ହକି ଶିବିର ଆରମ୍ଭ ; କଳିଙ୍ଗ ଷ୍ଟାଡ଼ିୟମ ବୁଲିଲେ କମଲ ହାସନ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡ଼ିୟମରେ ଭାରତୀୟ ପୁରୁଷ ହକି ଦଳର ସମ୍ଭାବ୍ୟ ଶିବିର ଆରମ୍ଭ ହୋଇଛି। ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍‌ଙ୍କ ନେତୃତ୍ବରେ ପ୍ରଶିକ୍ଷଣ ଶିିବିର ଆରମ୍ଭ ହୋଇଛି। ସକାଳେ ଖେଳାଳିମା​ନେ ଜିମ୍ନାସିୟମରେ ସମୟ ବିତାଇଥିବା ବେଳେ ଅପରାହ୍ଣରେ ପଡ଼ିଆରେ ଅଭ୍ୟାସ କରିଥି​ଲେ। ୩୩ ଜଣିଆ ସମ୍ଭାବ୍ୟ ଦଳକୁ ନେଇ ଆରମ୍ଭ ହୋଇଥିବା ଉକ୍ତ ଶିବିରରେ ସମସ୍ତ ଖେଳାଳି ଯୋଗ ଦେଇଥିଲେ।
ଭାରତୀୟ ହକି ଦଳର ସମ୍ଭାବ୍ୟ ଶିବିରର ପ୍ରଥମ ଦିନରେ ସିନେ ଜଗତର ସୁପରଷ୍ଟାର କମଲ ହାସନ ଯୋଗ ଦେଇଥିଲେ। ଅଭିନେତାରୁ ରାଜନେତା ବନିଥିବା ଏହି ତାମିଲ ସୁପରଷ୍ଟାର ଭାରତୀୟ ହକି ଦଳର ଖେଳାଳି ଓ ଆଇଏସ୍‌ଏଲ କ୍ଲବ ଓଡ଼ିଶା ଏଫ୍‌ସି ଖେଳାଳିଙ୍କୁ ନିଜ କାର୍ଯ୍ୟରେ କିଭଳି ଶ୍ରେଷ୍ଠ ସଫଳତା ହାସଲ କରି​ବେ ତାହାର ମନ୍ତ୍ର ଦେଇଥିଲେ। ଏହି ଅବସରରେ କମଲ ହାସନ କଳିଙ୍ଗ ଷ୍ଟାଡ଼ିୟମ ବୁଲି ଦେଖିଥିଲେ। କଳିଙ୍ଗ ଷ୍ଟାଡ଼ିୟମରେ ଓଡ଼ିଶା ସରକାରଙ୍କ ଦ୍ବାରା ସୃଷ୍ଟି ହୋଇଥିବା କ୍ରୀଡ଼ା ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ। ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଦେଶର ଖେଳାଳିମାନଙ୍କୁ ନିରନ୍ତର ଅଭ୍ୟାସ ସୁଯୋଗ ସୃଷ୍ଟିକରିବା ସହିତ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନରେ ମଧ୍ୟ ସଫଳତା ଆଣିଛି ବୋଲି କମଲ ହସନ କରିଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଳ ଦେବ, ନିର୍ଦେଶକ ଆର. ବିନୀଳ କୃଷ୍ଣଙ୍କ ସମେତ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ ଓ ଓଡ଼ିଶା ଏଫ୍‌ସିର ଫୁଟ୍‌ବଲ ଖେଳାଳି ଉପସ୍ଥିତ ଥିଲେ। ଓଡ଼ିଶା ଏଫ୍‌ସି ଓ ହକି ଇଣ୍ଡିଆ ପକ୍ଷରୁ କମଲ ହାସନଙ୍କୁ ଏକ ଜର୍ସି ଉପହାର ପ୍ରଦାନ କରା ଯାଇଥିଲା।

Comments are closed.