ନାଭାଲ-ଟାଟା ହକି ଏକାଡେମୀ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ

ଆଞ୍ଚଳିକ ବିକାଶ କେନ୍ଦ୍ରରେ ପରିଣତ ହେବ ୩ ହକି କ୍ରୀଡ଼ା ଛାତ୍ରାବାସ

ଭୁବନେଶ୍ବର : କ୍ରୀଡ଼ା ରାଜଧାନୀ ଭୁବନେଶ୍ବରରେ ଆଉ ଏକ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟିହୋଇଛି। ଓଡ଼ିଶା ସରକାର ଓ ଟାଟା ଷ୍ଟିଲର ମିଳିତ ସହଯୋଗରେ କଳିଙ୍ଗ ଷ୍ଟାଡ଼ିମମ ହକି କ​‌େ​‌ମ୍ପ୍ଲକ୍ସ ପରିସରରେ ପ୍ରତିଷ୍ଠା ହୋଇଛି ନାଭାଲ-ଟାଟା ହକି ଏକାଡ଼େମୀ ଓଡ଼ିଶା। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଏକାଡ଼େମୀକୁ ଉଦ୍‌ଘାଟନ କରି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏକାଡେମୀ ଦ୍ବାରା ଓଡ଼ିଶା ସମେତ ଦେଶର ହକି ଖେଳାଳି ଅଧିକ ଅଭ୍ୟାସ କରିବାର ସୁଯୋଗ ପାଇବେ; ଯାହା ଦ୍ବାରା ଚମ୍ପିଆନ ଖେଳାଳି ସୃ​‌ଷ୍ଟିହେବାରେ ସହାୟକ ହେବ। ଟାଟା ଷ୍ଟିଲ୍‌ର ଏଭଳି ପ୍ରୟାସ କ୍ରୀଡ଼ା ପାଇଁ ଶୁଭଙ୍କର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।
ଏକାଡ଼େମୀରେ ବର୍ତ୍ତମାନ ୨୪ ଜଣ ବାଳିକା ଖେଳାଳି ରହିଛନ୍ତି। ପ୍ରଶିକ୍ଷକ ଭା‌େ‌ବ ନେଦରଲାଣ୍ଡସ୍‌ର ଫ୍ଲୋରିସ୍‌ ବୋଭ୍‌ଲାଣ୍ଡର ରହିଥିବା ବେଳେ ସହଯୋଗୀ ପ୍ରଶିକ୍ଷକ ଭା​‌େ​‌ବ ଭାରତର ସନ୍ଦୀପ କୌରଙ୍କ ସମେତ ଫିଜିଓ ଓ ଟ୍ରେନର ମଧ୍ୟ ନିଯୁକ୍ତି ହୋଇଛନ୍ତି। ହକିର ଏନ୍ତୁଡ଼ିଶାଳ ଓଡ଼ିଶାରେ ଟାଟା ଷ୍ଟିଲ୍‌, ଟାଟା ଟ୍ରଷ୍ଟ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ୍ରେ ଟାଟା ଓଡ଼ିଶା ହକି କାର୍ଯ୍ୟକ୍ରମର ତିନି ସୂତ୍ରୀର ଅଂଶସ୍ବରୂପ ଭୁବନେଶ୍ବରରେ ଏହି ଉଚ୍ଚସ୍ତରୀୟ ଏକାଡ଼େମୀ ସ୍ଥାପନ କରାଯାଇଛି। ରାଜ୍ୟ ସରକାରଙ୍କ ଭୁବନେଶ୍ବର, ସୁନ୍ଦରଗଡ଼ ଓ ରାଉରକେଲାରେ ଥିବା କ୍ରୀଡ଼ା ଛାତ୍ରାବାସ ଆଞ୍ଚଳିକ ବିକାଶ କେନ୍ଦ୍ର (ଆର୍‌ଡିସି)ରେ ପରିଣତ ହେବ। ଏଠାରେ ଟାଟା ଟ୍ରଷ୍ଟ ଓ ଟାଟା ଷ୍ଟିଲର ବିଶେଷଜ୍ଞ ଆରଡିସିଗୁଡ଼ିକର ଦକ୍ଷତା ଓ ଉତ୍କର୍ଷତା ବଢାଇବେ। ପ୍ରାରମ୍ଭିକ ପର୍ୟ୍ୟାୟରେ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାରେ ୧୦ରୁ ୨୦ଟି ତୃଣମୂଳ କେନ୍ଦ୍ର ସ୍ଥାପନ କରାଯିବ। ତୃଣମୂଳସ୍ତରରୁ ପ୍ରତିଭାବାନ୍‌ ଖେଳାଳିଙ୍କୁ ସନ୍ଧାନ କରାଯାଇ କ୍ରୀଡ଼ା ଛାତ୍ରାବାସରେ ନାମ ଲେଖାଇବା ପାଇଁ ସୁପାରିସ କରାଯିବ। ସେଥିରୁ ପ୍ରତିଭାବାନ ଖେଳାଳିଙ୍କୁ ଏକାଡ଼େମୀକୁ ମନୋନୟନ କରାଯିବ ବୋଲି ଟାଟା ଟ୍ରଷ୍ଟ ବରିଷ୍ଠ ଉପଦେଷ୍ଟା ବୁରଜିସ୍‌ ତାରାପୋରବାଲା କହିଛନ୍ତି। ଏକାଡ଼େମୀରେ ଖେଳାଳିଙ୍କ ରହିବା, ଖାଇବା ଓ ଦକ୍ଷତାର ଉନ୍ନତି ଲାଗି ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି। ହକି ଇଣ୍ଡିଆ ସହିତ ଅନୁବନ୍ଧିତ ପାଇଁ ମଧ୍ୟ ଆବେଦନ କରାଯାଇଛି ବୋଲି ଉପଦେଷ୍ଟା ବୁରଜିସ୍‌ କହିଛନ୍ତି। ଏହି ଅବସରରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ନିର୍ଦେଶକ ଆର. ବିନୀଳ କୃଷ୍ଣ, ଯୁଗ୍ମ ସଚିବ ମନୋଜ ପାଢୀ, ଟାଟା ଷ୍ଟିଲ କର୍ପୋରେଟ ସେବା ଉପସଭାପତି ଚାଣକ୍ୟ ଚୌଧୁରୀ, ସିଇଓ ଓ ଏମ୍‌ଡି ଟାଟାଷ୍ଟିଲ ଟି.ଭି. ନରେନ୍ଦ୍ରନ, ଅଲିମ୍ପିଆନ ଲାଜରୁସ୍‌ ବାର୍ଲା ପ୍ରମୁଖ ଉପସ୍ଥିତ ଥିଲେ।
ଓଡ଼ିଶାର ଖେଳାଳିଙ୍କ ପାଇଁ ୬୦ ପ୍ରତିଶତ ସଂରକ୍ଷଣ
ଖୋଲିଥିବା ନାଭାଲ ଟାଟା ହକି ଏକାଡ଼େମୀ ଓଡ଼ିଶାରେ ବର୍ତ୍ତମାନ ୧୪ରୁ ୧୭ ବର୍ଷ ବୟସ ବର୍ଗରେ ୨୪ ଜଣ ବାଳିକା ଖେଳାଳି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୮ଜଣ ଓଡ଼ିଶାର ରହିଥିବାବେଳେ ଅନ୍ୟ ୬ଜଣ ଖେଳାଳି ଆସାମ ଓ ଝାଡ଼ଖଣ୍ଡର। ଆଗକୁ ଏକାଡ଼େମୀରେ ମୋଟ ୬୦ଜଣ ଖେଳାଳି ରହିବେ। ଏଥିରେ ଓଡ଼ିଶା ଖେଳାଳିଙ୍କ ଲାଗି ୬୦ ପ୍ରତିଶତ ସଂରକ୍ଷଣ ରହିବ। ଏକାଡ଼େମୀରୁ ଚମ୍ପିଆନ ଖେଳାଳି ସୃ​‌ଷ୍ଟିକରିବା ଆମର ପ୍ରଥମ ଲକ୍ଷ୍ୟ ବୋଲି ଟାଟା ଷ୍ଟିଲ ସିଇଓ ଓ ଏମ୍‌ଡ଼ି ଟି.ଭି. ନରେନ୍ଦ୍ରନ କହିଛନ୍ତି। ଟାଟା ଷ୍ଟିଲ ସବୁବେଳେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଇଆସିଛି। ଓଡ଼ିଶାରେ ଷ୍ଟେଟ୍‌ ଅଫ ଆର୍ଟ କ୍ରୀଡ଼ା ବ୍ୟବସ୍ଥା ଏବଂ ପ୍ରଶିକ୍ଷଣ ପହଞ୍ଚାଇ କ୍ରୀଡ଼ା ପ୍ରତିଭାଙ୍କୁ ସମୃଦ୍ଧ କରିବା ଲାଗି ଉଦ୍ୟମ କରୁଛୁ। ଜାମସେଦପୁର ପରେ ଟାଟା ଷ୍ଟିଲ ଓଡ଼ିଶାରେ ୨ୟ ହକି ଏକାଡ଼େମୀ ଖୋଲିଛି। ପୁଣି ଆଥ୍‌ଲେଟିକ୍‌ସ, ବକ୍ସିଂ, ବାସ୍କେଟବଲ, ବ୍ୟାଡ୍‌ମିଣ୍ଟନ, ଭଲିବଲ, ଟେବୁଲ ଟେନିସ, ଚେସ୍ ଭଳି ୧୭ ପ୍ରକାର କ୍ରୀଡ଼ାର ପ୍ରଶିକ୍ଷଣ କେନ୍ଦ୍ର ରହିଛି ବୋଲି ନରେନ୍ଦ୍ରନ କହିଛନ୍ତି। ଏକାଡ଼େମୀ ଲାଗି ଖେଳାଳି ମନୋନୟନ ଓଡ଼ିଶାର ବିଭିନ୍ନ ଜିଲାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୫୦ ଜଣ ପିଲା ସାମିଲ ହୋଇଥିଲେ। ଏଥିରୁ ୧୮ ଜଣ ଖେଳାଳି ମନୋନୟନ କରାଯାଇଛି। ଆଗକୁ ଅଧିକ ଖେଳାଳି ମନୋନୟନ କରାଯିବ ବୋଲି ନରେନ୍ଦ୍ରନ କହିଛନ୍ତି।
ଅଧିକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟିହେବେ: କ୍ରୀଡ଼ା ମନ୍ତ୍ରୀ
ଭାରତର କ୍ରୀଡ଼ା ରାଜଧାନୀ ଭା‌େ‌ବ ପରିଚିତ ଭୁବନେଶ୍ବର ଦ୍ରୁତଗତିରେ ଅଗ୍ରସର ହେଉଛି। ଏନ୍‌ଟିଏଚ୍‌ଏ ଓଡ଼ିଶା ସ୍ଥାପନ ହେବା ପରେ ରାଜ୍ୟର ଖେଳାଳି କମ୍‌ ବୟସରୁ କୃତ୍ରିମ ଟର୍ଫରେ ​‌େ​‌ଶ୍ରଷ୍ଠମାନର ପ୍ରଶିକ୍ଷଣ ହାସଲ କରିପାରିବେ। ଫଳରେ କ୍ରୀଡ଼ାବିତ୍‌ ସେମାନଙ୍କ ଅନ୍ତର୍ଜାତୀୟ ପ୍ରତିପକ୍ଷଙ୍କ ସହ ପ୍ରତିଦ୍ବନ୍ଦିତା କରିପାରିବେ। ଏହାଛଡ଼ା ଜାତୀୟ ଦଳରେ ଓଡ଼ିଶା ଖେଳାଳିଙ୍କ ସଂଖା ବୃଦ୍ଧିପାଇବ ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।

Comments are closed.