ହକିକୁ ଜାତୀୟ କ୍ରୀଡ଼ାର ମାନ୍ୟତା ମିଳୁ

0

ଭୁବନେଶ୍ୱର: ହକିକୁ ଜାତୀୟ କ୍ରୀଡ଼ାର ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ଏହି ମର୍ମରେ ଶ୍ରୀ ପଟ୍ଟନାୟକ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୧୯୪୮ରେ ବ୍ରିଟିଶ୍‍ ଶାସନ ଅଧୀନରୁ ସଦ୍ୟ ମୁକ୍ତି ଲାଭ କରିଥିବା ଭାରତ ଲଣ୍ଡନ୍‍ରେ ଅନୁଷ୍ଠିତ ଅଲିମ୍ପିକ୍‍ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ସ୍ୱର୍ଣ୍ଣ ପଦକ ଯେ କୌଣସି ଦେଶବାସୀଙ୍କୁ ଗୌରବାନ୍ୱିତ କରେ। ଏହା ସମ୍ଭବ ହୋଇପାରିଥିଲା କେବଳ ହକି ପାଇଁ। ଭାରତୀୟ ହକି ଟିମ୍‍ ବିଟ୍ରେନ୍‍କୁ ହରାଇ ଭାରତ ପାଇଁ ଏହି ଗୌରବ ଆଣି ଦେଇଥିଲେ। ଏହାପୂର୍ବରୁ ହାରିଯିବା ଭୟରେ ଭାରତ ସହିତ ବିଟ୍ରେନ୍‍ ହକିରେ ସାମ୍ନାସାମ୍ନି ହେଉ ନଥିଲା। ଅଲିମ୍ପିକ୍‍ରେ ୧୯୮୦ ପର୍ଯ୍ୟନ୍ତ ହକି ଭାରତୀୟ କ୍ରୀଡ଼ାର ସ୍ପନ୍ଦନ ହୋଇ ରହିଥିଲା। ଆଞ୍ଚଳିକତାବାଦରୁ ଊଦ୍ଧ୍ୱର୍ରେ ହକି ପ୍ରଭୂତ ଲୋକପ୍ରିୟତା ହାସଲ କରିପାରିଛି। ଓଡ଼ିଶା ସମେତ ଛତିଶଗଡ଼ ଓ ଝାଡ଼ଖଣ୍ଡର ଜନଜୀବନ ସହିତ ହକି ଓତଃପ୍ରୋତ ଭାବେ ଜଡ଼ିତ। ଏହି କାରଣରୁ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ସରକାର ଜାତୀୟ ହକି ଦଳର ପ୍ରାୟୋଜକ ହେବାକୁ ଘୋଷଣା କରିଛନ୍ତି। ଆସନ୍ତା ନଭେମ୍ବରରେ ହକି ବିଶ୍ୱକପ୍‍ର ପରବର୍ତ୍ତୀ ସଂସ୍କରଣ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି। ଏହାପୂର୍ବରୁ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା ବେଳେ ଜାଣି ଆଶ୍ଚର୍ଯ୍ୟ ହେବାକୁ ପଡ଼ିଲା ଯେ ଲୋକମୁଖରେ ଜାତୀୟ ଖେଳ କୁହାଯାଉଥିବା ହକିକୁ ଏ ପର୍ଯ୍ୟନ୍ତ ବିଧିବଦ୍ଧ ମାନ୍ୟତା ମିଳିନାହିଁ।
ହକିକୁ ଜାତୀୟ ମାନ୍ୟତା ମିଳୁ – ଏ ସମ୍ପର୍କରେ ଆପଣ ମଧ୍ୟ ଏକମତ ହେବେ ବୋଲି ଆଶା।ଏକଦା ଦେଶକୁ ଗୌରବାନ୍ୱିତ କରିଥିବା ପୂର୍ବତନ ହକି ଖେଳାଳିଙ୍କ ପ୍ରତି ଏହା ହିଁ ହେବ ସର୍ବଶ୍ରେଷ୍ଠ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି। ଏଥିସହିତ ଆଗାମୀ ପିଢ଼ିଙ୍କୁ ଉତ୍ସାହିତ କରିବାରେ ଏହା ସାହାଯ୍ୟ କରିବ।

Leave A Reply