସିଂହ, ନୀଳକାନ୍ତ ଶର୍ମା, ହାର୍ଦିକ ସିଂହ, ଲଳିତ କୁମାର ଉପାଧ୍ୟାୟ, ସୁମିତ ସ୍ଥାନ ବଜାୟ ରଖିଛନ୍ତି। ଫରୱାର୍ଡ ବିଭାଗରେ ଆକାଶଦୀପ ସିଂହ, ମନ୍‍ଦୀପ ସିଂହ, ଦିଲ୍‍ପ୍ରୀତ ସିଂହ ସ୍ଥାନ ବଜାୟ ରଖିଛନ୍ତି। ତେବେ ଆହତ ଥିବାରୁ ଫରୱାର୍ଡ ଏସ୍‍.ଭି. ସୁନୀଲ ଏହି ବିଶ୍ୱକପ୍‍ ଖେଳିବେନାହିଁ ବୋଲି ପୂର୍ବରୁ ଘୋଷଣା କରା ଯାଇଥିବା ବେଳେ ପେନାଲ୍‍ଟି କର୍ଣ୍ଣର ବିଶେଷଜ୍ଞ ରୁପିନ୍ଦରପାଲ ସିଂହଙ୍କୁ ଦଳରୁ ବାଦ୍‍ଦେବା ଅନେକଙ୍କୁ ଚକିତ କରିଛି। ରୁପିନ୍ଦରଙ୍କ ଅନୁପସ୍ଥିତିରେ ହରମନପ୍ରୀତ ସିଂହ ଏକମାତ୍ର ପେନାଲ୍‍ଟି କର୍ଣ୍ଣର ବିଶେଷଜ୍ଞ ହୋଇ ରହିଛନ୍ତି। ତାଙ୍କୁ ସହାୟତା ଦେବେ ବରୁଣ କୁମାର ଓ ଅମିତ ରୋହିଦାସ। ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହଙ୍କ ତତ୍ତ୍ୱାବଧାନରେ ୩୪ ଜଣ ଖେଳାଳିଙ୍କୁ ନେଇ ବିଶ୍ୱକପ ଲାଗି ସମ୍ଭାବଶ ଶିବିର ଚଳିତ ନଭେମ୍ବର ୧ରୁ ଆରମ୍ଭ ହୋଇଥିଲା। ଏଥିରୁ ୧୮ଜଣିଆ ଚୂଡାନ୍ତ ଦଳ ମନୋନୟନ କରାଯାଇଛି। ଏହି ବିଶ୍ୱକପ୍‍ରେ ଆୟୋଜକ ଭାରତ ପୁଲ୍‍ ‘ସି’ରେ ସ୍ଥାନପାଇଛି। ଏହି ପୁଲ୍‍ରେ ବିଶ୍ୱର ୩ ନମ୍ବର ମାନ୍ୟତାପ୍ରାପ୍ତ ବେଲଜିୟମ୍‍, ଦକ୍ଷିଣ ଆଫ୍ରିକା ଓ କାନାଡ଼ା ସହିତ ସ୍ଥାନ ପାଇଛି। ଭାରତ ୨୮ରେ ଦକ୍ଷିଣଆଫ୍ରିକା, ଡିସେମ୍ବର ୨ରେ ବେଲଜିୟମ ଓ ୮ରେ କାନାଡ଼ା ସହିତ ଲିଗ୍‍ ମ୍ୟାଚ ଖେଳିବ।
ଭାରତୀୟ ଦଳ: ପି.ଆର୍‍. ଶ୍ରୀଜେଶ, କୃଷ୍ଣ ବାହାଦୂର ପାଠକ (ଗୋଲରକ୍ଷକ), ହରମନ୍‍ପ୍ରୀତ ସିଂହ, ବୀରେନ୍ଦ୍ର ଲାକ୍ରା, ବରୁଣ କୁମାର, କୋଥାଜିତ୍‍ ସିଂହ, ସୁରେନ୍ଦ୍ର କୁମାର, ଅମିତ ରୋହିଦାସ (ସମେସ୍ତ ରକ୍ଷଣାଭାଗ ଖେଳାଳି), ମନପ୍ରୀତ୍‍ ସିଂହ (ଅଧିନାୟକ), ଚିଙ୍ଗଲେନ୍‍ସାନା ସିଂହ (ଉପଅଧିନାୟକ), ନୀଳକାନ୍ତ ଶର୍ମା, ହାର୍ଦିକ ସିଂହ, ସୁମିତ (ସମସ୍ତେ ମଧ୍ୟପନ୍ଥି ଖେଳାଳି), ଆକାଶଦୀପ ସିଂହ, ମନଦୀପ୍‍ ସିଂହ, ଦିଲପ୍ରୀତ ସିଂହ, ଲଳିତ କୁମାର ଉପାଧ୍ୟାୟ, ସିମ୍ରନଜିତ୍‍ ସିଂହ (ସମସ୍ତେ ଅଗ୍ରଭାଗ ଖେଳାଳି)।

Leave A Reply