ବଙ୍ଗୋପସାଗରରେ ଆସିବ ଉଚ୍ଚ ଜୁଆର, ୬ ଜିଲାକୁ ସତର୍କ ସୂଚନା ଜାରି

0

ଚେନ୍ନାଇ:  ବଙ୍ଗୋପ ସାଗର ଓ ଆରବ ସାଗରରେ ଉଚ୍ଚା ଜୁଆର ଆସିବ ।  ରବିବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୁଦ୍ର ତଟବର୍ତ୍ତୀ ୯ଟି ରାଜ୍ୟ ସହ ଆଣ୍ଡାମାନ ନିକୋବର ଦ୍ୱୀପ ପୁଞ୍ଜ ଓ ଲକ୍ଷାଦ୍ୱୀପ  ଏଥିଯୋଗୁଁ ପ୍ରଭାବିତ ହେବ ବୋଲି ଭାରତୀୟ ରାଷ୍ଟ୍ରୀୟ ମହାସାଗର ସୂଚନା କେନ୍ଦ୍ର ସୂଚନା ଦେଇଛି ।

ସମୁଦ୍ରରେ ଉଚ୍ଚ ଶକ୍ତି ସମ୍ପନ୍ନ ଢ଼େଉ ଆସୁଥିବାରୁ ସୋମବାର ଠାରୁ ମଙ୍ଗଳବାର ମଧ୍ୟରେ ବଙ୍ଗୋପସାଗର ଅଶାନ୍ତ ରହିବ। ରାଜ୍ୟର ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଏବଂ ଗଞ୍ଜାମ ଜିଲାର ସମୁଦ୍ରରେ ଦୁଇରୁ ତିନିମିଟର ଉଚ୍ଚତାରେ ଉଚ୍ଚ ଶକ୍ତି ସମ୍ପନ୍ନ ଲହଡ଼ି ଉଠିବା ସହିତ ଜୁଆର ଦେଖାଦେବ। ପାଣିପାଗ ବିଭାଗ ଭୁବନେଶ୍ୱର ଏବଂ ଜାତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର ହାଇଦ୍ରାବାଦ (ଆଇଏନସିଓଆଇଏସ)ପକ୍ଷରୁ ଦିଆଯାଇଥିବା ସୂଚନା ଆଧାରରେ ଶନିବାର ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଉକ୍ତ ୬ଟି ଜିଲାର ଜିଲାପାଳମାନଙ୍କୁ ଏବାବଦରେ ସତର୍କ ସୂଚନା ଜାରି କରିବାକୁ ନିର୍ଦେଶ ଦେଇଛନ୍ତି।
ଜୁଆର ଓ ଉଚ୍ଚ ଢ଼େଉ ଯୋଗୁଁ ସମୁଦ୍ର ତଳି ଅଞ୍ଚଳରେ ପାଣି ମାଡ଼ିଯିବାର ଆଶଙ୍କା ରହିଛି ବୋଲି ଶ୍ରୀ ସେଠୀ କହିଛନ୍ତି। ଏହି ସମୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସତର୍କ ସୂଚନା ଜାରି କରିବା ସହ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀ, ପର୍ଯ୍ୟଟକ ଓ ଜନସାଧାରଣ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମତ୍ସ୍ୟଜୀବୀମାନେ ଡଙ୍ଗା ନେଇ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉଚ୍ଚ ଶକ୍ତି ସମ୍ପନ୍ନ ଲହଡ଼ି ୧୭ରୁ ୨୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ। ଜୁଆର ସମୟରେ ଏହାର ପ୍ରଭାବ ବେଶୀ ଅନୁଭୂତ ହେବ।
ଜାରି କରାଯାଇଥିବା ସତର୍କନାମା ଅନୁଯାୟୀ ବଙ୍ଗୋପସାଗରରେ ହେବାକୁ ଥିବା ଉଚ୍ଚ ଶକ୍ତି ସମ୍ପନ୍ନ ଲହଡ଼ିର ପ୍ରଭାବ ସୋମବାର ଅଧିକ ଅନୁଭୂତ ହେବ ଏବଂ ମଙ୍ଗଳବାର ଠାରୁ ଏହା କ୍ରମଶଃ ହ୍ରାସ ପାଇବ।
ଏ ସଂକ୍ରାନ୍ତ ସତର୍କ ସୂଚନା ଜାରି ପରେ ପୁରୀରେ ପ୍ରଶାସନ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପେଣ୍ଠକଟା ଏବଂ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ବାସ କରୁଥିବା ମତ୍ସ୍ୟଜୀବୀଙ୍କୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି । ରବିବାର ଜିଲା ଓ ବ୍ଲକ ମୁଖ୍ୟଦପ୍ତର ନ ଛାଡିବାପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଡ଼ିଓ ଏବଂ ତହସିଲଦାରଙ୍କୁ ନିର୍ଦେଶନାମା ଜାରି କରାଯାଇଛି । ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ ପ୍ରସ୍ତୁତ କରି ରଖିବାକୁ ପରାମର୍ଶ ଦିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ରବିବାର ଏ ସମ୍ପର୍କରେ ଜରୁରୀ ବୈଠକ ଅନୁଷ୍ଠିତ ହେବ। ରାଜସ୍ୱ, ଯୋଗାଣ, ସ୍ୱାସ୍ଥ୍ୟ, ପଶୁସମ୍ପଦ, ପଞ୍ଚାୟତିରାଜ ଏବଂ ଅଗ୍ନିଶମ ଅଧିକାରୀମାନେ ଏହି ବୈଠକରେ ଯୋଗଦେବେ।

Leave A Reply