ହୀରାକୁଦ ଛାଡିଲା ପ୍ରଥମ ବନ୍ୟାଜଳ; ମହାନଦୀରେ ବନ୍ୟା ଆଶଙ୍କା

ସମ୍ବଲପୁର: ପୂର୍ବନିର୍ଦ୍ଧାରିତ ସମୟ ଅନୁଯାୟୀ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ବୁଧବାର ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହୋଇଛି। ଏହାକୁ ନେଇ ହୀରାକୁଦ ଡ୍ୟାମ୍ ପ୍ରଶାସନ ଅଧିକାରୀ ଏବଂ ଯନ୍ତ୍ରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ପୂଜାର୍ଚ୍ଚନା ଏବଂ ସଙ୍କିର୍ତ୍ତନ କରାଯାଇ ଶୁଭ ସାଙ୍କେତିକ ୭ ନମ୍ବର ସ୍ଲୁଇସ ଗେଟ୍‌କୁ ଖୋଲାଯାଇଛି । ଏହି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ ହେଉଛି । ପ୍ରଥମ ବନ୍ୟା ଜଳ ଦେଖିବା ପାଇଁ ହୀରାକୁଦ ଡ୍ୟାମରେ ଲୋକଙ୍କ ଭିଡ ଜମିଛି । ତେବେ ମୁଖ୍ୟ ଯନ୍ତ୍ରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ସମୟ ପରେ ଏହି ଗେଟ୍‌କୁ ବନ୍ଦ କରିଦିଆଯିବ । ପରବର୍ତ୍ତି ସମୟରେ ବନ୍ୟା ଜଳ ବୃଦ୍ଧି ପରିମାଣ ନେଇ କେବେ ଏବଂ କେତୋଟି ଗେଟ୍‌ ଖୋଲାଯିବ ସେ ନେଇ ନିଷ୍ପତ୍ତି କରାଯିବ ।

ଅନ୍ୟ ପକ୍ଷରେ ଆଜି ତେଲ ନଦୀରେ ଜଳସ୍ତର ସାମାନ୍ୟ ହ୍ରାସ ପାଇଥିବା ବେଳେ ମହାନଦୀ ଏବଂ ଏହାର ଶାଖା ନଦୀ ଗୁଡିକରେ ଜଳସ୍ତର କ୍ରମଶଃ ବୃଦ୍ଧି ପାଉଛି । ଜଳ ସମ୍ପଦ ବିଭାଗ ଏବଂ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ଅପରାହ୍ନ ବେଳକୁ କଟକ କାଠଯୋଡି ସ୍ଥିତ ମୁଣ୍ଡଳୀ ବ୍ୟାରେଜ ଦେଇ ୧୦ ହଜାର ଘନଫୁଟ୍ ଜଳ ପ୍ରବାହିତ ହେବ । ତେବେ ଏହା ସାମନ୍ୟ ଧରଣର ବନ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି ଏବଂ ଏଥିପାଇଁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ କହିଛନ୍ତି । ସେ କହିଛନ୍ତି ସମ୍ବେଦନଶୀଳ ସ୍ଥାନ ଗୁଡିକରେ କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତର ମୁକାବିଲ କରିବା ପାଇଁ ଓଡ୍ରାଫ୍ ଟିମ୍‌କୁ ସଜାଗ ରଖାଯାଇଛି । ଇତି ମଧ୍ୟରେ ସମ୍ଭାବିତ ବନ୍ୟା ହେବାକୁ ଥିବା ଅଞ୍ଚଳଗୁଡିକରୁ ପ୍ରାୟ ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Comments are closed.