୨୩ ବର୍ଷରୁ କମ୍‌ ହକି: ଭାରତୀୟ ମହିଳା ଓ ପୁରୁଷ ଦଳ ବିଜୟୀ

0

କଟକ : ବେଲ୍‌ଜିୟମର ଆଣ୍ଟୱେପ୍‌ରେ ଖେଳାଯାଉଥିବା ୨୩ ବର୍ଷରୁ କମ୍‌ ହକି ଟୁର୍ଣ୍ଣାମେଣ୍ଟରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ ବିଜୟୀ ହୋଇଛି।
ମହିଳା ବିଭାଗରେ ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୪-୧ ଗୋଲ୍‌ରେ ପରାସ୍ତ କରିଥିଲା। ଖେଳର ୫ ମିନିଟ୍‌ରେ ଆୟର୍ଲାଣ୍ଡର ଏଡେଲ୍‌ ନାଇଲାଣ୍ଡ ଗୋଲ୍‌ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ। ଗୋଲ୍‌ବରଣ କରିବା ପରେ ପ୍ରୀତି ଦୁବେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆୟର୍ଲାଣ୍ଡ ଉପରେ ଘନଘନ ଆକ୍ରମଣ କରିଥିଲା। ଖେଳର ୧୧ ମିନିଟ୍‌ରେ ଭାରତ ତରଫରୁ ଜ୍ୟୋତି ଗୋଲ୍‌ ସ୍କୋର କରି ଖେଳକୁ ସମାନ ସ୍ତରକୁ ଆଣିଥିଲେ। ସେହିପରି ଖେଳର ୨୨ ମିନିଟ୍‌ରେ ଭାରତ ତରଫରୁ ମୁମତାଜ୍‌ ଖାନ୍‌ ଗୋଲ୍‌ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ।
ଆୟର୍ଲାଣ୍ଡ ଖେଳାଳିମାନେ ଗୋଲ୍‌ ପରିଶୋଧ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଭାରତୀୟ ଦଳର ରକ୍ଷଣଭାଗ ଖେଳାଳି ସେମାନଙ୍କୁ ଗୋଲ୍‌ ସ୍କୋର କରିବାକୁ ସୁଯୋଗ ଦେଇନଥିଲେ। ଅନ୍ୟପକ୍ଷରେ ୨୮ ଓ ୩୭ ମିନିଟ୍‌ରେ ଭାରତ ତରଫରୁ ମନ୍‌ପ୍ରୀତ କୌର ଗୋଲ୍‌ ସ୍କୋର କରି ଦଳକୁ ୪-୧ରେ ବିଜୟୀ କରାଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ରବିବାର ଗ୍ରେଟ୍‌ ବ୍ରିଟେନ୍‌କୁ ଭେଟିବ।
ସେହିପରି ପୁରୁଷ ବିଭାଗରେ ଭାରତ ନିଜ ପ୍ରଥମ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୫-୦ ଗୋଲ୍‌ରେ ପରାସ୍ତ କରିଥିଲା। ପ୍ରଥମ କ୍ୱାର୍ଟରରେ କୌଣସି ଦଳ ଗୋଲ୍‌ ସ୍କୋର କରିନଥିଲେ। ତେବେ ଦିପସାନ ତିର୍କୀଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ତରଫରୁ ଖେଳର ୨୦ ମିନିଟ୍‌ରେ ରାଜକୁମାର ପାଲ୍‌ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ। ସେହିପରି ୨୫ ମିନିଟ୍‌ରେ ମହମ୍ମଦ ଉମର ଭାରତ ତରଫରୁ ଦ୍ୱିତୀୟ ଗୋଲ୍‌ ସ୍କୋର କରିଥିଲେ। ୨୮ ମିନିଟ୍‌ରେ ମହମ୍ମଦ ରାହେଲ୍‌ ଦଳ ତରଫରୁ ପେନାଲ୍‌ଟି କର୍ଣ୍ଣର ମାଧ୍ୟମରେ ତୃତୀୟ ଗୋଲ୍‌ ସ୍କୋର କରିଥିଲେ। ଅନ୍ୟପକ୍ଷରେ ଆୟର୍ଲାଣ୍ଡ ଖେଳାଳିମାନେ ଆଶାନୁରୂପକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଖେଳର ୩୨ ମିନିଟ୍‌ରେ ଶିଳାନନ୍ଦ ଲାକ୍ରା ଓ ୬୦ ମିନିଟ୍‌ରେ ମହମ୍ମଦ ରାହିଲ୍‌ ଭାରତ ତରଫରୁ ଆଉ ଦୁଇଟି ଗୋଲ୍‌ ସ୍କୋର କରି ଦଳକୁ ୫-୦ରେ ବିଜୟୀ କରାଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ଆସନ୍ତା ରବିବାର ଗ୍ରେଟ୍‌ ବ୍ରିଟେନ୍‌କୁ ଭେଟିବ।

Leave A Reply