ହୀରାକୁଦ ଜଳସ୍ତର ୬୨୫ ଫୁଟ ଟପିଲା, ୧୨ ଗେଟ୍‍ ଖୋଲା

0

ସମ୍ବଲପୁର : ହୀରାକୁଦ ଜଳପତ୍ତନ ଏହାର ସର୍ବୋଚ୍ଚ ସୀମା ୬୩୦ ଫୁଟ୍‍ ଛୁଇଁବାକୁ ଆଉ ମାତ୍ର ୫ ଫୁଟ ବାକି ଅଛି। ମହାନଦୀ ଉପର ମୁଣ୍ଡରୁ ପ୍ରବେଶ କରୁଥିବା ଜଳ ପରିମାଣ ବୃଦ୍ଧି ପାଇବାରୁ ବନ୍ଧର ଜଳସ୍ତରରେ କ୍ରମାଗତ ବୃଦ୍ଧି ଘଟୁଛି। ଶୁକ୍ରବାର ଦିନ ୧୦ଟା ପରଠାରୁ ଜଳସ୍ତର ୬୨୫ ଫୁଟ ଅତିକ୍ରମ କରିଛି। ତା’ ପୂର୍ବରୁ ଏହା ୬୨୪.୯୫ ଫୁଟ ପାଖାପାଖି ଥିଲା।
ସନ୍ଧ୍ୟା ସମୟରେ ଜଳପତ୍ତନ ୬୨୫.୧୫ ଫୁଟ ରେକର୍ଡ କରାଯାଇଛି। ଏହି ସମୟରେ ବନ୍ଧକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୩ ହଜାର ୩୬୦ ଘନଫୁଟ ବର୍ଷା ଜଳ ପ୍ରବେଶ କରୁଥିଲା। ସମାନ ସମୟରେ ବନ୍ଧରୁ ୨ ଲକ୍ଷ ୬ ହଜାର ୩୯୪ ଘନଫୁଟ ବନ୍ୟା ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି। ୧୨ଟି ସ୍ଲୁଇସ ଗେଟ୍‍ ଯୋଗେ ପାଣି ଛଡ଼ା ଯାଉଛି। ଆଜି ମଧ୍ୟାହ୍ନ ୧୨ଟା ବେଳେ ମହାନଦୀ ତଳମୁଣ୍ଡ ଖଇରମାଳଠାରେ ପ୍ରତି ସେକେଣ୍ଡରେ ୪ ଲକ୍ଷ ୪୮ ହଜାର ଘନଫୁଟ ଓ ମୁଣ୍ଡଳିଠାରେ ୨ ଲକ୍ଷ ୭୮ ହଜାର ୭୦୦ ଘନଫୁଟ ପାଣି ପ୍ରବାହିତ ହେଉଥିଲା। ଗତ ଚବିଶ ଘଣ୍ଟାରେ ଉପର ମୁଣ୍ଡରେ ୩୪ .୧୦ ମିଲିମିଟର ଓ ତଳମୁଣ୍ଡରେ ୫୮.୮୭ ମିଲିମିଟର ବର୍ଷା ହୋଇଛି। ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ୮ଟି ସ୍ଲୁଇସ ଗେଟ୍‍ ଖୋଲା ଥିଲା। କିନ୍ତୁ ଦିନ ୧୨ଟା ୪୫ ମିନିଟରେ ଆହୁରି ୪ଟି ଗେଟ ଖୋଲିବାକୁ ନିର୍ଦେଶ ମିଳିଥିଲା ବୋଲି ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡ଼ିଛି।

Leave A Reply