ଶୀର୍ଷ ସ୍ଥାନ ପାଇଁ ନ୍ୟୁଜିଲାଣ୍ଡ-ଆର୍ଜେଣ୍ଟିନା ଲଢ଼େଇ ଆଜି

0

ଭୁବନେଶ୍ୱର : ଚଳିତ ପୁରୁଷ ହକି ବିଶ୍ୱକପ୍‍ରେ ସୋମବାର ପୁଲ୍‍ ‘ଏ’ର ୨ଟି ମ୍ୟାଚ୍‍ ଖେଳାଯିବ। ପ୍ରଥମ ମ୍ୟାଚରେ ଦୁଇ ୟୁରୋପୀୟ ଦଳ ସ୍ପେନ୍‍ ଓ ଫ୍ରାନ୍‍ସ ମଧ୍ୟରେ ମୁକାବିଲା ହେବ। ୨ୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହେବ। ନ୍ୟୁଜିଲାଣ୍ଡ ଓ ଆର୍ଜେଣ୍ଟିନା ନିଜର ପ୍ରଥମ ମ୍ୟାଚରେ ବିଜୟୀ ହୋଇ ୩ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି। ଉଭୟ ଦଳ ବିଜୟଧାରା ବଜାୟ ରଖିବା ଲାଗି ଉଦ୍ୟମ କରିବେ।
ଆର୍ଜେଣ୍ଟିନା ପ୍ରଥମ ମ୍ୟାଚରେ ୪-୩ ଗୋଲରେ ସ୍ପେନ୍‍କୁ ପରାସ୍ତ କରିଥିଲା। ଦଳ ପକ୍ଷରୁ ଗୋଞ୍ଜାଲୋ ପେଇଲାଟ ଓ ଅଗଷ୍ଟିନ୍‍ ମାଜିଲି ୨ଟି ଲେଖାଏଁ ଗୋଲ ଦେଇଥିଲେ। ପୁଣି ଆର୍ଜେଣ୍ଟିନାର ମାଥିଆସ ପାରାଡିସ, ମାଥିଆସ ରେ’, ଗୋଲ୍‍ରକ୍ଷକ ଭିଭାଲି ଜୁଆନ୍‍ ପ୍ରମୁଖ ଭଲ ପ୍ରଦର୍ଶନ କରିଥିଲେ। ଦଳ ପ୍ରତ୍ୟେକ ବିଭାଗରେ ଭଲ ପ୍ରଦର୍ଶନ କରିଥିଲା। କୋଚ ଜର୍ମାନ ଓରୋଜ୍‍କୋ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତକରି ସିଧାସଳଖ କ୍ୱାର୍ଟର ଲାଗି ଆଉ ପାଦେ ଆଗକୁ ବଢିବା ଲକ୍ଷ୍ୟରେ ରହିଥିବା କହିଛନ୍ତି। ସେହିପରି ନ୍ୟୁଜିଲାଣ୍ଡ ମଧ୍ୟ ପ୍ରଥମ ମ୍ୟାଚରେ ୨-୧ ଗୋଲରେ ଫ୍ରାନ୍‍ସକୁ ପରାସ୍ତ କରିଥିଲା। ଦଳ ପକ୍ଷରୁ କେନ୍‍ ରସେଲ ଓ ଷ୍ଟିଫେନ୍‍ ଜେନିସ୍‍ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ପ୍ରଥମ ମ୍ୟାଚରେ ବିଜୟୀହେବା ପରେ ଦଳର ମନୋବଳ ବୃଦ୍ଧିପାଇଛି। ଆର୍ଜେଣ୍ଟିନା ବିପକ୍ଷରେ ଆମେ ବିଜୟଧାରାକୁ ବଜାୟ ରଖିବା ନେଇ ପ୍ରସ୍ତୁତ ବୋଲି କୋଚ ଡ୍ୟାରେନ୍‍ ସ୍ମିଥ୍‍ କହିଛନ୍ତି।

Leave A Reply