ସାମାଜିକ ଗଣମାଧ୍ୟମରେ କୋହଲିଙ୍କ ଅନୁଗାମୀ ସର୍ବାଧିକ

ନୂଆଦିଲ୍ଲୀ  : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କେବଳ କ୍ରିକେଟ ଦୁନିଆରେ ରାଜୁତି କରୁଛନ୍ତି; ତାହା ନୁହେଁ। ଅଗଣିତ କ୍ରିକେଟ ପ୍ରଶଂସକଙ୍କ ହୃଦୟରେ ରାଜୁତି କରିବା ସହ କୋହଲି ସାମାଜିକ ଗଣମାଧ୍ୟମରେ ମଧ୍ୟ ତାଙ୍କ ପ୍ରାଧାନ୍ୟ ଜାହିର କରିଛନ୍ତି। ନିକଟରେ ବିଶ୍ବର ପ୍ରଥମ କ୍ରିକେଟର ଭାବେ ଏକ ଦଶନ୍ଧିରେ ୨୦ ହଜାର ଆନ୍ତର୍ଜାତିକ ରନ୍ ସ୍କୋର୍ କରିଥି​‌େ​‌ଲ ବିରାଟ କୋହଲି। ଏକ ଆକଳନ ଅନୁସାରେ, ଏବେ ଖେଳୁଥିବା ବିଶ୍ବର ସମସ୍ତ କ୍ରିକେଟରଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ବିରାଟ କୋହଲିଙ୍କ ଅନୁଗାମୀଙ୍କ ସଂଖ୍ୟା ସର୍ବାଧିକ। ତାଙ୍କର ୩ଟିଯାକ ସାମାଜିକ ଗଣମାଧ୍ୟମ (ଟ୍ବିଟର, ଫେସ୍‌ବୁକ୍ ଓ ଇନ୍‌ଷ୍ଟ୍ରାଗ୍ରାମ୍‌)ରେ ବିରାଟ କୋହଲିଙ୍କର ୩ କୋଟିରୁ ଅଧିକ ଲେଖାଏଁ ଅନୁଗାମୀ ରହିଛନ୍ତି।
ଏହି ତାଲିକାରେ ୨ୟ ସ୍ଥାନରେ ରହିଛନ୍ତି ଭାରତୀୟ ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକର। ଟ୍ବିଟରରେ ସଚିନ୍‌ଙ୍କର ୩.୦୧ କୋଟି ଅନୁଗାମୀ ରହିଛନ୍ତି। ଫେସ୍‌ବୁକ୍‌ରେ ସଚିନ୍‌ଙ୍କର ୨.୮ କୋଟି ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ୧.୬୫ କୋଟି ଅନୁଗାମୀ ରହିଛନ୍ତି। ସାମାଜିକ ଗଣମାଧ୍ୟମରେ ମହେନ୍ଦ୍ର ସିଂହ ଧୋନି ବହୁତ କମ୍ ପୋଷ୍ଟ କରିଥାଆନ୍ତି। ତଥାପି ଅନୁଗାମୀ ତାଲିକାରେ ଆନ୍ତର୍ଜାତିକ କ୍ରିକେଟର ଭାବେ ୩ୟ ସ୍ଥାନରେ ରହିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଧୋନିଙ୍କର ୧.୫୪ କୋଟି, ଟ୍ବିଟରରେ ୭୭ ଲକ୍ଷ ଏବଂ ଫେସ୍‌ବୁକ୍‌ରେ ୨.୦୫ କୋଟି ଅନୁଗାମୀ ରହିଛନ୍ତି। ‘ହିଟ୍‌ମ୍ୟାନ୍’ ଭାବେ ପରିଚିତ ରୋହିତ ଶର୍ମାଙ୍କର ସାମାଜିକ ଗଣମାଧ୍ୟମରେ କମ୍ ଅନୁଗାମୀ ନାହାନ୍ତି। ମୁମ୍ବଇର ଏହି ଓପ୍‌ନରଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ୧.୦୫ କୋଟି, ଟ୍ବିଟରରେ ୧.୪୭ କୋଟି ଏବଂ ଫେସ୍‌ବୁକ୍‌ରେ ୧.୧ କୋଟି ଅନୁଗାମୀ ରହିଛନ୍ତି। ଏବେ ଭାରତୀୟ କ୍ରିକେଟ ଦଳରେ ନଥିବା ୩ ପ୍ରମୁଖ କ୍ରିକେଟର ସୁରେଶ ରୈନା, ଯୁବରାଜ ସିଂହ ଓ ହରଭଜନ ସିଂହଙ୍କର ମଧ୍ୟ କମ୍ ସାମାଜିକ ଗଣମାଧ୍ୟମ ଅନୁଗାମୀ ନାହାନ୍ତି। ବାମହାତି ବ୍ୟାଟ୍‌ସମ୍ୟାନ୍ ସୁରେଶ ରୈନାଙ୍କର ଟ୍ବିଟରରେ ୧.୬୭ କୋଟି, ଇନ୍‌ଷ୍ଟାଗ୍ରାମ୍‌ରେ ୯୦ ଲକ୍ଷ ଓ ଫେସ୍‌ବୁକ୍‌ରେ ୩୧ ଲକ୍ଷ ଅନୁଗାମୀ ରହିଛନ୍ତି। ନିକଟରେ ଅବସର ଘୋଷଣା କରିଥିବା ଯୁବରାଜଙ୍କର ଫେସ୍‌ବୁକ୍‌ରେ ୧.୪ କୋଟି, ଟ୍ବିଟରରେ ୪୭ ଲକ୍ଷ ଓ ଇନ୍‌ଷ୍ଟାଗ୍ରାମ୍‌ରେ ୭୫ ଲକ୍ଷ ଅନୁଗାମୀ ରହିଛନ୍ତି। ହରଭଜନ ସିଂହଙ୍କର ଟ୍ବିଟରରେ ୧.୦୧ କୋଟି, ଇନ୍‌ଷ୍ଟାଗ୍ରାମ୍‌ରେ ୩୬ ଲକ୍ଷ ଓ ଫେସ୍‌ବୁକ୍‌ରେ ୬୬ ଲକ୍ଷ ଅନୁଗାମୀ ରହିଛନ୍ତି।
ବିଦେଶୀ କ୍ରିକେଟରଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି କ୍ରିକେଟ୍‌ରୁ ଅବସର ନେଇ ସାରିଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି’ଭିଲିଅର୍ସ। ସମ୍ପୂର୍ଣ୍ଣ କ୍ରିକେଟରଙ୍କ ତାଲିକାରେ ଡି’ଭିଲିଅର୍ସ ୮ମ ସ୍ଥାନରେ ରହିଛନ୍ତି। ଡି’ଭିଲିଅର୍ସଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ୮୫ ଲକ୍ଷ, ଟ୍ବିଟରରେ ୬୭ ଲକ୍ଷ ଓ ଫେସ୍‌ବୁକ୍‌ରେ ୩୬ ଲକ୍ଷ ଅନୁଗାମୀ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ଭାରତୀୟ କ୍ରିକେଟ ଦଳର ଓପ୍‌ନର ଶିଖର ଧାୱନ। ଫେସ୍‌ବୁକ୍‌ରେ ୮୯ ଲକ୍ଷ, ଟ୍ବିଟରରେ ୪୧ ଲକ୍ଷ ଓ ଇନ୍‌ଷ୍ଟାଗ୍ରାମ୍‌ରେ ଧାୱନଙ୍କର ୪୮ ଲକ୍ଷ ଅନୁଗାମୀ ରହିଛନ୍ତି। ଏହି ତାଲିକାର ୧୦ମ ସ୍ଥାନରେ ରହିଛନ୍ତି ୱେଷ୍ଟଇଣ୍ଡିଜ୍‌ର ଓପ୍‌ନର କ୍ରିସ୍ ଗେଲ୍‌। ୩୯ ବର୍ଷ ବୟସ୍କ ବାମହାତି ଗେଲ୍‌ଙ୍କର ଫେସ୍‌ବୁକ୍‌ରେ ୭୮ ଲକ୍ଷ, ଟ୍ବିଟରରେ ୪.୪ ଲକ୍ଷ ଓ ଇନ୍‌ଷ୍ଟାଗ୍ରାମ୍‌ରେ ୨୮ ଲକ୍ଷ ଅନୁଗାମୀ ରହିଛନ୍ତି।

Comments are closed.